ଶ୍ରୀଲଙ୍କାରେ ଆହୁରି ଗମ୍ଭୀର ହେଲା ଆର୍ଥିକ ସଂକଟ : ବିଦେଶୀ ଋଣ ସୁଝିବାକୁ ଅସମର୍ଥ ରାଜପାକ୍ସେ ସରକାର; ବିପଦ ବେଳର ବନ୍ଧୁ ଭାବେ ସହାୟତା କରୁଛି ଭାରତ

293

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଆହୁରି ଗମ୍ଭୀର ହେବାରେ ଲାଗିଛି । ଫଳରେ ବିଦେଶୀ ରୁଣ ଶୁଝିବାକୁ ଅସାମର୍ଥ୍ୟ ପ୍ରକାଶ କରିଛି କଲମ୍ବୋ । ଶ୍ରୀଲଙ୍କା ଇତିହାସରେ ଏହା ପ୍ରଥମ ଘଟଣା । ଦେଶର ରୁଣଭାର ଏତେ ବଢି ଯାଇଛି ଯେ, ଇଏମଆଇ ଶୁଝି ପାରୁନାହିଁ । ଯାହାର ଅର୍ଥ ଗୋଟିଏ ଦେଶ ଦେବାଳିଆ ହୋଇଯାଇଛି । କାରଣ ଶ୍ରୀଲଙ୍କା ପାଖରେ ଅଛି ମୋଟ୍ ୫୦ କୋଟି ଡଲାର । ଅନ୍ତର୍ଜାତୀୟ ବଜାରରେ ମୁଖ୍ୟତଃ ଡଲାରରେ କାରବାର ହୋଇଥାଏ ।

ତେଣୁ ବିଦେଶରୁ ଅଧିକ ଆମଦାନୀ କରୁଥିବା ଏକ ଦେଶ ପାଖରେ ମାତ୍ର ୫୦ କୋଟି ଡଲାର ମହଜୁଦ ରହିବା ଅତି ସାଂଘାତିକ ସ୍ଥିତି । ଆଗାମୀ ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ଆବେଦନ କରିବ ଶ୍ରୀଲଙ୍କା । ହେଲେ ଏହା ପୂର୍ବରୁ ରାଜପାକ୍ସେ ପରିବାର କ୍ଷମତାଚ୍ୟୁତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ବିରୋଧୀ ଦଳଗୁଡିକ ରାଜପାକ୍ସେ ପରିବାରକୁ ସରକାରରୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛନ୍ତି । ଏହି କ୍ରମରେ ୩ଟି ପ୍ରସ୍ତାବ ଉପରେ କାମ କରୁଛନ୍ତି ବିରୋଧୀ ଦଳ । ପ୍ରଥମେ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ ।

ଦ୍ୱିତୀୟରେ ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଅଣାଯିବ । ଫଳରେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ସେ ଓ ତାଙ୍କ ସରକାରଙ୍କୁ କ୍ଷମତାଚ୍ୟୁତ କରାଯିବ । ଏବଂ ଶେଷରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ରହିଛି । ଶ୍ରୀଲଙ୍କା ସମ୍ବିଧାନର ଅନୁଚ୍ଛେଦ ୨୦ରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ଏହା ସରକାରକୁ ଦୁର୍ବଳ କରୁଥିବାରୁ ଏହି ଅନୁଚ୍ଛେଦକୁ ଉଠାଇ ଦେବାପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରୁଛନ୍ତି । ସରକାରଙ୍କ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀଙ୍କୁ ସାଧାରଣ ନାଗରିକଙ୍କ ସମର୍ଥନ ମଧ୍ୟ ରହିଛି ।

ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଗମ୍ଭୀର ହେଉଥିବାବେଳେ ବିପଦର ବନ୍ଧୁ ଭାବେ ଆଗକୁ ଆସିଛି ଭାରତ । ପଡୋଷୀକୁ ନିୟମିତ ସହୟତା ଯୋଗାଇ ଆସୁଛି ନୂଆଦିଲ୍ଲୀ ।

– ଗତ ୩ ମାସ ମଧ୍ୟରେ ପ୍ରାୟ ୨୫୦ କୋଟି ଡଲାରର ସହାୟତା ପଠାଇଛି ଭାରତ
– ମାର୍ଚ୍ଚ ମଧ୍ୟଭାଗରୁ ୨ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍ ପେଟ୍ରୋଲ ଓ ଡିଜେଲ ପଠାଇଛି
– ଆଗୁଆ ରୁଣ ଆକାରରେ ପ୍ରାୟ ୪୦ ହଜାର ଟନ୍ ଚାଉଳ ପଠାଇଛନ୍ତି ମୋଦୀ ସରକାର
– ସିଂହଳି ଓ ତାମିଲ ନୂଆବର୍ଷ ଅବସରରେ ୧୧ ହଜାର ମେଟ୍ରିକ ଟନ ଚାଉଳ ପଠାଯାଇଥିଲା
– ଫେବ୍ରୁଆରୀରେ ମଧ୍ୟ ପେଟ୍ରୋଲ ଓ ଡିଜେଲ କିଣିବାକୁ ୫୦ ହଜାର କୋଟି ଡଲାର ରୁଣ ଦେଇଥିଲା ଭାରତ
– ୨୦୨୧ ନଭେମ୍ବରରେ ୧୦୦ ଟନ୍ ନାଇଟ୍ରୋଜେନ ଲିକୁଇଡ ଫର୍ଟିଲାଇଜର ପଠାଇଥିଲା
– ଶ୍ରୀଲଙ୍କାବାସୀଙ୍କ ସହୟତା ପାଇଁ ଏପ୍ରିଲ ୧୦ରେ ପରିବା ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ପଠାଇଥିଲା ଭାରତ
– ବଳକା ଥିବା ଚିନି, ଗହମ ଓ ଚାଉଳ ମଧ୍ୟ ଜାହାଜରେ ଭର୍ତ୍ତି କରି ପଠାଇଥିଲା ଭାରତ