ସମ୍ ହସ୍ପିଟାଲରେ ନିଆଁ ! ଚହଲିଗଲା ସାରା ଦେଶ

59

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍  : ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି ନବୀନ କହିଛନ୍ତି। ସ୍ଥାନାନ୍ତର ହୋଇଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଦେବାକୁ ସେ ସରକାରୀ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଘରୋଇ ହସ୍ପିଟାଲ୍‌ଗୁଡ଼ିକ ମଧ୍ୟ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଳମ୍ବିତ ରାତିରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଯାଇ ମୃତାହତଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହାର ତଦନ୍ତ କେନ୍ଦ୍ରାଞ୍ଚଳ ଆର୍‌ଡିସି କରିବେ। ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେପେଟ ପ୍ରଧାନମନ୍ତ୍ରୀ ନରେଦ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ଏ ଅଘଟଣରେ ଗଭୀର ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ଟ୍ୱିଟର୍ ପୃଷ୍ଠାରେ ଲେଖିଛନ୍ତି, ଓଡ଼ିଶାର ସମ୍‌ ହସପିଟାଲରେ ଘଟିଥିବା ଦୁଃଖଦାୟକ ଅଗ୍ନିକାଣ୍ଡ ଘଟଣାରେ ମୁଁ ହତମ୍ଭଭ। ଏହି ଅଭାବନୀୟ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କ ପରିବାର ବର୍ଗଙ୍କୁ ମୁଁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ସମବେଦନା ଜଣାଉଛି।
ଏହା ସହ ନଡ୍ଡା ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ର ଡାକ୍ଟରଙ୍କ ସହିତ ସଂପର୍କରେ ରହି ଆହତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଭଳି ପରିବର୍ତ୍ତନ ଅଣାଯାଇପାରିବ, ସେ ବିଷୟରେ କଥାବାର୍ତ୍ତା କରିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁ, ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅମିିତ ଶାହା ମଧ୍ୟ ଅଗ୍ନିକାଣ୍ଡକୁ ନେଇ ଶୋକ ପ୍ରକାଶ କରିଛନ୍ତିି ।