ନବରଙ୍ଗପୁର ତେଲେଗାଁ ଗୋଷ୍ଠୀ ସଂଘର୍ଷ ଘଟଣା : ଉଭୟ ପକ୍ଷରୁ ୬ ଜଣଙ୍କୁ ଗିରଫ କଲା ପୁଲିସ

32

ନବରଙ୍ଗପୁର : ନବରଙ୍ଗପୁର ତେଲେଗାଁ ଗୋଷ୍ଠୀ ସଂଘର୍ଷ ଘଟଣାରେ ଉଭୟ ପକ୍ଷର ୬ଜଣଙ୍କୁ ଗିରଫ କରିଛି ପୋଲିସ । ଜଙ୍ଗଲ ଜମିକୁ ନେଇ ବିବାଦ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଫଳରେ ଉଭୟ ପକ୍ଷର ଦୁଇ ଜଣଙ୍କୁ ହତ୍ୟା କରାଯାଇଥିଲା । ଏପରିକି ବଳିରାମ ହରିଜନଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ବିରୋଧୀ ଗୋଷ୍ଠୀ । ସେପଟେ ଘଟଣାର ୩ ଦିନ ପରେ ଗାଁରେ ପହଂଚିଛନ୍ତି ନେତା, ମନ୍ତ୍ରୀ । ପରିବହନ ମନ୍ତ୍ରୀ ରମେଶ ମାଝୀ ତେଲେଗାଁରେ ପହଂଚି ମୃତକଙ୍କ ପରିବାରକୁ ଭେଟିଛନ୍ତି । ପରୋକ୍ଷରେ ପ୍ରଶାସନର ଭୁଲକୁ ମନ୍ତ୍ରୀ ସ୍ୱୀକାର କରିଥିବାବେଳେ ଭବିଷ୍ୟତରେ କିଭଳି ଏପରି ଘଟଣାର ପୁନରାବୃତି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି । ଘଟଣାର ତଦନ୍ତ ଚାଲିଛି ଓ ତଦନ୍ତ ପରେ ସତ୍ୟ ଜଣାପଡିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଘଟଣା ପାଇଁ ସ୍ଥାନୀୟ ତହସିଲଦାର ଓ ରେଞ୍ଜରଙ୍କୁ ଦାୟୀ କରିଛନ୍ତି । ଜଙ୍ଗଲ ଜମିକୁ ନେଇ ବିବାଦ ସଂପର୍କରେ ସ୍ଥାନୀୟ ପ୍ରଶାସନକୁ ଦୁଇବର୍ଷ ପୂର୍ବରୁ ଜଣାଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି ।