ଚକିତ କରୁଛି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି । ଯେଉଁଠି ହାତ ମାରୁଛି ଭିଜିଲାନ୍ସ ସେଇଠୁ ବାହାରୁଛି ପୁଳାପୁଳା ଟଙ୍କା ଓ ସୁନା ।

149

କନକ ବ୍ୟୁରୋ : ଭିଜିଲାନ୍ସ ଯେଉଁଠି ହାତ ମାରୁଛି, ସେଇଠି ପୁଳା ପୁଳା ଟଙ୍କା ଓ ସୁନା ପାଉଛି । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ହୋଇଥିବା ରେଡ, ସମସ୍ତଙ୍କୁ ଚକିତ କରିଦେଇଛି । କେଜି କେଜି ସୁନା ବାହାରୁଛି, ଘରୁ କୋଟି କୋଟି ନଗଦ ଅର୍ଥ ମିଳୁଛି । ଏତେ ଟଙ୍କା ଆସିଲା କେଉଁଠୁ, ବିକାଶମୂଳକ କାର୍ଯ୍ୟରେ ପିସି ନେଇ ଏକ ରାଜକୀୟ ଜୀବନ ବଞ୍ଚୁଥିଲେ କି ଏହି ବାବୁ ଜଣକ । ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଗ ଜୋନ-୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଟଙ୍କା ଦେଖି ଖାଲି ଭିଜିଲାନ୍ସ ନୁହେଁ, ସାରା ଓଡିଶା ଆଶ୍ଚର୍ଯ୍ୟ ହୋଇଯାଇଛି । ପ୍ରାୟ ୧ ଲକ୍ଷ ଟଙ୍କା ଦରମା ପାଉଥିବା ଅଧୀକ୍ଷଣ ଯନ୍ତ୍ରୀ ଏତେ ବିପୁଳ ସମ୍ପତିର ମାଲିକ କେମିତି ହେଲେ ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ତାଙ୍କ ଘରେ ଯୁଆଡେ ଦେଖିବେ, ଖାଲି ପୁଳା ପୁଳା ଟଙ୍କା ।

ଟଙ୍କା ପରେ ସୁନା କଲା ଆଶ୍ଚର୍ଯ୍ୟ । ମିଳିଲା ପ୍ରାୟ ଦେଢ କିଲୋ ସୁନା । ଖାଲି ଟଙ୍କା ନୁହେଁ, ଏହି ଅସାଧୁ ସରକାରୀ କର୍ମଚାରୀ ପୁଳାଏ ସୁନା ବି ରଖିଛନ୍ତି । ପୂର୍ବରୁ ତାଙ୍କ ଘରୁ ୧ କେଜି ୨ ଶହ ଗ୍ରାମ ସୁନା ଓ ସୁନା ଅଳଙ୍କାର ଜବତ ହୋଇଥିଲା । ଏବେ ପୁଣି ଲକରରୁ ୩୮୫ ଗ୍ରାମ ସୁନା ଓ ସୁନା ଅଳଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ସେଥିରେ ୧୦ଟି ୧୦ଗ୍ରାମ ଓଜନର ସ୍ୱର୍ଣ୍ଣ ମୁଦ୍ରା, ୪ଟି ସୁନା ଚେନ, ୨ଟି ସୁନା ଚୁଡି ରହିଛି । ୫ ଦିନର ଚଢାଉରେ ଯନ୍ତ୍ରୀ ଆଶିଷ ଦାସଙ୍କ ପ୍ରାୟ ୧୨ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରିଛି ଭିଜିଲାନ୍ସ ।

ଅଧୀକ୍ଷଣ ଯନ୍ତ୍ରୀ ଭାବେ ଆଶିଷ ଦାସ, ୨ବର୍ଷ ପୂର୍ବେ ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ ରେ ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ ସହ ସ୍ୱାଭିମାନ ଅଞ୍ଚଳରେ ରାସ୍ତା ତିଆରି କାମର ତଦାରଖ କରି ମୋଟା ଅଙ୍କର ପିସି ଆଦାୟ କରୁଥିଲେ । କେବଳ ସ୍ୱାଭିମାନ ଅଞ୍ଚଳରେ ୩ଶହରୁ ଅଧିକ କୋଟି ଟଙ୍କାର ରାସ୍ତା ନିର୍ମାଣ କାମ ଚାଲିଛି । ଏଥିରୁ ଆଶିଷ ଦାସ କମିସନ ଆଦାୟ କରି ପାଣ୍ଠି ବଢାଇଥିବା ଅଭିଯୋଗ ହେଉଛି ।

କଳା ସମ୍ପତିର କୁବେର ଆଶିଷ ଦାସ । ପିସି ଆଦାୟ କରି ବଢାଉଥିଲେ କଳା ଧନ । କେବଳ ସ୍ୱାଭିମାନ ଅଂଚଳରେ ୩ଶହରୁ ଅଧିକ କୋଟି ଟଙ୍କାର ରାସ୍ତା ନିର୍ମାଣ କାମ ଜାରି ରହିଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ବିଜୁ ସଡକ ଯୋଜନା, ସେତୁ ଯୋଜନାରେ ଚାଲିଥିବା ରାସ୍ତା ନିର୍ମାଣ କାମରେ ମୋଟା ଅଙ୍କର ପିସି ଆଦାୟ କରୁଥିଲେ ଆଶିଷ କୁମାର ଦାସ । ବିଶେଷ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଥମ କରି ପାହାଡ କାଟି ରାସ୍ତା ନିର୍ମାଣ ଚାଲିଥିବା ବେଳେ ସେଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ହୋଇଛି, ରାସ୍ତା ନିର୍ମାଣ କାମରେ ୧୫ରୁ ୨୦% ପିସି ନେଉଥିଲା ଗ୍ରାମ୍ୟ ନିର୍ମାଣ ବିଭାଗ । ସେଥିରୁ ସିଂହ ଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ପକେଟକୁ ଆସୁଥିଲା । ପାହାଡ କାଟି ରାସ୍ତା ତିଆରି କାମରେ ୫୦% ପିସି ଆଦାୟ ହେଉଥିଲା । ଅନେକ ଫର୍ଜି ବିଲ୍ କରି କୋଟି କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ କଥା ହେଉଛି, ଲୋକଙ୍କ ଟଙ୍କା ଖାଇ, ଗରିବଙ୍କ ଯୋଜନାରୁ ଲୁଟ କରୁଥିବା ଆଶିଷ ଦାସଙ୍କ ପରି ଲୋକଙ୍କୁ ଦୁର୍ନୀତି କରିବାକୁ ସୁଯୋଗ ମିଳୁଛି କେମିତି । ସେ ବର୍ଷ ବର୍ଷ ଧରି ଚୋରି କରି ଚାଲିଥିବେ, ଆଉ ଏମାନଙ୍କୁ ଏତେ ସମୟ ଯାଏଁ ଦୁର୍ନୀତି କରିବାକୁ କେଉଁମାନେ ସହାୟତା କରୁଛନ୍ତି, ତାହା ବି ବଡ ପ୍ରଶ୍ନ ।