ଲାଇଭ୍ ବକ୍ସିଂ ମ୍ୟାଚରେ ଅଜବ ଦୃଶ୍ୟ । ବକ୍ସରଙ୍କ ପଞ୍ଚରେ ପ୍ରତିଦ୍ୱନ୍ଦୀ ବକ୍ସରଙ୍କ ମୃତ୍ୟୁ

721

କନକ ବ୍ୟୁରୋ : ସାରା ବିଶ୍ୱରେ ଅନେକ ଖେଳର ଆୟୋଜନ କରାଯାଉଛି । ଏହାସହ ଖେଳ ଚାଲିଥିବା ବେଳେ ଅନେକ ଘଟଣା ଓ ଦୁର୍ଘଟଣା ବି ଦେଖିବାକୁ ମିଳିଥାଏ । ଏଭଳି ଏକ ଦୁର୍ଘଟଣା ବେଙ୍ଗାଲୋରରେ ଦେଖିବାକୁ ମିଳିଛି । ଏଠାରେ ଆୟୋଜିତ ଏକ ବକ୍ସିଂ ମ୍ୟାଚରେ ଜଣେ ବକ୍ସରଙ୍କର ମୃତ୍ୟୁ ହୋଇଯାଇଛି । ଆଘାତ ଲାଗିବା ପରେ ବକ୍ସର ଜଣଙ୍କ କୋମାକୁ ଚାଲିଯାଇଥିଲେ ଓ ୨ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ଏଭଳି ଘଟଣା ଜୁଲାଇ ୧୦ ତାରିଖରେ ଘଟିଛି । ବେଙ୍ଗାଲୋରରେ ଜନାଭରତୀ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ବକ୍ସିଂ ମ୍ୟାଚର ଆୟୋଜନ କରାଯାଇଥିଲା । ଗୋଟିଏ ମୁକାବିଲାରେ ନବୀନ ଓ ନିଖିଲ ନାମକ ଦୁଇ ବକ୍ସର ରିଙ୍ଗକୁ ଓହ୍ଲାଇଥିଲେ । ଏହି କ୍ରମରେ ନବୀନ ନିଖିଲଙ୍କୁ ଏକ ପଞ୍ଚ ମାରିଥିଲେ ଓ ନିଖିଲ ତଳେ ପଡିଯାଇଥିଲେ । ଅନେକ ଚେଷ୍ଟା ପରେ ଯେତେବେଳେ ନିଖିଲ ଉଠି ନଥିଲେ ତାଙ୍କୁ ଆୟୋଜନ କର୍ତ୍ତାମାନେ ମେଡିକାଲ ନେଇ ଯାଇଥିଲେ । ସେଠାରେ ୨ ଦିନ ଚିକିତ୍ସା ପରେ ନିଖିଲଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣା ପରେ ବେଙ୍ଗାଲୋର ପୋଲିସ ପକ୍ଷରୁ ଆୟୋଜନକାରୀ ଓ ପ୍ରତିଦ୍ୱନ୍ଦୀ ଖେଳାଳୀ ନବୀନଙ୍କ ବିରୋଧରେ ଆଇପିସିର ଧାରା ୩୦୪(କ) ଆଧାରରେ ଦାୟୀତ୍ୱହୀନତା ପାଇଁ ଏକ ମାମଲା ରୁଜୁ କରିଛି । ସେପଟେ ମୃତ ନିଖିଲଙ୍କ ପିତା ବି ଜଣେ ପ୍ରସିଦ୍ଧ କରାଟେ ଖେଳାଳୀ ବୋଲି ଜଣାପଡିଛି । ନିଖିଲଙ୍କ ମୃତ୍ୟୁକୁ ନେଇ ଦୁଖ ପ୍ରକାଶ କରିଛନ୍ତି କୋଚ୍ ବିକ୍ରମ ନାଗରାଜ ।