ପ୍ରଶ୍ନ ପଚାରିଲେ ଦେଶର ବଡ ବଡ ଶିଳ୍ପପତି, ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ନବୀନଙ୍କ ଉତ୍ତରରେ ଶିଳ୍ପପତି ସନ୍ତୁଷ୍ଟ 

386

କନକ ବ୍ୟୁରୋ : ଶିଳ୍ପପତିଙ୍କ ପ୍ରଶ୍ନର ଉତର ରଖିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ନିବେଶ ଏବଂ ଶିଳ୍ପ ପ୍ରତିଷ୍ଠା ଦିଗରେ ଥିବା ସଂଭାବନା ଓ ସୁଯୋଗ ନେଇ ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କୁ ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଥିଲେ କିଛି ଶିଳ୍ପପତି । ଅନିଲ ଅଗ୍ରୱାଲ ପର୍ଯଟନ ଶିଳ୍ପ ଏବଂ ସଜ୍ଜନ ଜିନ୍ଦଲ ଦକ୍ଷତା ବିକାଶ ସଂପର୍କରେ ଜାଣିବାକୁ ଚାହିଥିବା ବେଳେ ମୁକେଶ ଅମ୍ବାନୀ ଶିକ୍ଷା ଓ କ୍ରୀଡ଼ା ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟିକୋଣ ସଂପର୍କରେ ଜାଣିବାକୁ ଚାହିଁଥିଲେ । ଯାହାର ଅତି ସନ୍ତୋଷଜନକ ଉତର ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନୀଲ ଅଗ୍ରୱାଲ:

ମାନ୍ୟବର ମୁଖ୍ୟମନ୍ତ୍ରୀ ଆମେ ଶିଳ୍ପ ପ୍ରତିଷ୍ଟା କଥା କହୁଛେ । ଓଡ଼ିଶାରେ ପ୍ରାକୃତିକ ସମ୍ପଦ, ଚିଲିକା ହ୍ରଦ, ଆଦି ଅନେକ ପର୍ଯ୍ୟଟନ ସଂଭାବନା ରହିଛି । ଆପଣ କେମିତି ବିଶ୍ୱକୁ ଆକର୍ଷିତ କରିବେ? ପର୍ଯ୍ୟଟନ ଶିଳ୍ପ ନେଇ ଆପଣଙ୍କ କ’ଣ ସବୁ ଯୋଜନା ରହିଛି, ସେ ସଂପର୍କରେ ସୂଚନା ଦେବେ କି ?

ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ଯଥେଷ୍ଟ ସାମର୍ଥ୍ୟ ରହିଛି । ଓଡ଼ିଶାରେ ଐତିହାସିକ ମନ୍ଦିର, ପ୍ରାୟ ୫ଶହ କି.ମିର ସୁଦୀର୍ଘ ସମୂଦ୍ର ଉପକୂଳ, ଚିଲିକା ହ୍ରଦ, ଆକର୍ଷଣୀୟ ବେଳାଭୂମି, ଅଭୟାରଣ୍ୟ ରହିଛି । ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଆମେ ଯତ୍ନଶୀଳ । ଆଶା ଅଛି, ଏଦିଗରେ ଆମେ ଭଲ କରିବୁ ।

ସଜ୍ଜନ ଜିନ୍ଦଲ:

ମାନ୍ୟବର ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ କ୍ଷେତ୍ରକୁ ଆପଣ କେତେ ଗୁରୁତ୍ୱ ଦିଅନ୍ତି ବା ଓଡ଼ିଶା ଗୁରୁତ୍ୱ ଦିଏ । ବିଶେଷ କରି ଉତ୍ପାଦନ ଶିଳ୍ପରେ ଆଗକୁ ଅନେକ ନିବେଶ ସଂଭାବନା ରହିଛି । ଆପଣ ଜାଣନ୍ତି ଦକ୍ଷତା ବିକାଶ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ତେଣୁ ଦକ୍ଷତା ବିକାଶ ନେଇ ଆପଣଙ୍କର ଦୂରଦୃଷ୍ଟି କ’ଣ ?

ଉତ୍ତରରେ ନବୀନ କହିଥିଲେ, ଦକ୍ଷତା ବିକାଶ କ୍ଷେତ୍ରରେ ଆମର ଏକ ଉଚ୍ଚକୋଟୀର ନୀତି ରହିଛି । ସିଙ୍ଗାପୁର ସହିତ ଭାଗିଦାରୀ ରହିଛି । ଦକ୍ଷତା ବିକାଶ ପାଇଁ ପ୍ରାୟ ଶହେ ଜଣ ପ୍ରଶିକ୍ଷକ ସେଠାକୁ ଯାଇଛନ୍ତି । ଏ ଦିଗରେ ଆମେ କଠିନ ପରିଶ୍ରମ ଜାରି ରଖିଛୁ । ସେଥିପାଇଁ ତ’ ଆମେ କହୁ-ଆପଣ ତାଲିମ ପ୍ରାପ୍ତ ନା’ ଆପଣ ଓଡ଼ିଶାରେ ତାଲିମ ପ୍ରାପ୍ତ । ଏକ୍ଷେତ୍ରରେ କଠିନ ପରିଶ୍ରମ କରୁଛୁ ।

ମୁକେଶ ଅମ୍ବାନୀ :  

ମୁଁ ଭାବୁଛି ବିଶ୍ୱର ନିବେଶକ ସମୁଦାୟ ଓଡ଼ିଶାକୁ ନେଇ ବେଶ ଉତ୍ସାହିତ । ଆପଣ କହିବାକୁ ଚାହିଁବେ କି, ଆଗାମୀ ୩ରୁ ୫ବର୍ଷ ଭିତରେ ନିବେଶ ପାଇଁ ଓଡ଼ିଶା କେଉଁ କ୍ଷେତ୍ରରେ ଅଧିକ ସଂଭାବନା ଦେଖୁଛି କିମ୍ବା ଅଧିକ ପ୍ରାଥିମକତା ଦେବ । ମୋର ଦ୍ୱିତୀୟ ପ୍ରଶ୍ନ ରହିବ- ମୁଁ ଜାଣେ ଆପଣ କ୍ରୀଡ଼ା ଓ ଶିକ୍ଷାକୁ ନେଇ ବେଶ ଆଗ୍ରହୀ । ଶିଳ୍ପାନୁଷ୍ଠାନ ଭାବେ ଆମେ କେମିତି କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ଯୋଗଦାନ କରିପାରିବୁ ଆପଣ କହିବେ କି? ଯାହା ଫଳରେ ଆମେ ଓଡ଼ିଶାର ଯୁବକଙ୍କ ସହ ଯୋଡ଼ି ହୋଇପାରିବୁ ।

ଅମ୍ବାନୀଙ୍କ ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ, ନିବେଶକୁ ନେଇ ଆମେ ବେଶ ଉତ୍ସାହିତ । ଯାହା ଆମ ପାଖରେ ଅଛି ତା’ର ସୁବିନିଯୋଗ କରିବା, ଯେମିତି କି ଆମ ପାଖରେ ଥିବା ଖଣିଜ ସମ୍ପଦକୁ ବିକଶିତ କରି ତା’କୁ ବିନିଯୋଗ କରିବା ଏବଂ ଆମ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ଖଣିଜ ପଦାର୍ଥ ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଶିଳ୍ପର ବିକାଶ ପାଇଁ ଆମେ ଆଗ୍ରହୀ । ଆଉ ଏହି ଦିଗରେ ଆମେ କ୍ରମାଗତ ସଫଳତା ପାଉଛୁ । କ୍ରୀଡ଼ା ପ୍ରସଙ୍ଗରେ କହିବି-କ୍ରୀଡ଼ା ହେଉଛି ଯୁବପୀଢ଼ିଙ୍କ ପାଇଁ ଏବଂ ଯୁବପୀଢ଼ି ଭବିଷ୍ୟତ ପାଇଁ । ତେଣୁ ଆମେ କ୍ରୀଡ଼ା ଭିତିଭୂମିକୁ ବିକଶିତ କରୁଛୁ । ମୁଁ କୁମାର ମଙ୍ଗଲମ୍ ବିର୍ଲାଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି ସେ, ଏଠାରେ ଏକ ସୁଟିଂ ପ୍ରତିଷ୍ଠାନ ପ୍ରତିଷ୍ଠା କରୁଛନ୍ତି । ଆଶା କରୁଛି ଏଠାରୁ ଅଲିମ୍ପିକ୍ସ ଖେଳାଳି ବାହାରିପାରିବେ ଏବଂ ଆପଣ ସମସ୍ତେ ଜାଣନ୍ତି ଚଳିତମାସରେ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ  ହେବାକୁ ଯାଉଛି ।