ରହସ୍ୟରେ ଭରା ୯ ଶହ ବର୍ଷର ଏମାର ମଠ । ଉଚ୍ଛେଦ ବେଳେ ମିଳିଲା ସୁଢ଼ଙ୍ଗ, ଭୂତଳ ଘରର ଠାବ । ମିଳିଲା ସିନ୍ଦୁକର ସନ୍ଧାନ ! ରହିଛି କି ଗୁପ୍ତ ଧନ ?

1,188

କନକ ବ୍ୟୁରୋ : ପୁରୀର ବହୁ ଚର୍ଚ୍ଚିତ ଏମାର ମଠକୁ ଭାଙ୍ଗିବା ସମୟରେ ନୂଆ ନୂଆ ରହସ୍ୟ ସାମ୍ନାକୁ ଆସିଛି । କେହି ଜାଣିନଥିଲେ, ୯ ଶହ ବର୍ଷର ଏହି ପୁରୁଣା ମଠ ଭିତରେ କ’ଣ ସବୁ ଲୁଚି ରହିଛି । ମଠ ଭାଙ୍ଗିବା ବେଳେ ସମସ୍ତଙ୍କ କୌତୁହଳ ବି ବଢ଼ୁଥିଲା । ମଠର ପଛ ପାଶ୍ୱର୍ କାନ୍ଥକୁ ବୁଲଡୋଜର ଭାଙ୍ଗି ଭାଙ୍ଗି ଯାଉଥିବା ବେଳେ ସକାଳ ପ୍ରାୟ ୧୦ଟାରେ ଦେଖିବାକୁ ମିଳିଲା, ମାଟି ତଳେ ଲୁଚି ରହିଥିବା ଏକ ଗୁପ୍ତ କୋଠରୀ । ଯାହା ଭିତରକୁ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ଯାଇ ଯାଂଚ କରିଥିଲେ । ସକାଳ ଏହାକୁ ନେଇ ଉତ୍କଣ୍ଠା ବଢୁଥିବା ବେଳେ ସଂଧ୍ୟା ବେଳେ ସାମନାକୁ ଆସିଥିଲା, ସୁଢ଼ଙ୍ଗ ଭଳି ଦେଖା ଯାଉଥିବା ଏକ ଭୂତଳ କୋଠରୀ । ଯାହା କେତେ ବାଟ ପର୍ଯ୍ୟନ୍ତ ଲମ୍ବିଛି, ତାହା ଏବେ ବି ରହସ୍ୟ ଘେରରେ ରହିଛି ।

ଭାଙ୍ଗୁଛି ଏମାର ମଠ । ଫିଟୁଛି ରହସ୍ୟ, ବଢୁଛି ଉତ୍କଣ୍ଠା । କିଛି ଦିନର କସରତ ପରେ ଏମାର ମଠ ଭାଙ୍ଗୁଛି ପ୍ରଶାସନ । ରାଜ୍ୟର ସବୁଠୁ ବିତଶାଳୀ ମଠ ଉପରେ ବୁଲଡୋଜର ଚାଲିବା ପରେ ଏମିତି କିଛି ରହସ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚମକାଇ ଦେଇଛି ।

୯୦୦ ବର୍ଷ ଧରି ୬ ଏକର ଜମି ଉପରେ ଠିଆ ହୋଇଥିବା ଏମାର ମଠ ସହ ସଂସ୍କୃତି ଓ ପରମ୍ପରା ଯେତିକି ଯୋଡି ହୋଇରହିଛି, ମାଟି ତଳେ ଲୁଚି ରହିଛି ଏହାଠାରୁ ଅନେକ ଗୁମର । ମଠର ପଛ ପାଶ୍ୱର୍ କାନ୍ଥ ଉପରେ ବୁଲଡୋଜର ଚାଲିବା ପରେ ରହସ୍ୟ ବଢ଼ିବାରେ ଲାଗିଛି । ବିରାଟ ଗୁପ୍ତ ସୁଢ଼ଙ୍ଗ ଠାବ ହେବା ପରେ ଭିତରରେ କ’ଣ ରହିଛି, ଏହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ସୁଢ଼ଙ୍ଗର ଭିତର ପଟ ଯେତିକି ଅନ୍ଧାର ଦେଖାଯାଉଛି, ସେତିକି ରହସ୍ୟବୃତ ହୋଇ ଯାଇଛି ଏମାର ମଠ । ସୁଢ଼ଙ୍ଗର ସନ୍ଧାନ ପରେ ସେହି ଅଂଚଳକୁ ପୋଲିସ କର୍ଡନ କରି କବଜାକୁ ନେଇଛି ।

ମିଳିଲା ସୁଢ଼ଙ୍ଗ, ଭୂତଳ ଘରର ଠାବ । ମିଳିଲା ସିନ୍ଦୁକର ସନ୍ଧାନ ! ରହିଛି କି ଗୁପ୍ତ ଧନ ? ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, କ’ଣ ରହିଛି ଏମାର ମଠର ମାଟି ତଳେ ? କାହିଁକି ତିଆରି ହୋଇଥିଲା ଗୁପ୍ତ ସୁଢ଼ଙ୍ଗ ଓ ଭୂତଳ ପ୍ରାସାଦ? ୨୦୧୧ରେ ୧୮ ଟନ୍ ରୂପା ଇଟା ମଠର କାନ୍ଥରୁ ଉଦ୍ଧାର ହୋଇଥିଲା । ଏବେ ମଠ ଭଙ୍ଗାହେବା ବେଳେ ଠାବ ହୋଇଥିବା ସୁଢ଼ଙ୍ଗ ଓ ଭୂତଳ ଘରକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।

ପୂର୍ବାହ୍ନରେ ଯେତେବେଳେ ଏମାର ମଠର ପଛ ପାଶ୍ୱର୍ ଭଙ୍ଗା କାମ ଆରମ୍ଭ ହୋଇଥିଲା, ସେତେବେଳେ ଏକ ବିସ୍ତୀର୍ଣ୍ଣ ଭୂତଳ ଘରର ସନ୍ଧାନ ମିଳିଥିଲା । ପୂର୍ବରୁ ସଜାଗ ହୋଇ ରହିଥିବା ସ୍ନେକ୍ ହେଲ୍ପ ଲାଇନର କର୍ମକର୍ତା ଘର ଭିତରକୁ ଯାଇ ସାପ ଅଛି କି ଯାଂଚ କରିଥିଲେ ।

ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଏମାର ମଠ, ରାଜ୍ୟର ସବୁଠୁ ବଡ଼ ମଠ ବୋଲି କୁହାଯାଏ । ପୁରୀର ମଠ ସଂସ୍କୃତିର ପ୍ରତୀକ ସାଜିଥିବା ଏହି ମଠରେ ବିପୁଳ ଧନସଂପତି ରହିଥିଲା । ପୂର୍ବରୁ ୫୨୨ ଖଣ୍ଡ ରୂପା ଇଟା ବାହାରି ଥିବାରୁ ଏହି ବିଶ୍ୱାସ ଆହୁରି ଦୃଢ଼ ହୋଇଥିଲା । ଏବେ ଗୁପ୍ତ ସୁଢ଼ଙ୍ଗ ଓ ଭୂତଳ ପ୍ରାସାଦ ଠାବ ହେବା ପରେ ମାଟି ତଳେ କ’ଣ ରହିଛି, ଏହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।