କେନ୍ଦ୍ର ବିରୋଧରେ ମମତା ବାନାର୍ଜୀଙ୍କ ମୋର୍ଚ୍ଚା: ଅଣ-ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତାଙ୍କୁ ଚିଠି ଲେଖିଲେ ଦିଦି 

193

କନକ ବ୍ୟୁରୋ: ଅଣବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଚିଠିରେ ଭାରତୀୟ ଜନତା ପାର୍ଟି ବିରୋଧରେ ଏକଜୁଟ ହୋଇ ଲଢେଇ କରିବାକୁ ନିବେଦନ କରିଛନ୍ତି ମମତା । କେବଳ ସେତିକି ନୁହେଁ ଭାଜପା ବିରୋଧରେ ମୋର୍ଚ୍ଚାକୁ ସୁଦୃଢ କରିବା ପାଇଁ ବୈଠକ କରିବାକୁ ଅପିଲ କରିଛନ୍ତି ବେଙ୍ଗଲର ଦିଦି ।

କେନ୍ଦ୍ରର ବିଜେପି ସରକାର ବିରୋଧରେ ପୁଣିଥରେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଲାଗିପଡିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ପରିପ୍ରେକ୍ଷୀରେ ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖିଛନ୍ତି ଦିଦି । ଏହି ଚିଠିରେ କେନ୍ଦ୍ର ଭାଜପା ବିରୋଧରେ ଏକତ୍ରିତ ହେବାକୁ କହିଛନ୍ତି ମମତା । ଏହି ଚିଠିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲେଖିଛନ୍ତି –

“ଅତ୍ୟାଚାରୀ କେନ୍ଦ୍ର ବିରୋଧରେ ଲଢେଇ ପାଇଁ ସବୁ ପ୍ରଗତିଶୀଳ ଶକ୍ତିକୁ ଏକତ୍ରିତ ହେବାର ସମୟ ଆସିଛି । ସମସ୍ତ ବିରୋଧୀ ଏକଜୁଟ ହେଲେ ଦେଶବାସୀଙ୍କୁ ତାଙ୍କ ମନପସନ୍ଦର ସରକାର ମିଳି ପାରିବ । କେନ୍ଦ୍ରର ମୋଦୀ ସରକାର ପ୍ରବର୍ତନ ନିର୍ଦ୍ଦେଶାଳୟ, ସିବିଆଇ, ଆୟକର ବିଭାଗ ଭଳି ସବୁ କେନ୍ଦ୍ରୀୟ ସଂସ୍ଥା ଗୁଡିକର ଦୁରୁପଯୋଗ କରୁଛି । ବିଜେପି ଏହି ସଂସ୍ଥା ଗୁଡିକର ଉପଯୋଗ ନିଜ ଫାଇଦା ପାଇଁ କରୁଛି । ଆମକୁ ବିଜେପିର ଏଭଳି କାର୍ଯ୍ୟକୁ ମିଳିମିଶି ବିରୋଧ କରିବା ଉଚିତ୍ ।”

ବୀରଭୂମ ହିଂସାକାଣ୍ଡକୁ ନେଇ ଏବେ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଘଟଣାର ତଦନ୍ତ ଭାର ସିବିଆଇ ହାତକୁ ଯିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତରଫରୁ ବିଜେପି ବିରୋଧରେ ଏହି ଉଦ୍ୟମ କରାଯାଇଥିବା କୁହାଯାଉଛି ।

ପଶ୍ଚିମବଙ୍ଗ ବୀରଭୂମ ହିଂସାକାଣ୍ଡକୁ ନେଇ ବିଜେପି ବନାମ – ଟିଏମସି ବୟାନବାଜି ଜାରି ରହିଛି । ହିଂସାକାଣ୍ଡକୁ ନେଇ ପରସ୍ପରକୁ ଆରୋପ – ପ୍ରତ୍ୟାରୋପ କରିବାରେ ଲାଗିଛନ୍ତି ଉଭୟ ଦଳ ନେତା । ମଙ୍ଗଳବାର ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା କହିଛନ୍ତି – ଭଲ ହୋଇଛି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି । କୋଲକତା ହାଇକୋର୍ଟ ଭାବିଚିନ୍ତି ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ମଧ୍ୟ ଜାଣିଛନ୍ତି- ପଶ୍ଚିମ ବଙ୍ଗରେ ନାୟ ମିଳିବା ଅସମ୍ଭବ ।

ଗତ ୨୧ ମାର୍ଚ୍ଚରେ ବୀରଭୂମରେ ୧୦ ଜଣଙ୍କୁ ଅମାନବୀୟ ନିର୍ଜାତନା ଦେବା ପରେ କୋଠରି ବନ୍ଦ କରି ନିଆଁ ଲଗାଇଦେଇଥିଲେ ଟିଏମସି ସମର୍ଥକ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୨୦ ଜଣଙ୍କୁ ପୁଲିସ ଗିରଫ କରିଛି । ଶୁକ୍ରବାର ମାମାଲା ସିବିଆଇ କୁ ହସ୍ତାନ୍ତର କରାଯାଇଛି ।