ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହେବାରୁ ଅଳ୍ପକେ ରହିଯାଇଥିଲେ ମୁଲାୟମ୍ । ପ୍ରଧାନମନ୍ତ୍ରୀ ବଦଳରେ ହୋଇଥିଲେ ଦେଶର ପ୍ରତିରକ୍ଷା ମନ୍ତ୍ରୀ । ପଢନ୍ତୁ, ସମ୍ପୂର୍ଣ୍ଣ ଷ୍ଟୋରୀ…

252

କନକ ବ୍ୟୁରୋ: ମୁଲାୟମ୍ ସିଂହ ଯାଦବ । ଆଠ ଥର ବିଧାୟକ, ସାତ ଥର ସାଂସଦ ଆଉ ତିନି ତିନି ଥର ଉତ୍ତର ପ୍ରଦେଶ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ । ଖାଲି ସେତିକି ନୁହେଁ, ଦେଶର ପ୍ରତିରକ୍ଷା ବିଭାଗର କେନ୍ଦ୍ରୀୟ ମନ୍ତ୍ରୀ ମଧ୍ୟ । ଆଜିର ଦିନରେ ଜଣେ ନେତାର ରାଜନୈତିକ କ୍ୟାରିୟର ଯେତିକି ବର୍ଷ ହେଇନଥିବ, ତାଠୁ ଅଧିକ ଦିନ କ୍ଷମତାରେ ରହିଥିଲେ ମୁଲାୟମ୍ ସିଂହ ଯାଦବ । ଆଉ ଆଜି ଏହି ଦିଗଜ୍ଜ ଜନନେତାଙ୍କ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।

ଦୀର୍ଘ ୫୫ ବର୍ଷର ରାଜନୈତିକ କ୍ୟାରିୟରରେ ମୁଲାୟମ୍ ଅନେକ ସଫଳତା ପାଇଥିଲେ, ବିଫଳତାକୁ ମଧ୍ୟ ପାଖରୁ ଦେଖିଥିଲେ । ଗୋଟିଏ ସାମାନ୍ୟ ଗାଁରୁ ଆସି ଗଣତାନ୍ତ୍ରିକ ବ୍ୟବସ୍ଥାର ଶୀର୍ଷରେ ପହଞ୍ଚିବା ହେଉ ଅବା ଉତ୍ତରପ୍ରଦେଶର ଶାସନ ଡୋରି ନିଜ ହାତରେ ଧରିବା, ମୁଲାୟମଙ୍କ ଏ ଯାତ୍ରା ବେଶ ରୋଚକପୂର୍ଣ୍ଣ ରହିଥିଲା । ନଜର ପକାନ୍ତୁ, ମୁଲାୟମଙ୍କ ରାଜନୈତିକ କ୍ୟାରିୟର ଉପରେ…

୮ ଥର ୟୁପି ବିଧାନସଭାରେ ବିଧାୟକ

ରାମ ମନୋହର ଲୋହିଆ ଆଉ ରାଜ ନାରାୟଣଙ୍କ ଦ୍ୱାରା ରାଜନୀତିର ଶିକ୍ଷା ପାଇଥିବା ମୁଲାୟମ୍ ଉତ୍ତରପ୍ରଦେଶର ଯଶବନ୍ତନଗର ବିଧାନସଭା ସିଟରୁ ୧୯୬୭ ମସିହାରେ ପ୍ରଥମ କରି ବିଧାୟକ ହୋଇଥିଲେ । ଏହାପରେ ୧୯୭୪ ମସିହାରେ ଭାରତୀୟ କ୍ରାନ୍ତି ଦଳରୁ ସେ ଠିକ୍ ସେହି ଆସନରୁ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ । ତା ପରେ ପରେ ୧୯୭୭ଠୁ ଆରମ୍ଭ କରି ୧୯୮୫, ୧୯୮୯,୧୯୯୧ ଆଉ ୧୯୯୩ ମସିହାରେ ମୁଲାୟମ୍ ସିଂହ ଲଗାତାର ଯଶବନ୍ତନଗର ବାସୀଙ୍କ ଆସ୍ଥା ଜିତିବା ସହିତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୬ରେ ମୁଲାୟମ୍ ସିଂହ ଏହି ସିଟରୁ ପୁଣିଥରେ ବିଧାୟକ ନିର୍ବାଚିତ ହୋଇଥିଲେ, ଆଉ ସେହିବର୍ଷ ହିଁ ସେ ଏହି ସିଟରୁ ଇସ୍ତଫା ଦେଇଥିଲେ ।

୭ ଥରର ସାଂସଦ ଥିଲେ ମୁଲାୟମ୍

ବିଧାୟକ ପଦରୁ ଇସ୍ତଫା ଦେବା ପରେ ୧୯୯୬ ମସିହାରେ ମୁଲାୟମ୍ ସିଂହ ଯାଦବ ପ୍ରଥମ କରି ମୈନପୁରୀ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୮ ମସିହାରେ ସେ ଦ୍ୱିତୀୟ ଥର ପାଇଁ ସାଂସଦ ନିର୍ବାଚିତ ହୋଇଥିଲେ । ବାସ୍ ଏହାପରେ ପରେ ୧୯୯୯ ମସିହାରେ ମୁଲାୟମ୍ କନୌଜ ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ ।

୧୯୯୯ ମସିହା ପରେ ୨୦୦୪ ମସିହାରେ ମୁଲାୟମ୍ ମୈନପୁରୀ ସିଟରୁ ପୁଣିଥରେ ସାଂସଦ ହେଇ ସଂସଦ ଭବନରେ ପହଞ୍ଚିଥିଲେ । ଆଉ ୨୦୦୯ରେ ପଞ୍ଚମ ଥର ପାଇଁ ସାଂସଦ ନିର୍ବାଚିତ ହୋଇଥିଲେ ମୁଲାୟମ୍ । ୨୦୦୯ ପରେ ଉଭୟ ୨୦୧୪ ଆଉ ୨୦୧୯ରେ ମଧ୍ୟ ଲୋକସଭା ନିର୍ବାଚନ ଲଢିଥିଲେ ନେତାଜୀ । ସାରା ଦେଶରେ ମୋଦୀ ହାଓ୍ୱା ସତ୍ତ୍ୱେ ନେତାଜୀ କିନ୍ତୁ ଲଗାତାର ନିର୍ବାଚନରେ ସଫଳତା ପାଇଚାଲିଥିଲେ ।

୩ ଥର ମୁଖ୍ୟମନ୍ତ୍ରୀ

ଖାଲି ବିଧାୟକ ଆଉ ସାଂସଦ ଭାବେ ନେତାଜୀ ମୁଲାୟମଙ୍କ ରାଜନୈତିକ କ୍ୟାରିୟର ସୀମିତ ରହିନଥିଲା । ଉତ୍ତରପ୍ରଦେଶ ଭଳି ରାଜ୍ୟର ଶାସନ ଡୋରିକୁ ମଧ୍ୟ ସେ ନିଜ ନିୟନ୍ତ୍ରଣରେ ରଖିବା ସହିତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପ୍ରଥମ କରି ୧୯୮୯ ମସିହାରେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୧୯୯୦ ମସିହାରେ କେନ୍ଦ୍ରରେ ଭିପି ସିଂହ ସରକାର ଭାଙ୍ଗିବା ପରେ ସେ ଚନ୍ଦ୍ରଶେଖରଙ୍କ ସହ ଜନତା ଦଳ (ସୋଶିଆଲିଷ୍ଟ)ସହ ମିଶି ଯାଇଥିଲେ ଆଉ କଂଗ୍ରେସ ସମର୍ଥନରେ ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ବଞ୍ଚେଇ ରଖିଥିଲେ । ତେବେ ୧୯୯୧ରେ ଯେତେବେଳେ କଂଗ୍ରେସ ମୁଲାୟମ୍ ସରକାରରୁ ନିଜ ସମର୍ଥନ ଫେରେଇ ନେଇଥିଲା, ସେତେବେଳେ ସରକାର ଭାଙ୍ଗିଯାଇଥିଲା ।

୧୯୮୯ ମସିହା ପରେ ୧୯୯୩ ମସିହାରେ ନେତାଜୀ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । ସେତେବେଳକୁ ସେ ସମାଜବାଦୀ ପାର୍ଟିର ଗଠନ କରିସାରିଥିଲେ । ୧୯୯୩ ମସିହା ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ମୁଲାୟମ୍ ସମାଜବାଦୀ ପାର୍ଟିର ଗଠନ କରିଥିଲେ । ଆଉ ସତ୍ତାକୁ ନିଜ ପାଖରେ ରଖିପାରିଥିଲେ । ତେବେ ୧୯୯୫ରେ ଠିକ୍ ୧୯୯୧ ମସିହାର ପୁନରାବୃତ୍ତି ହୋଇଥିଲା । ୧୯୯୧ ମସିହାରେ କଂଗ୍ରେସ ଭଳି ୧୯୯୫ ମସିହାରେ ମାୟାବତୀ ମୁଲାୟମ୍ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ । ଆଉ ଅଳ୍ପମତକୁ ଆସି ମୁଲାୟମ୍ ସରକାର ଭାଙ୍ଗି ଯାଇଥିଲା ।

ଏହାପରେ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ସିଟରୁ ଦୂରେଇ ରହିଥିଲେ ମୁଲାୟମ୍ । ତୃତୀୟ ଥର ପାଇଁ ସେ ୨୦୦୩ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୨୦୦୨ ମସିହାରେ ମାୟାବତୀ ଓ ବିଜେପି ଏକାଠି ହୋଇ ମୁଲାୟମଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ, ଆଉ ମାୟାବତୀ ସେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ୨୦୦୩ ମସିହା ଅଗଷ୍ଟ ୨୫ ତାରିଖରେ ବିଜେପି ନିଜ ସମର୍ଥନ ପ୍ରତ୍ୟାହାର କରିନେବା କାରଣରୁ ମାୟାବତୀ ସରକାର ଭାଙ୍ଗି ଯାଇଥିଲା । ଏହାପରେ ବିଏସପିର ଅସନ୍ତୁଷ୍ଟ ବିଧାୟକ, ସ୍ୱାଧୀନ ବିଧାୟକ ଓ ଅନ୍ୟ ଛୋଟ ଛୋଟ ଦଳର ସାହାଯ୍ୟ ନେଇ ମୁଲାୟମ୍ ନିଜ ସରକାର ଗଠନ କରିଥିଲେ ।

ଦେଶର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ରହିଥିଲେ ମୁଲାୟମ୍

୧୯୯୬ ମସିହାରେ ମୁଲାୟମ୍ ସିଂହ ଯାଦବ ମୈନପୁରୀ ଲୋକସଭା ଆସନରୁ ଜିତି ସଂସଦରେ ପହଞ୍ଚିଥିଲେ । ସେହିବର୍ଷ କେନ୍ଦ୍ରରେ ୟୁନାଇଟେଡ୍ ଫ୍ରଣ୍ଟର ସରକାର ଗଠନ କରିଥିଲା । ଆଉ ମୁଲାୟମ୍ ସିଂହ ଯାଦବଙ୍କ ସମର୍ଥନ ମଧ୍ୟ ଏହି ସରକାର ଉପରେ ଥିଲା । ଏହାପରେ ଏହି ସରକାରରେ ମୁଲାୟମ୍ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ ଏଚଡି ଦେବଗୌଡା । ତେବେ ଏ ସରକାର ବହୁତ ଦିନ ତିଷ୍ଠି ପାରିନଥିଲା । ୧୯୯୮ ମସିହାରେ ଏହି ସରକାର ଭାଙ୍ଗି ଯାଇଥିଲା ।ପ୍ରଧାନମନ୍ତ୍ରୀ ହେଉ ହେଉ ରହିଯାଇଥିଲେ ମୁଲାୟମ୍ …

୯୦ ଦଶକରେ ଏମିତି ବି ପରିସ୍ଥିତି ହେଇଥିଲା, ଯେତେବେଳେ ମୁଲାୟମ୍ ପ୍ରଧାନମନ୍ତ୍ରୀ ହେଉ ହେଉ ଅଳ୍ପରେ ରହିଯାଇଥିଲେ । ୧୯୯୬ ମସିହା ଲୋକସଭା ନିର୍ବାଚନରେ କଂଗ୍ରେସରୁ ବଡ ପରାଜୟ ଭୋଗିବାକୁ ପଡିଥିଲା । ଏହାପରେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ହେଲେ ଏହି ସରକାର ପାଖରେ ବହୁମତ ନଥିଲା । ବିଜେପି ଏହି ନିର୍ବାଚନରେ କେବଳ ୧୬୧ ସିଟ୍ ଜିତିପାରିଥିଲା । ତେଣୁ ଏହି ସରକାର ମାତ୍ର ୧୩ ଦିନରେ ଭାଙ୍ଗିଯାଇଥିଲା । ଅଟଳଙ୍କ ଇସ୍ତଫା ପରେ ଦେଶରେ କିଏ ନୂଆ ସରକାର ଗଢିବ ତାକୁ ନେଇ ରାଜନୀତି ଆରମ୍ଭ ହେଇଯାଇଥିଲା । ସେତେବେଳେ କଂଗ୍ରେସ ପାଖରେ ମଧ୍ୟ ସ୍ପଷ୍ଟ ବହୁମତ ନଥିଲା । କଂଗ୍ରେସ ପାଖରେ ସେତେବେଳେ ୧୪୧ ସାଂସଦ ରହିଥିଲେ ।

ଏହାପରେ ଦେଶରେ ଏକ ମିଳିତ ସରକାର ଗଠନ ହେବା ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଉ ପିଏମ୍ ପଦ ପାଇଁ ସବୁଠୁ ପ୍ରଥମେ ଭିପି ସିଂହ ଆଉ ଜ୍ୟୋତି ବସୁଙ୍କ ନାଁ ସାମ୍ନାକୁ ଆସିଥିଲା । ହେଲେ ଦୁଇ ନେତାଙ୍କ ନେଇ କୌଣସି ସହମତି ପ୍ରକାଶ ପାଇନଥିଲା । ଏହାପରେ ସାମ୍ନାକୁ ଆସିଥିଲା ଆଉ ଦୁଇଟି ନେତାଙ୍କ ନାଁ । ଜଣେ ବିହାରର ନେତା ଲାଲୁ ଯାଦବ ଥିବାବେଳେ, ଅନ୍ୟ ଜଣେ ଥିଲେ ୟୁପିର ନେତା ମୁଲାୟମ୍ ସିଂହ ଯାଦବ । ଲାଲୁ ସେତେବେଳକୁ ଚାରା ଘୋଟାଲାରେ ଫସି ସାରିଥିବାରୁ, ଏହି ରେସରୁ ସେ ଆଉଟ୍ ହୋଇଯାଇଥିଲେ । ମୁଲାୟମ୍ ସିଂହ ଯାଦବ ଏହାପରେ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ପକ୍କା ହେବା ନଜର ଆସୁଥିଲା । ହେଲେ ଶେଷ ମୂହୁର୍ତ୍ତରେ ଲାଲୁ ନିଜର ରାଜନୈତିକ ଚାଲ୍ ଖେଳିବା ସହିତ ମୁଲାୟମଙ୍କୁ ଏହି ରେସରୁ ହଟେଇବାରେ ସଫଳ ହେଇଥିଲେ । ଶେଷରେ ଏଚଡି ଦେବଗୌଡା ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ, ମୁଲାୟମ୍ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ ।

୧୯୯୯ ମସିହା ଲୋକସଭା ନିର୍ବାଚନରେ ମଧ୍ୟ କୌଣସି ଗୋଟିଏ ଦଳକୁ ସ୍ପଷ୍ଟ ବହୁମତ ମିଳିନଥିଲା । ସେତେବେଳେ ପୁଣିଥରେ ପିଏମ୍ ରେସରେ ଆଗୁଆ ରହିଥିଲେ ମୁଲାୟମ୍ । ହେଲେ ସେତେବେଳେ ପୁଣିଥରେ ତାଙ୍କ ନାଁକୁ ନେଇ ଯାଦବ ନେତାମାନେ ହିଁ ରାଜି ହୋଇନଥିଲେ । ମୁଲାୟମ୍ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ ତ ସତ, ହେଲେ ଲାଲୁ ଯାଦବ, ଶରଦ ଯାଦବ, ଚନ୍ଦ୍ରବାବୁ ନାଇଡୁ ଓ ଭିପି ସିଂହ ଭଳି ନେତାଙ୍କ ଯୋଗୁ ସେ ଏହି ପଦରେ ଶପଥ ନେଇପାରିନଥିଲେ ।