ବାଲେଶ୍ୱରରେ ୧୮୦୬ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ଏସଏଚଜି ମହିଳାଙ୍କୁ ମିଳିଲା ୨୨୦ କୋଟିର ଋଣ ସହାୟତା ।

183

କନକ ବ୍ୟୁରୋ : ବାଲେଶ୍ୱର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮୦୬ କୋଟି ଟଙ୍କାର ୧୯୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ମିଶନ ଶକ୍ତି ଋଣ ସହାୟତା ପ୍ରଦାନ କରିଛନ୍ତି ନବୀନ । ଏହି ରାଶି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଇଥିବା ଅଭିନବ ପଦକ୍ଷେପ ‘ଏକ ଗ୍ରାମ ପଂଚାୟତ ଏକ ଉତ୍ପାଦ’ କାର୍ଯ୍ୟକ୍ରମକୁ ନୂତନ ପାହାଚରେ ପହଂଚାଇବାରେ ସହଯୋଗ କରିବ । ଏହାସହ ନବୀନ କହିଛନ୍ତି ଏଭଳି ପ୍ରକଳ୍ପର ଶୁଭାରମ୍ଭ କରି ମୁଁ ବହୁତ ଖୁସି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ବାଲେଶ୍ୱର ସବୁଠି ଆଗରେ । ମା’ ମାନଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି । ୨୨୦ କୋଟି ଟଙ୍କା ସହାୟତା ବଣ୍ଟନ କରି ବହୁତ ଖୁସି । ବିନା ସୁଧରେ ବାଲେଶ୍ୱରର ୬୦ ହଜାର ମା’ ସୁବିଧା ପାଇବେ । ପ୍ରତି ପଞ୍ଚାୟତ ଗୋଟିଏ ଗୋଟିଏ ୟୁନିକ୍ ପ୍ରଡକ୍ଟ କରନ୍ତୁ । ଯାହା ଫଳରେ ପ୍ରତି ପଞ୍ଚାୟତର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ ।

ଆଜି ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୧୫ରେ ପୋଲିସ ରିଜର୍ଭ ପଡ଼ିଆରେ ପହଞ୍ଚିଥିଲେ। ପରେ ସୋମନାଥପୁରର ନୂଆ ରେଲୱେ ଓଭରବ୍ରିଜ୍ ନିକଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରେଳ ଓଭର ବ୍ରିଜରେ ଚାଲି ଚାଲି ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ପୋଲିସ ରିଜର୍ଭ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ବାମପଦା ଜଉ କଣ୍ଢେଇ ଗ୍ରୁପର ସଦସ୍ୟ ଆଦିବାସୀ ମହିଳା ମାନେ ।