ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ପ୍ରତିକ୍ରିୟା ରଖିଲେ ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । କହିଲେ, ଫିଲ୍ମରେ ଦେଖାଯାଇଛି ଅନେକ ମିଛ କଥା । 

812

କନକ ବ୍ୟୁରୋ: କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମାଣ ହୋଇଥିବା ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଏବେ ହିଟ୍ ସାବ୍ୟସ୍ତ ହୋଇଛି । ଗୋଟିଏ ସପ୍ତାହ ଭିତରେ ଫିଲ୍ମର ରୋଜଗାର ୧୦୦ କୋଟିରୁ ଅଧିକ ଟଙ୍କା ହୋଇସାରିଲାଣି । ଖାଲି ସେତିକି ନୁହେଁ, ଫିଲ୍ମକୁ ନେଇ ରାଜନୈତିକ ବୟାନ ବାଜି ମଧ୍ୟ ଲାଗି ରହିଛି । ଗୋଟିଏ ପଟେ ବିଜେପି ନେତାମାନେ ଏହି ଫିଲ୍ମର ଢେରସାରା ପ୍ରଶଂସା କରୁଥିବାବେଳେ, କଂଗ୍ରେସ ସମେତ ଅନ୍ୟ କିଛି ଦଳ ଏହି ଫିଲ୍ମରେ ସମ୍ପୂର୍ଣ୍ଣ ସତ କଥା ବର୍ଣ୍ଣନା କରାଯାଇନି ବୋଲି ଅଭିଯୋଗ କରୁଛନ୍ତି । ଆଉ ଏହାରି ଭିତରେ ଏହି ଫିଲ୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ।

ଓମାର ଅବଦୁଲ୍ଲାଙ୍କ କହିବା କଥା, ଏହି ଫିଲ୍ମରେ ଅନେକ ମିଛ କଥାକୁ ଦେଖାଯାଇଛି । ଯେତେବେଳେ କାଶ୍ମୀରରେ ହିନ୍ଦୁ ପଣ୍ଡିତମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା, ସେତେବେଳେ ଫାରୁକ୍ ଅବଦୁଲ୍ଲା ଜାମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ନଥିଲେ । ବଂର ଏହି ସମୟରେ ଜାମ୍ମୁକାଶ୍ମୀରରେ ରାଜ୍ୟପାଳ ଶାସନ ଜାରି ରହିଥିଲା । ଏହାସହିତ ଦେଶରେ ସେତେବେଳେ ବି.ପି ସିଂହ ସରକାର ଶାସନରେ ଥିବାବେଳେ, ଏହାକୁ ବିଜେପି ସମର୍ଥନ କରୁଥିଲା ବୋଲି ଓମାର ଅବଦୁଲ୍ଲା କହିଛନ୍ତି ।

ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆୟୋଜିତ ଏକ ରାଲିରେ ଯୋଗ ଦେଇ ଓମାର ଅବଦୁଲ୍ଲା ଗଣମାଧ୍ୟମକୁ ଏପରି କଥା କହିଛନ୍ତି । ଏହି ଫିଲ୍ମ ଏକ ଡକ୍ୟୁମେଣ୍ଟ୍ରି ବୋଲି ମଧ୍ୟ ସେ ସ୍ପଷ୍ଟ କରିନାହାଁନ୍ତି । ତା ସହିତ କାଶ୍ମୀର ପଣ୍ଡିତ ଏକାକି ନୁହଁନ୍ତି, ମୁସଲିମ୍ ଓ ଶିଖ୍ ମଧ୍ୟ ଏହି ସମୟରେ ନିର୍ଯ୍ୟାତନାର ଶିକାର ହୋଇଥିଲେ । ସେମାନଙ୍କୁ ମଧ୍ୟ କାଶ୍ମୀରରୁ ପଳାୟନ କରିବାକୁ ପଡିଥିଲା, ଯେଉଁମାନେ ଏପର୍ଯ୍ୟନ୍ତ କାଶ୍ମୀରକୁ ଫେରିନାହାଁନ୍ତିି ।