ପଞ୍ଜାବ ଲୁଧିଆନା କୋର୍ଟର ୱାସରୁମ ଭିତରେ ଭୟଙ୍କର ବିସ୍ଫୋରଣ, ୨ ମୃତ ୫ ଗୁରୁତର

149

କନକ ବ୍ୟୁରୋ : ପାଖେଇ ଆସୁଛି ନିର୍ବାଚନ ବଢୁଛି ହିଂସା । ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ବୋମା ବିସ୍ଫୋରଣ ପରେ ଆଜି ପଞ୍ଜାବର ଲୁଧିଆନା ଠାରେ ଥିବା କୋର୍ଟର ୱାସରୁମ ଭିତରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।

ସୂଚନା ପାଇବା ପରେ ପୋଲିସ ସେଠାରେ ପହଂଚି ତନାଘନା ଆରମ୍ଭ କରିଛି । ହେଲେ ବିସ୍ଫୋରଣର କାରଣ ଜଣାପଡି ନାହିଁ । କୁହାଯାଉଛି କି କୋର୍ଟର ଦ୍ୱିତୀୟ ତାଲାରେ ଏହି ବିସ୍ଫୋରଣ ଘଟିଛି । ଫଳରେ ତଳେ ଥିବା ଗାଡିଗୁଡିକ କ୍ଷତିଗ୍ରସ୍ତ ହୋଇଛି ।

ବିସ୍ଫୋରଣ ସେତେବେଳେ ହୋଇଥିଲା ଯେତେବେଳେ ଜିଲ୍ଲା ଅଦାଲତରେ ଏକ ମାମଲାର ଶୁଣାଣି ଚାଲିଥିଲା । ପୋଲିସ ଏବେ ପୁରା କୋର୍ଟ ପରିସରକୁ ଖାଲି କରି ଦେଇଛି । ଏହାହସ ଫାୟାର ବ୍ରିଗେଡ ଗାଡି ବି ପହଂଚିଛି ।

ସୂତ୍ର ସୂଚନା ମୁତାବକ କୋର୍ଟ ପରିସରରେ ଆଇଇଡି ବ୍ଲାଷ୍ଟ ହୋଇଛି । କୁହାଯାଉଛି କି ଏଥିପାଇଁ ବହୁମାତ୍ରାରେ ବିସ୍ଫୋଟକ ବ୍ୟବହାର କରାଯାଇଛି । ବିସ୍ଫୋରଣ ହେବା ମାତ୍ରେ କୋର୍ଟ ପରିସରରେ ଦଳା ଚକଟା ଆରମ୍ଭ ହୋଇଯାଇଥିଲା । ଏବେ ଘଟଣା ସ୍ଥଳରୁ ଆହତ ମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।
କହିରଖୁ କି ଚଳିତ ମାସ ଗୁରୁଦାସପୁର ଜିଲ୍ଲାରୁ ୪ ଟି ହେଣ୍ଡ ଗ୍ରେନେଟ ଓ ଟିଫିନ ବୋମା ଜବତ ହୋଇଥିଲା । ଗଣମାଧ୍ୟମ ରିପୋର୍ଟ ମୁତାବକ ଏକ ଅଖାରେ ଏହି ବୋମାଗୁଡିକୁ ରଖାଯାଇଥିଲା ।