କରୋନା ମୁକାବିଲା ପାଇଁ ସାରାଦେଶରେ ମକଡ୍ରିଲ୍। ମେଡିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲରେ ଭତ୍ତିିଭୂମିର କରାଗଲା ତଦାରଖ।

76

କନକ ବ୍ୟୁରୋ: ଯେଉଁ ଦୋଷ-ଦୁର୍ବଳତା କରୋନାର ଦ୍ୱିତୀୟ ଲହରରେ ରହିଯାଇଥିଲା, ସେହି ଭୁଲର ଯେମିତି ପୁନରାବୃତ୍ତି ନହେବ, ସେଥିପାଇଁ ଆଗକୁ ପ୍ରସ୍ତୁତ ହେଉଛି ଭାରତ । ବିଏଫ୍-୭ ଭାରିଆଣ୍ଟର ଭୟାବତାକୁ ଦୃଷ୍ଟିରେ ରଖି, ଦେଶର ସମସ୍ତ ପ୍ରମୁଖ ହସ୍ପିଟାଲରେ ହୋଇଛି ମହାମାରୀ ମୁକାବିଲାର ପ୍ରସ୍ତୁତି । ଯଦି ଭାରତରେ ସଂକ୍ରମଣ ବଢ଼େ, ସ୍ଥିତିର ମୁକାବିଲା କେମିତି କରାଯିବ ସେନେଇ ସାରା ଦେଶରେ ହୋଇଛି ମକଡ୍ରିଲ୍ । ଏହି ମକଡ୍ରିଲରେ ଭେଣ୍ଟିଲେଟର ବ୍ୟବସ୍ଥା, ଅକ୍ସିଜେନର ସୁବିଧା, କୋଭିଡ୍ ବେଡ୍, ସଙ୍ଗରୋଧ ଗୃହ, କୋଭିଡ ପରୀକ୍ଷା, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତି, ମହଜୁଦ ଔଷଧ ସମେତ ହସ୍ପିଟାଲ ଭିତ୍ତିଭୂମିର ତଦାରଖ ଓ ଅନୁଧାନ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲ ଯାଇ କୋଭିଡ ମକଡ୍ରିଲର ସମୀକ୍ଷା କରିଥିବା ବେଳେ ବାରଣାସୀର ଏକ ହସ୍ପିଟାଲକୁ ଯାଇ ସ୍ଥିତିର ଅନୁଧ୍ୟାନ କରିିଥିଲେ ୟୁପି ଉପ-ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ବି ସ୍ୱାସ୍ଥ୍ୟ ବିଭାଗର ପ୍ରତ୍ୟକ୍ଷ ନିରୀକ୍ଷଣରେ ହୋଇଥିଲା ମକଡ୍ରିଲ୍ ।

ଯଦିଓ ଭାରତର କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି ତଥାପି ସାପ୍ତାହିକ ସଂକ୍ରମଣ ୧୧% ବୃଦ୍ଧିପାଇଛି । ୨ମାସ କ୍ରମାଗତ ସଂକ୍ରମଣ କମିବା ପରେ ଏବେ ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ ଓ ହିମାଚଳ ପ୍ରଦେଶରେ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ସୋମବାର ଭାରତ ଫେରିଥିବା ୨୩ଜଣ କରୋନା ଚିହ୍ନଟ ହୋଇଛନ୍ତି । ବେଙ୍ଗାଲୁର, କୋଲକାତା, ବୁଦ୍ଧଗୟାକୁ ଫେରିଥିବା ଏହି ଯାତ୍ରୀଙ୍କ ଚିକିତ୍ସା ଚାଲିଛି । ତେବେ ବିଶ୍ୱର ସ୍ଥିତି ଚିନ୍ତାର କାରଣ ବଢ଼ାଇଛି । ଗତ ସପ୍ତାହରେ ଜାପାନରେ ହାରାହାରି ଏକ ଲକ୍ଷ ୩୦ ହଜାର ମାମଲା ସାମ୍ନାକୁ ଆସିଛି । ଆମେରିକା ଓ ଦକ୍ଷିଣ କୋରିଆରେ ୫୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ଜର୍ମାନୀ, ବ୍ରାଜିଲ ଓ ଫ୍ରାନ୍ସରେ କରୋନା ମାମଲା ୩୦ରୁ ୫୦ ହଜାର ଭିତରେ ରହିଛି ।

ଏସବୁ ଭିତରେ ବିଦେଶ ଫେରନ୍ତାଙ୍କ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ବୁଷ୍ଟର ଡୋଜ୍ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ଭାରତ ବାୟୋଟେକର ନାଜାଲ ଭ୍ୟାକସିନକୁ ମଧ୍ୟ ଅନୁମତି ମିଳିଛି । ଆଉ କର୍ଣ୍ଣାଟକ ସମେତ ଅନ୍ୟ କିଛି ରାଜ୍ୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷାକରିବା ଭଳି ସତର୍କତା ପାଳନ ପାଇଁ ଜନସାଧାରଣଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି ।