ଭାରତରେ ମଙ୍କିପକ୍ସ ସଂକ୍ରମିତ! କେରଳରୁ ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ।

179

କନକ ବ୍ୟୁରୋ: ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ସଂକ୍ରମଣ ଚିନ୍ତା ବଢାଇଛି । ଏଭଳି ସ୍ଥିତି ସୃଷ୍ଟି ହୋଇଛି ଯେ ସମସ୍ତେ ଭୟରେ ରହିଛନ୍ତି । ଭାରତରେ ମଧ୍ୟ ଏହାକୁ ନେଇ ସତର୍କତା ଜାରିକରାଯାଇଛି । କେରଳରେ ଜଣେ ମଙ୍କିପକ୍ସ ସନ୍ଦିଗ୍ଧ ମିଳିଥିବା ସୂଚନା ମିଳିଛି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି ଯେ ସଂଯୁକ୍ତ ଆରବ ଏମିରେଟସରୁ ଫେରିଥିବା ଜଣେ ବ୍ୟକ୍ତି ମଙ୍କିପକ୍ସ ଲକ୍ଷଣ ଦେଖାଦେଇଛି । ତାଙ୍କ ସାମ୍ପୁଲ ଟେଷ୍ଟ ପାଇଁ ପୁଣେ ପଠାଯାଇଛି ।

କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷଣ ଥିବା ବ୍ୟକ୍ତିଙ୍କ ସାମ୍ପୁଲ ନେଇ ଯାଞ୍ଚ ଜାରି ରହିଛି । ପୁଣେରେ ଥିବା ଟେଷ୍ଟିଂ ଲାବକୁ ଟେଷ୍ଟିଂ ପାଇଁ ପଠାଯାଇଛି । ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ଲକ୍ଷଣ ଦେଖାଯାଉଛି ସେ ବିଦେଶୀରୁ ସଂକ୍ରମଣର ଶିକାର ହୋଇ ଦେଶକୁ ଫେରିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ପଙ୍କିପକ୍ସ ପଶୁଙ୍କ ଠାରୁ ମଣିଷଙ୍କୁ ସଂକ୍ରମିତ ହୋଇଥାଏ । ଏହି ରୋଗ ବିଶେଷ କରି ପଶ୍ଚିମ ଏବଂ ମଧ୍ୟ ଆମେରିକାରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୬୦ରୁ ଅଧିକ ଦେଶରେ ଏହି ଭାଇରସ ବ୍ୟାପି ସାରିଛି । ଏହି ଦେଶରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୪ ଶହରୁ ଅଧିକ । ୧୨ ଜୁଲାଇ ଯାଏଁ ବ୍ରିଟେନରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ୧୭୩୫ ରହିଛି ।