ଦିନରେ ଲଣ୍ଠନ ଦେଖାଇବା ଡବଲ ଇଞ୍ଜିନ, ଲୋକଙ୍କ ସେବା କରିବା ନବୀନ ଇଞ୍ଜିନ । ବରଗଡରୁ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ୍ । ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ ।

89

କନକ ବ୍ୟୁରୋ: ବରଗଡରୁ ବିଜେପି ଉପରେ ବର୍ଷିଲେ ଭିକେ ପାଣ୍ଡିଆନ୍ । ସିଧା ସିଧା ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ୍ । ରବିବାର ବରଗଡରେ ନିର୍ବାଚନୀ ସଭା କରି ପାଣ୍ଡିଆନ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ବରଗଡ ଆସିଥିଲେ, ବହୁତ ବଡ ବଡ କଥା କହିକି ଗଲେ । ହେଲେ ସମ୍ବଲପୁରୀ, କୋଷଳୀ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ୫ ବର୍ଷ ହେଲା ପ୍ରସ୍ତାବ ପଠାଉଛନ୍ତି, ହେଲେ ବିଜେପି ସରକାର କଣ କଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏଥିସହ ଏହି ଅଞ୍ଚଳର ଜୀବନଧାରା ହେଉଛି ମହାନଦୀ ପାଣି । ଯେତେବେଳେ ଛତିଶଗଡରେ ବିଜେପି ସରକାର ଥିଲା, କେନ୍ଦ୍ରରେ ବିଜେପି ସରକାର ଥିଲା । ସେତେବେଳେ ଦୁଇ ଜଣ ମିଶି ଓଡିଶା ବିରୋଧରେ କାମ କଲେ । ମହାନଦୀ ଉପରେ ବେଆଇନ୍ ଭାବେ ଆଡିବନ୍ଧ ଆଉ ଡ୍ୟାମ ନିର୍ମାଣ କଲେ । ସିଡବ୍ଲ୍ୟୁସି ମଧ୍ୟ ଛତିଶଗଡକୁ ସହଯୋଗ କଲେ । କେନ୍ଦ୍ରମନ୍ତ୍ରୀ ମଧ୍ୟ ଛତିଶଗଡକୁ ସପୋର୍ଟ କଲେ । ହେଲେ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟ ଗଲେ, ସୁପ୍ରିମକୋର୍ଟ ଯାଇ ମହାନଦୀ ଟ୍ରିବ୍ୟୁନାଲ ଇନଷ୍ଟିଚ୍ୟୁଟ୍ କରାଗଲା । ତା ପରେ ଛତିଶଗଡର ଡ୍ୟାମ ବନ୍ଦ କରାଗଲା ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ କହିଲେ ଧାନର ରେଟ୍ ବୃଦ୍ଧି କରିବେ । ହେଲେ ୧୦ ବର୍ଷ ଶୋଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍ । ନିର୍ବାଚନ ସମୟରେ ଚାଷୀର କଥା ମନେ ପଡିଲାନି କି? ଚାଷୀମାନେ ନୂଆଦିଲ୍ଲୀରେ ଆନ୍ଦୋଳନ କଲେ, ଏବେ ଇଲେକ୍ସନ ୧୦ ଦିନ ଥିଲାବେଳେ ଧାନର ରେଟ୍ ବଢାଇବାକୁ କହୁଛନ୍ତି । ବିଜେପି ଯେହେତୁ ବହୁତ ପରିମାଣରେ ହାରୁଛନ୍ତି, ସେଥିପାଇଁ ସେ ମିଛ କଥା କହୁଛନ୍ତି । ଚାଷୀ ଭାଇମାନଙ୍କୁ ଭୂଆଁ ବୁଲେଇବାକୁ ବିଜେପି ଚେଷ୍ଟା କରୁଛି ବୋଲି ପାଣ୍ଡିଆନ୍ କହିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଏତେ ବର୍ଷ କେନ୍ଦ୍ରମନ୍ତ୍ରୀ ରହିଲେ । ହେଲେ ଗଙ୍ଗାଧର ମେହେରଙ୍କ ଏ ମାଟି ପାଇଁ କିଛି କଲେ କି? ସବୁକିଛି ନବୀନ ବାବୁ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଗୋଟେ ଟଙ୍କା ଖର୍ଚ୍ଚ କରିନାହାଁନ୍ତି । ବରଗଡରେ କ୍ୟାନସର ହେଉଛି ବଡ ସମସ୍ୟା । ସେଥିପାଇଁ କ୍ୟାନସର ହସ୍ପିଟାଲ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଆସିକି କହିଲେ, ବରଗଡରେ କ୍ୟାନସର ଚିକିତ୍ସା ପାଇଁ ବ୍ୟବସ୍ଥା କରିବୁ । ହେଲେ ଇଲେକ୍ସନ ପରେ ଭୁଲିଗଲେ । ବିଜେପୁର ଉପ ନିର୍ବାଚନ ବେଳେ ବରପାଲି ଷ୍ଟେସନରୁ ଏକ୍ସପ୍ରେସ ଚଲେଇବାକୁ କହି ଭୁଲିଗଲେ । କେନ୍ଦ୍ରମନ୍ତ୍ରୀ ବଡ ବଡ କଥା କହୁଛନ୍ତି, ଇଲେକ୍ସନ ସରିଲା ପରେ କିନ୍ତୁ ତାଙ୍କୁ ପାଇବେନି ବୋଲି କହିଛନ୍ତି ପାଣ୍ଡିଆନ୍ ।

ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସରକାର ମାଗଣାରେ ବିଜୁଳି ଦେବ । ଏଥିପାଇଁ ସୋଲାର ପ୍ୟାନେଲ ଲଗେଇବାକୁ ପଡିବ । ହେଲେ ସୋଲାର ପ୍ୟାନେଲ ଲଗେଇବାକୁ ୪୦ରୁ ୫୦ ହଜାର ଖର୍ଚ୍ଚ କରିବାକୁ ପଡିବ । ଏହା ହେଉଛି ଦିନରେ ଲଣ୍ଠନ ଦେଖାଇବା । ମୁଖ୍ୟମନ୍ତ୍ରୀ କିନ୍ତୁ ଏ ସବୁରେ ବିଶ୍ୱାସ କରନ୍ତିନି । ସେ କହିଛନ୍ତି ଜୁନ୍ ୯ରେ ଦାୟିତ୍ୱ ଗ୍ରହଣ କରିବେ, ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍ ବନ୍ଦ ହେବ । ଜୁଲାଇ ପରେ ଓଡିଶାର ୯୦ ପ୍ରତିଶତ ପରିବାରଙ୍କୁ ବିଜୁଳି ବିଲ୍ ଦେବାକୁ ପଡିବନି । ଦିନରେ ଲଣ୍ଠନ ଦେଖାଇବା ଡବଲ ଇଞ୍ଜିନ, ଲୋକଙ୍କ ସେବା କରିବା ନବୀନ ଇଞ୍ଜିନ । ଭତ୍ତା ୩୦୦ ଟଙ୍କା ଦେବା ଡବଲ ଇଞ୍ଜିନ, ୧୦୦୦ ଟଙ୍କା ଭତ୍ତା ଦେବା ନବୀନ ଇଞ୍ଜିନ ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ ।