୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ : ତୃତୀୟ ସପ୍ତାହରେ ଓଡ଼ିଶା ପହଞ୍ଚିବା ସମ୍ଭାବନା

124

କନକ ବ୍ୟୁରୋ : ଦିନ ଗଡ଼ୁଛି । ହେଲେ ମୌସୁମୀର ଦେଖା ନାହିଁ । ପ୍ରଥମେ ଜୁନ୍‌ ୪ରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରାଯାଇଥିଲା । ଏହାପରେ ଜୁନ୍‌ ୬ ବୋଲି କହିଥିଲା ଭାରତୀୟ ପାଣିପାଗ ବିଭାଗ । ଏପରିକି ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ କେରଳରେ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା । ଗତକାଲି ମଧ୍ୟ ବିଭାଗ ସମାନ ଆକଳନ କରିଛି ।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଛୁଇଁବ । ଅର୍ଥାତ୍‌ ଜୁନ୍‌ ୮ରେ ଦକ୍ଷିଣ ପଶ୍ଚିମ ମୌସୁମୀ ଭାରତ ଭୂଖଣ୍ଡରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି । ଆହୁରି କୁହାଯାଇଛି ଯେ ୨ରୁ ୩ ଦିନ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ସକ୍ରିୟ ହେବ । ସେଠାରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । ଏଥିସହ କେରଳ ଓ ଏହାର ନିକଟବର୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହେବା ସହ ବର୍ଷା ହେବ ।

ଅନ୍ୟପକ୍ଷରେ କେରଳରେ ମୌସୁମୀ ପହଞ୍ଚିବାରେ ବିଳମ୍ବ ହୋଇଥିବାରୁ ଓଡ଼ିଶା ଉପରେ ବି ତାହାର ପ୍ରଭାବ ପଡ଼ିଛି । ନିର୍ଦ୍ଧାରିତ ସମୟ ଜୁନ୍ ୧୦ ବଦଳରେ ଜୁନ୍‌ ତୃତୀୟ ସପ୍ତାହରେ ଏଥର ମୌସୁମୀ ଓଡ଼ିଶାରେ ପହଞ୍ଚିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ତେ‌ବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ପର‌୍ୟ୍ୟନ୍ତ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଲାଗିରହିବ । ୮ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ବାଲେଶ୍ବର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।

 

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଥିବାରୁ ଆଜି ବହୁ ସ୍ଥାନରେ ତାପମାତ୍ରା କମିଛି । ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ଆଜି କେବଳ ୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଥିଲା । ଆଜି ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରି ରହିଥିବା ବେଳେ ହୀରାକୁଦରେ ୪୨.୧, ସୋନପୁରରେ ୪୨, ଝାରସୁଗୁଡ଼ାରେ ୪୧.୮ ଡିଗ୍ରି ରେକର୍ଡ ହୋଇଛି । ଭୁବନେଶ୍ୱର ଓ କଟକରେ ଯଥାକ୍ରମେ ତାପମାତ୍ରା ୩୪.୬ ଏବଂ ୩୫ ଡିଗ୍ରି ରହିଥିଲା । ଗତକାଲି ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ସହ ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲାରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା । ଏଥିସହ ବଜ୍ରପାତ ମଧ୍ୟ ହୋଇଥିଲା ।