ଦିଲ୍ଲୀ ଗଲା ପୋଲିସ୍ । ନିଖୋଜ ଏମ୍ସ ଡାକ୍ତରୀ ଛାତ୍ରଙ୍କୁ ଖୋଜିବାକୁ ଦିଲ୍ଲୀ ଗଲା କମିସନରେଟ ପୋଲିସ, ୨୭ ଦିନ ହେବ ସୋହେଲଙ୍କ ମିଳୁନି ପତା

32

କନକ ବ୍ୟୁରୋ: ଭୁବନେଶ୍ୱରର ଏମ୍ସ୍ରୁ କଶ୍ମୀର ଛାତ୍ର ନିଖୋଜ ମାମଲା । ଆଜି ଦିଲ୍ଲୀ ଯାଇଛନ୍ତି କମିସନରେଟ ପୋଲିସର ଏକ ତିନି ଜଣିଆ ଟିମ । ଦିଲ୍ଲୀ ସ୍ଥିତ ନିଜ ସଂପର୍କୀୟଙ୍କ ଘରେ ସୋହେଲ ଏଜାଜ ଥିବା ସୂଚନା ପାଇ ଦିଲ୍ଲୀ ଯାଇଛି ଟିମ । ନିଖୋଜ ଛାତ୍ରଙ୍କ ପିତା ଦେଇଥିବା ସୂଚନା ଆଧାରରେ ଦିଲ୍ଲୀ ନିକଟ ଗୁରୁଗ୍ରାମରେ ଖୋଳତାଡ କରିବ କମିସନରେଟ ପୋଲିସର ଟିମ ।

ଗୁରୁଗ୍ରାମରେ ନିଖୋଜ ସୋହଲଙ୍କୁ ଏକ ସୁରକ୍ଷାକର୍ମୀ ଦେଖିଥିବା ନେଇ ଗଣମାଧ୍ୟମର ଖବର ପ୍ରକାଶ ପାଇଥିଲା । ଏହାପରେ ସୋହଲଙ୍କ ପିତାଙ୍କ ଠାରୁ ସୂଚନା ପାଇ ଦିଲ୍ଲୀ ଯାଇଛି କମିସନରେଟ ପୋଲିସ । ୨ ଦିନ ତଳେ ଭୁବନେଶ୍ୱର ବରମୁଣ୍ଡାରେ ମାଓବାଦୀ ନାମରେ ଏକ ପୋଷ୍ଟର ମାରି ସୋହେଲଙ୍କୁ ଅପହରଣ କରିନେଇଥିବା ଦାବି କରାଯାଇଥିଲା । ଆଉ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଖୁଲାସ କଲେ ସୋହେଲଙ୍କୁ ଛଡାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିଲା । ହେଲେ ପୋଲିସ ପୋଷ୍ଟରର ଖୋଳତାଡ କରି ସୋହେଲଙ୍କ ନିଖୋଜ ପଛରେ ମାଓବାଦୀଙ୍କ ହାତ ନାହିଁ ବୋଲି ଜାଣିବାକୁ ପାଇଛି ।

ତେବେ ଏମ୍ସରେ ପଢୁଥିବା ଜମ୍ମୁ କଶ୍ମୀର କୁପୱାଡା ଅଂଚଳର ସୋହେଲ ଏଜାଜ ଗତ ଫେବ୍ରୁଆରୀ ୯ତାରିଖ ଠାରୁ ନିଖୋଜ ଅଛନ୍ତି । ସେହିଦିନ ଠାରୁ ସେ ତାଙ୍କ ପରିବାର କିମ୍ବା କୌଣସି ବନ୍ଧୁଙ୍କ ସହ ଯୋଗାଯୋଗ କରିନାହାନ୍ତି ।