କୋଚିରେ ଗଡିଲା ଓଡିଶାରେ କେବେ ! ମେଟ୍ରୋ ଟ୍ରେନ୍ ପାଇଁ ବାଧକ କିଏ?

58

କନକ ବ୍ୟୁରୋ : ସ୍ମାର୍ଟ ସିଟି ରେସରେ ପ୍ରଥମ ଫେଜରେ କୋଚିକୁ ପଛରେ ପକାଇଥିଲା ଭୁବନେଶ୍ୱର । ହେଲେ ମେଟ୍ରୋ ଟ୍ରେନ୍ ଚଲାଇ ଭୁବନେଶ୍ୱରକୁ ବହୁ ପଛରେ ପକାଇଛି ଦକ୍ଷିଣ ଭାରତର ଏହି ପ୍ରମୁଖ ସହର । ପ୍ରଥମ ପର୍ଯ୍ୟାୟରେ ୧୩ କିମି ରାସ୍ତାରେ ମେଟ୍ରୋ ଗଡିଛି । ଏହା ମଧ୍ୟରେ ୧୧ଟି ଷ୍ଟେସନ୍ ରହିଛି, ଦୂରତା ଅତିକ୍ରମ କରିବାକୁ ୨୫ ମିନିଟ୍ ଲାଗିବ । ଏହା ପରେ ପ୍ରଶ୍ନ ଉଠିଛି, ସ୍ମାର୍ଟସିଟି ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଗଡିବ ନାହିଁ କାହିଁକି?

ମେଟ୍ରୋ ଟ୍ରେନ୍ ଗଡିବାକୁ ତିଆରି ହୋଇଥିବା ରୁଟ୍ ଅର୍ଥାତ୍ ଗ୍ରେଟର୍ କୋଚିରେ ଜନସଂଖ୍ୟା ପାଖାପାଖି ୨୦ ଲକ୍ଷ । ଆଉ ଗ୍ରେଟର୍ ଭୁବନେଶ୍ୱର ଅର୍ଥାତ୍ ଟ୍ୱିନ୍ ସିଟିରେ ମଧ୍ୟ ଜନସଂଖ୍ୟା ପ୍ରାୟତଃ ସମାନ । ସେହିଭଳି କୋଚିରେ ମେଟ୍ରୋର ମୋଟ୍ ଦୂରତା ୨୬ କିମି, ଆଉ ଟ୍ୱିନସିଟି ଭିତରେ ଦୂରତା ୩୦ କିମି । ହେଲେ ଭୁବନେଶ୍ୱରର ବିକାଶ ପାଇଁ କାମ କରୁଥିବା ଅଧିକାରୀ ମେଟ୍ରୋ ପାଇଁ ଯୋଜନା କରିବା ବଦଳରେ ବସ୍ ମାଧ୍ୟମରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଧାରିବାକୁ ବ୍ଲୁ-ପ୍ରିଂଟ୍ କରିଛନ୍ତି । ସହରରେ ମେଟ୍ରୋ ଭଳି ବ୍ୟବସ୍ଥା ବଦଳରେ ବସକୁ କାହିଁକି ମାଧ୍ୟମ କରିବାକୁ ଚାହୁଁଛନ୍ତି ବିଏମସି ଅଧିକାରୀ?

ସୂଚନା ଅନୁସାରେ, ବସ୍ ରାପିଡ୍ ଟ୍ରାନ୍ସପୋର୍ଟ ସିଷ୍ଟମ୍ ବା ବିଆରଟିଏସ୍କୁ ଭରସା କରୁଛି ନଗର ଉନ୍ନୟନ ବିଭାଗ । ଏନେଇ ଯୋଜନା ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । କୁହାଯାଉଛି, ମେଟ୍ରୋ ଟ୍ରେନକୁ ସ୍ମାର୍ଟସିଟିକୁ ଆଣିବା ପାଇଁ କିଛି ଅଧିକାରୀ ଚାହୁଁନାହାନ୍ତି । ହେଲେ ପ୍ରଶ୍ନ ଉଠୁଛି କାହିଁକି?

୨୦୧୮ ସୁଦ୍ଧା ଭୁବନେଶ୍ୱରରେ ବସ୍ ରାପିଡ୍ ଟ୍ରାନ୍ସପୋର୍ଟ ସିଷ୍ଟମ୍ ଆରମ୍ଭ କରିବାକୁ ଚୁଡାନ୍ତ ହୋଇଛି । ସହର ଭିତରେ ୩୦ କିମି ରାସ୍ତାରେ ତିଆରି ହେବ କରିଡର୍, ଏଥିପାଇଁ ଖର୍ଚ୍ଚ ହେବ ୪୬୦ କୋଟି ଟଙ୍କା । ଶିଶୁଭବନ, ବାଣୀବିହାର, ଆଚାର୍ଯ୍ୟବିହାର, ସୈନିକ ସ୍କୁଲ୍, ନାଲକୋ ସ୍କୋୟାର୍ ଓ କିଟ୍ ସ୍କୋୟାର୍ ଯାଏଁ ଏହି ରୁଟ୍ ତିଆରି ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ମହାନଗର ନିଗମରେ ଏହାକୁ ଲାଗୁ କରିବାକୁ ଯୋଜନା କରାଯାଇଛି ।

କୋଚିରେ ଯଦି କେନ୍ଦ୍ର ରାଜ୍ୟ ସହଭାଗିତାରେ ମେଟ୍ରୋ ଟ୍ରେନ୍ ଚାଲିପାରିଲା, ତେବେ ଭୁବନେଶ୍ୱର ଭଳି ସହରରେ ଗୋଟିଏ ଯୋଜନା ତିଆରି କରିବାରେ ଅସୁବିଧା କେଉଁଠି ରହୁଛି? କରିଡର୍ ତିଆରି କରି ବସ୍ ଗଡାଇବା ଓ ଏଥିପାଇଁ ନୂଆ ବସ୍ କିଣିବା ପାଇଁ ରାଜ୍ୟ ତହବିଲରୁ ଟଙ୍କା ଖର୍ଚ୍ଚ କରିବା ବଦଳରେ କେନ୍ଦ୍ରକୁ ମେଟ୍ରୋଟ୍ରେନ୍ ପାଇଁ ପ୍ରସ୍ତାବ ଦିଆଯିବା ଉଚିତ୍ ନୁହେଁ କି?

ଦେଶରେ ସ୍ମାର୍ଟସିଟିରେ ନମ୍ବର ୧ ଭୁବନେଶ୍ୱର । ସବୁ ଦୃଷ୍ଟିକୋଣରୁ ଏଠି ମେଟ୍ରୋ ଚାଲିବାର ବ୍ୟବସ୍ଥା ଅଛି । ହେଲେ ଅଧିକାରୀ ଚାହୁଁନାହାନ୍ତି ମେଟ୍ରେ। ଗଡୁ । ବିଏମସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି, ରାସ୍ତା ତିଆରି କରିବା ଓ ବସ୍ କିଣିବାରେ ହେରଫେର କରିବାର ଯଥେଷ୍ଟ ସୁଯୋଗ ରହିଛି । ଆଉ ମେଟ୍ରୋ ହେଲେ ତମାମ ବ୍ୟବସ୍ଥା ଅଧିକାରୀଙ୍କ ନିୟନ୍ତ୍ରଣରେ ରହିବନି । ତେଣୁ ସହର ପଛରେ ରହୁ, ପକେଟ ଗରମ ନ୍ୟାୟରେ ମେଟ୍ରୋ ଟ୍ରେନ୍ ଅପେକ୍ଷା ବସ୍କୁ ଗୁରୁତ୍ୱ ଦେଉଛନ୍ତି କିଛି ଅମଲା ।

ଟ୍ୱିନ୍ ସିଟି ତୁଳନାରେ ଅପେକ୍ଷାଜୃତ ଛୋଟ ସହରରେ ମଧ୍ୟ ମେଟ୍ରୋ ଚଲାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆସରିଛି । ତାଲିକାରେ ରହିଛି ଅମରାବତୀ-ବିଜୟୱାଡା । ସେହିପରି ୧୧ଟି ସହର ଚାହୁଁଛନ୍ତି ସେଠାରେ ମେଟ୍ରୋ ଗଡୁ । ହେଲେ ଭୁବନେଶ୍ୱରର ଭାଗ୍ୟ ଲେଖୁଥିବା ଅଧିକାରୀ କିନ୍ତୁ ମେଟ୍ରୋ ଚଲାଇବାକୁ ଅନାଗ୍ରହୀ ।