କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଏକାଠି ହେଉଛି ମହାପଞ୍ଚାୟତ । ଚାଷୀନେତା ଚଢୁନୀ କହିଲେ, ନିଆଯିବ ବଡ ନିଷ୍ପତ୍ତି

171

କନକ ବ୍ୟୁରୋ : କୁସ୍ତିସଂଘର ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ଧାରଣାରେ ବସିଥିବା ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଜି ସୋନିପତ ଠାରେ ମହାପଞ୍ଚାୟତ ଅନୁଷ୍ଠିତ ହେଉଛି । ସୋନିପତର ମୁଣ୍ଡଲାନା ଠାରେ ଥିବା ଏକ ଷ୍ଟାଡିୟମରେ ଏହି ମହାପଞ୍ଚାୟତ ଅନୁଷ୍ଠିତ ହେଉଛି । ଭାରତୀୟ କିଷାନ ୟୁନିୟନ (ବିକେୟୁ) ତରଫରୁ ଆୟୋଜିତ ମହାପଞ୍ଚାୟତରେ କିଛି ବଡ ନିଷ୍ପତ୍ତି ନିଆଯିବ ବୋଲି କୃଷକ ନେତା ଚଢୁନୀ କହିଛନ୍ତି ।

ଏହି ମହାପଞ୍ଚାୟତରେ ହିମାଚଳପ୍ରଦେଶ ସମେତ ପଞ୍ଜାବ, ଉତ୍ତରପ୍ରଦେଶର କୃଷକ ସଂଗଠନର ସଦସ୍ୟ ଓ ନେତାମାନେ ଏକାଠି ହେଉଛନ୍ତି । ଏହି ମହାପଞ୍ଚାୟତ ପାଇଁ ୪ ଏକ ଜମି ଉପରେ ମଞ୍ଚ ତିଆରି କରାଯାଇଛି । ଏହି ମହାପଞ୍ଚାୟତରେ କୁସ୍ତିଯୋଦ୍ଧାଙ୍କ ସମସ୍ୟା ସହ ଅନ୍ୟ ସମସ୍ୟା ଉପରେ ଆଲୋଚନା ହେବ । ଏହି ମହାପଞ୍ଚାୟତରେ କୁସ୍ତିଯୋଦ୍ଧା, କୃଷକ ସଂଗଠନ ସହ ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମଧ୍ୟ ଯୋଗ ଦେବେ । ଏହାସହ ଜୟନ୍ତ ଚୌଧୁରୀ, ଚନ୍ଦ୍ରଶେଖର ଆଜାଦ ମଧ୍ୟ ଯୋଗ ଦେଉଥିବା ସୂଚନା ରହିଛି ।

ସେପଟେ ରାଷ୍ଟ୍ରୀୟ ନ୍ୟାସନାଲ ଲୋକଦଳର ବିଧାୟକ ଗୁଲାମ ମହମ୍ମଦ କହିଛନ୍ତି କି ଆଜି ଏହି ମହାପଞ୍ଚାୟତରେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଏକ ବଡ ନିଷ୍ପତ୍ତି ନିଆଯିବ । କେନ୍ଦ୍ର ସରକାର ବ୍ରିଜ ଭୂଷଣଙ୍କ ବିରୋଧରେ ପଦକ୍ଷେପ ନେଉ ନଥିବାରୁ କୃଷକ ମହାପଞ୍ଚାୟତ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେବ ।

ଅନ୍ୟପଟେ ବ୍ରିଜଭୂଷଣ ଗଣମାଧ୍ୟମରେ ଯେଭଳି ବୟାନ ଦେଉଛନ୍ତି ତାହା ଲଜ୍ଜାଜନକ ବୋଲି ବିଧାୟକ ଗୁଲାମ ମହମ୍ମଦ କହିଛନ୍ତି । ସେ କହିଛନ୍ତି କି ଯଦି କୌଣସି ବ୍ୟକ୍ତିଙ୍କ ଉପରେ ପୋକ୍ସୋ ଆଇନ ଆଧାରରେ ମାମଲା ରୁଜୁ ହେଉଛି ତେବେ ତୁରନ୍ତ ଗିରଫ କରାଯିବା କଥା । ହେଲେ ସରକାର ବ୍ରିଜଭୂଷଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ଆଇନକୁ ପାଦରେ ଦଳି ଦେଇଛନ୍ତି ବୋଲି ସେ କହିଛନ୍ତି ।