ଆମେରିକା ଓ ବ୍ରିଟେନରେ ବ୍ୟାପୁଛି ମଙ୍କିପକ୍ସ । ବନ୍ଦର ଓ ବିମାନ ବନ୍ଦର ଗୁଡିକୁ ଆଲର୍ଟ କଲେ ସରକାର।

96

କନକ ବ୍ୟୁରୋ: ସାରା ବିଶ୍ୱର ମଙ୍କିପକ୍ସ ମାମଲା ସାମ୍ନାକୁ ଆସିବାକୁ ଲାଗିଛି । ଏହାରି ଭିତରେ ଚିନ୍ତା ବଢାଇଛି ୟୁରୋପ । ଏଠାରେ ରେକର୍ଡ ସଂଖ୍ୟକ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ ୟୁରୋପରେ ଶହେରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଏହାପରେ ଭାରତ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି ।

ଭାରତରେ ସତର୍କତା

– ଆମେରିକା ଓ ବ୍ରିଟେନ ସମେତ ଏକାଧିକ ଦେଶରେ ମଙ୍କିପକ୍ସ ଭୂତାଣୁ ବ୍ୟାପୁଛି 

– ବନ୍ଦର ଓ ବିମାନ ବନ୍ଦରଗୁଡିକୁ ଆଲର୍ଟ କରିଛନ୍ତି କେନ୍ଦ୍ର ସରକାର

– ମଙ୍କିପକ୍ସ ଆକ୍ରାନ୍ତ ଦେଶରୁ ଆସୁଥିବା ଯେକୌଣସି ଅସୁସ୍ଥ ବ୍ୟକ୍ତିଙ୍କ ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି

– ସଂଗରୋଧରେ ରଖି ନମୂନା ସଂଗ୍ରହ କରିବା ସହ ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିକୁ ପଠାଇବା ପାଇଁ କୁହାଯାଇଛି

ବ୍ରିଟେନ୍ ଓ ଆମେରିକା ପରେ ଫ୍ରାନ୍ସ, ଇଟାଲୀ, ସ୍ୱିଡେନ୍, କାନାଡା, ଅଷ୍ଟ୍ରେଲିଆ, ସ୍ପେନ୍ ଓ ପର୍ତୁଗାଲରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ୧୩ରୁ ଅଧିକ ମାମଲା କାନାଡାରୁ ଚିହ୍ନଟ ହୋଇଛି । ବ୍ରିଟେନ୍ରେ ମଙ୍କିପକ୍ସର ପ୍ରଥମ ମାମଲା ମେ’ ୭ ତାରିଖରେ ଚିହ୍ନଟ ହୋଇଥିଲା । ମଙ୍କିପକ୍ସରେ ଆକ୍ରାନ୍ତ ଯୁବକ ଜଣଙ୍କ ନାଇଜେରିଆରୁ ଫେରିଥିଲେ । ହେଲେ ତାଙ୍କ ସହ ଯାତ୍ରା କରିଥିବା ଅନ୍ୟମାନଙ୍କ ପାଇଁ କୌଣସି ବିପଦ ନଥିବା କୁହାଯାଉଛି । ଏହା ପରଠାରୁ ଆଉ ୮ ଜଣ ସଂକ୍ରମିତ ହୋଇଥିବା ବ୍ରିଟେନ୍ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା । ସ୍ପେନ ଓ ପର୍ତୁଗାଲରେ ୪୦ଟି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି ।

ବଡକଥା ହେଉଛି ସଂକ୍ରମିତ ହୋଇଥିବା ମାଙ୍କଡ କିମ୍ବା କୁକୁର ଭଳି ପଶୁ କାମୁଡିବା ଫଳରେ ଏହା ମଣିଷଙ୍କୁ ସଂକ୍ରମିତ ହୋଇଥାଏ । କିମ୍ବା ସଂକ୍ରମିତ ପ୍ରାଣୀଙ୍କ ରକ୍ତ, ଲାଳ, ଲୋମକୁ ଛୁଇଁବା ଫଳରେ ଏହା ବ୍ୟାପିବାର ଆଶଙ୍କା ରହିଛି । ଏହା ବ୍ୟତୀତ ସଂକ୍ରମିତ ରୋଗୀଙ୍କ ବିଛଣା, ପୋଷାକ ମାଧ୍ୟମରେ ବି ଏହା ବ୍ୟାପିପାରେ । ମଣିଷ ଦେହରେ ଏହି ସଂକ୍ରମଣ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହୁଛି । ଦେହର ବିଭିନ୍ନ ଭାଗରେ ଫଳିଯିବା କିମ୍ବା ବଡବଡ ଫୋଟକା ହେବା ଏବଂ ଜ୍ୱର ହେବା ଭଳି ଲକ୍ଷଣ ଦେଖାଯାଉଛି । ଭାରତରେ ଏହି ରୋଗ ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ ।