ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ! ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

146

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ରାଜ୍ୟର ୨ ହଜାର ୯୫୩ ସେଂଟରରେ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଆଜି ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ । ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟରେ ୭ ଶହ ନୋଡାଲ ସେଂଟର କରାଯାଇଛି । ବୁଧବାରଠାରୁ ନୋଡାଲ ସେଂଟରରେ ପ୍ରଶ୍ନପତ୍ର ପହଂଚି ସାରିଥିଲା ।

ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣା ବୋର୍ଡକୁ ହରଡଘଣାରେ ପକାଉଥିବାରୁ ଚଳିତ ବର୍ଷ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଂଚାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଂଚାଇବା ପାଇଁ ବୋର୍ଡ ପକ୍ଷରୁ ୭୦୧ଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଜଣେ ଲେଖାଏଁ ପୋଲିସ ଅଛନ୍ତି । ପ୍ରଶ୍ନପତ୍ରକୁ ସକାଳ ୬ଟାରୁ ୮ ଟା ଭିତରେ ପରୀକ୍ଷା କେନ୍ଦ୍ରରେ ପହଂଚାଯାଇଥିଲା । ପ୍ରଶ୍ନପତ୍ରକୁ ତ୍ରିସ୍ତରର କଭର ବ୍ୟବସ୍ଥାରେ ଅଣାଯାଇଛି । ସକାଳ ୯ଟାରୁ ୯ଟା ୩୦ ଭିତରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଛନ୍ତି । ମାଟ୍ରିକ ପରୀକ୍ଷାର ସୁରକ୍ଷା ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ।