ମଧ୍ୟପ୍ରଦେଶରେ ଥମୁନାହିଁ ଦଳିତଙ୍କ ଉପରେ ଆକ୍ରମଣ । ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ ମା’କୁ ନିବସ୍ତ୍ର କରି ବୁଲାଇଲେ ଅପରାଧୀ

480

କନକ ବ୍ୟୁରୋ : ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଜଣେ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଘଟଣା ଏବେ ପୁଣିଥରେ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଛିଡା କରିଛି । ଅଭିଯୋଗ ମୁତାବକ କିଛି ଅସାମାଜିକ ଯୁବକ ଜଣେ ଝିଅ ସହିତ ବାରମ୍ବାର ଖରାପ ବ୍ୟବହାର କରୁଥିଲେ । ଏନେଇ ଝିଅର ଭାଇ ପ୍ରତିବାଦ କରିବାରୁ ଅସାମାଜିକ ଯୁବକମାନେ ଦଳିତ ଯୁବକଟିକୁ ପିଟି ପିଟି ହତ୍ୟା କରିବା ସହିତ ସଂପୃକ୍ତ ଯୁବକର ମା ଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଇଥିଲେ ।

ଜଣେ ଦଳିତ ଯୁବତୀଙ୍କୁ କିଛି ଅସାମାଜିକ ଯୁବକ ବାରମ୍ବାର ଖରାପ ବ୍ୟବହାର କରୁଥିଲେ । ଏନେଇ ଯୁବତୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଅପରାଧୀ ପ୍ରବୃତ୍ତିର ଏହି ଆସାମାଜିକ ଯୁବକମାନେ ଯୁବତୀଙ୍କ ପରିବାର ଲୋକଙ୍କୁ ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଉଥିଲେ । ହେଲେ ଯୁବତୀଙ୍କ ପରିବାର ଥାନାରୁ ମାମଲା ପ୍ରତ୍ୟାହାର ନକରିବାରୁ ଏଭଳି କାଣ୍ଡ ଘଟାଇଛନ୍ତି ସେହି ଆସାମାଜିକ ଯୁବକମାନେ ।

ଘଟଣା ସାମ୍ନାକୁ ଆସିବା ପରେ ଚିରାଚରିିତ ଢଙ୍ଗରେ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଟ୍ୱିଟ କରି ଏହି ଘଟଣାକୁ ନିନ୍ଦା କରିବା ସହ ଲେଖିଛନ୍ତି କି, ମଧ୍ୟ ପ୍ରଦେଶ ଏବେ ଦଳିତଙ୍କ ଉପରେ ଅତ୍ୟାଚାରର ଏକ ପ୍ରୟୋଗଶାଳା ହୋଇଯାଇଛି । ବିଜେପି ଶାସିତ ମଧ୍ୟ ପ୍ରଦେଶରେ ଦଳିତଙ୍କ ଉପରେ ସର୍ବାଧିକ ଆକ୍ରମଣ ହେଉଛି । ମୁଖ୍ୟମନ୍ତ୍ରୀ କେବଳ କ୍ୟାମେରା ସାମ୍ନାରେ ଦଳିତଙ୍କ ପାଦ ଧୋଇ ଦୋଷ ଲୁଚାଇବାକୁ ପ୍ରୟାସ କରୁଛନ୍ତି ବୋଲି ଖଡଗେ କଟାକ୍ଷ କରିଛନ୍ତି ।

ସୂଚନା ମୁତାବକ ଏହି ଘଟଣା ଖୁରଇ ଦେହାତ ଥାନା ଅଞ୍ଚଳରେ ଘଟିଛି । କିଛି ଅସାମାଜିକ ଯୁବକ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ଏନେଇ ଅଭିଯୋଗ ହେବା ପରେ ପୋଲିସ ତରଫରୁ ୧୨ ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି । ଏହାସହ ୯ଜଣଙ୍କୁ ଗିରଫ ମଧ୍ୟ କରିଛି ।