ହାଇକୋର୍ଟଙ୍କ ଜାମିନ ନିର୍ଦ୍ଦେଶକୁ ଅବମାନନା ଅଭିଯୋଗ! ସାତପଡା ଫାଣ୍ଡି ଭିତରେ ଧସେଇ ପଶି ଲୁଲୁ ସେନା ପକ୍ଷରୁ ଭଙ୍ଗାରୁଜା

37

କନକ ବ୍ୟୁରୋ: ହାଇକୋର୍ଟଙ୍କ ଜାମିନ ନିର୍ଦ୍ଦେଶକୁ ତଦନ୍ତକାରୀ ଅଧିକାରୀ ଅବମାନନା କରି ଜାମିନ ନ ଦେବା ଅଭିଯୋଗରେ ଲୁଲୁ ସେନାର ଭଙ୍ଗାରୁଜା । ସାତପଡା ଫାଣ୍ଡି ଭିତରେ ଧସେଇ ପଶି ଭଙ୍ଗାରୁଜା କରିଛନ୍ତି ଲୁଲୁ ସେନା । ଗତକାଲି ଫାଣ୍ଡିରେ ପ୍ରାୟ ଅଧଘଂଟା ଯାଏଁ ଅପ୍ରୀତିକରି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଖବର ଅନୁସାରେ, ପଂଚାୟତ ନିର୍ବାଚନ ସମୟର ଏକ ମାମଲାରେ ସଂପୃକ୍ତ ଅଭିଯୁକ୍ତ ଜାମିନ ପାଇଥିଲେ । କିନ୍ତୁ ଫାଣ୍ଡି ଅଧିକାରୀ ଜାମିନ ପାଇଁ ମନା କରିବାରୁ ସ୍ଥିତି ବିଗିଡିଯାଇଥିଲା । ଲୁଲୁସେନାର କର୍ମୀ ଫାଣ୍ଡିରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ପୋଲିସ ଫୋର୍ସ ପହଂଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସେପେଟେ ବିଶୃଙ୍ଖଳା ନେଇ ଲୁଲୁସେନା ସଫେଇ ଦେଇଛି, ଏହା ହେଉଛି ସାଧାରଣ ଜନତାଙ୍କ ଆକ୍ରୋଶର ଫଳ । ଭଙ୍ଗାରୁଜାରେ ଲୁଲୁସେନାର ହାତ ନାହିଁ ।

ଅପରପକ୍ଷରେ ଅତିରିକ୍ତ ଏସପିଙ୍କ କହିବା କଥା ହେଲେ, କିଛି ଯୁବକ ନିଜକୁ ଲୁଲୁ ସେନାର ପରିଚୟଦେଇ ଫାଣ୍ଡିରେ ଭଙ୍ଗାରୁଜା କରିଛନ୍ତି । ପଥରମାଡରେ ଚେୟାର ଟେବୁଲ ଓ ଟାଇପ ମେସିନ ସହ ପୋଲିସ ଜିପ ବି ଭାଙ୍ଗିଯାଇଛି । ତେବେ ଆଜି ମଧ୍ୟ ଫଣ୍ଡି ଅଂଚଳରେ ଚାପା ଉତେଜନା ଲାଗି ରହିଛି । ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।