୮୦୦ କୁକୁରଙ୍କ ଭୋକ ବୁଝନ୍ତି । ନୀରବ ପ୍ରାଣୀଙ୍କ ସ୍ୱର ପାଲଟିଛନ୍ତି ଅନନ୍ୟା ରଜନୀ ।

111

କନକ ବ୍ୟୁରୋ: ‘ସେମାନେ କୁକୁର ନୁହଁନ୍ତି ସେମାନେ ମୋ ପିଲାଙ୍କ ଭଳି । ତାଙ୍କର ପରା ପାଟି ଫିଟୁନି । ତାଙ୍କ ପାଇଁ କିଏ ଅଛି । ତେଣୁ ସେମାନଙ୍କର ଦାୟିତ୍ୱ ମୋ ପାଇଁ ଗୋଟେ ବଡ ଦାୟିତ୍ୱ । ସକାଳ ଆରମ୍ଭ ହୁଏ ତାଙ୍କର କାମରେ ରାତି ସରେ ମଧ୍ୟ ତାଙ୍କରି କାମରେ’ । ଏହା ହେଉଛି ମାଙ୍ଗାଲୋର ବାସିନ୍ଦା ରଜନୀ ସେଟ୍ଟିଙ୍କ ମନର କଥା ।

କଥାରେ ଅଛି , ବାପା ପିଠି ହେଲେ ମା’ ବୁଝେ ପେଟ । ଆଉ ଏହାକୁ କେବଳ ନିଜ ସନ୍ତାନଙ୍କ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ କରିଦେଖାଇଛନ୍ତି ଏହି ମହିଳା । ଘର ଲୋକଙ୍କ ସହ ରାସ୍ତା କଡର ପଶୁ ପକ୍ଷୀଙ୍କ ସମସ୍ତଙ୍କ ପେଟର ଭୋକକୁ ବୁଝିପାରନ୍ତି ରଜନୀ । ଯେଉଁଠି କୌଣସି କୁକୁର , ବିଲେଇ ହୁଅନ୍ତୁ ବା ଅନ୍ୟ କୌଣସି ପଶୁ ପକ୍ଷୀଙ୍କୁ ଅସହାୟ ଅବସ୍ଥାରେ ଦେଖନ୍ତି ସେଠାରୁ ସେମାନଙ୍କୁ ଉଠାଇ ଆଣି ଲାଗି ପଡନ୍ତି ତାଙ୍କ ସେବାରେ । ଯେଉଁଠି ନିଜେ ନପାରନ୍ତି ସେମାନଙ୍କୁ ଧରି ଧାଇଁ ଯାଆନ୍ତି ପଶୁ ଡାକ୍ତରଙ୍କ ପାଖକୁ । ନିଜ ମା’ ପରି ସେମାନେ ଭଲ ହେବା ଯାଏଁ ତାଙ୍କ ପଛରେ ଲାଗିଥାନ୍ତି । କେବଳ ଏତିକି ନୁହେଁ ଅତି ବିପଦ ସଙ୍କୁଳ ଜାଗାରୁ ମଧ୍ୟ ନିଜେ କୁକୁର, ବିଲେଇଙ୍କୁ ଉଦ୍ଧାର କରନ୍ତି ।କେତେବେଳେ, ଗଭୀର କୂଅ ଭିତରୁ ତ କେତେବେଳେ ପରିତ୍ୟକ୍ତ ନାଳ ଭିତରୁ । ଏଇ ନିର୍ବାକ ପ୍ରାଣୀଙ୍କ ପାଇଁ ଜୀବ ଜୀବନକୁ ମଧ୍ୟ ବାଜି ଲଗାଇଦିଅନ୍ତି ରଜନୀ ।

ତାଙ୍କ ମନରେ ଘୃଣା ବୋଲି କିଛି ବି ଧାରଣା ନାହିଁ । ଯାହା ଆପଣ ଏହି ଭିଡିଓରୁ ସ୍ପଷ୍ଟ ଭାବେ ବୁଝି ପାରୁଥିବେ । ଆଜି ରଜନୀ ସାରା ଦେଶରେ ମାନବିକତାର ନିଚ୍ଛକ ନିଦର୍ଶନଟିଏ । ତେବେ ତାଙ୍କର ଏହି ଅଭିଯାନ କିପରି ଏହି କିପରି ଆରମ୍ଭ ହୁଏ ତାଙ୍କରି ଠାରୁ ଶୁଣନ୍ତୁ ।

୨ ଟି କୁକରଙ୍କ ଠାରୁ ଆରମ୍ଭ କରି ଆଜି ସେ ପାଖାପାଖି ୮୦୦ କୁକୁରଙ୍କ ଦାୟିତ୍ୱ ନେଇଛନ୍ତି । ଏମାନଙ୍କ ପାଇଁ ଦୈନିକ ନିଜ ହାତରେ ରାନ୍ଧନ୍ତି ୬୦ କେଜି ଚାଉଳର ଭାତ । ସେଥିରେ ମିଶେ ଜିକେନ୍ ସ୍ଲାଇସ୍ । ସକାଳେ ଓ ରାତି ୮ ଟା ପରେ ଆରମ୍ଭ ହୋଇଯାଏ ବାହାରେ ଥିବା ବୁଲା କୁରଙ୍କ ସେବା । ସେମାନେ ଯେପରି ଖାଇବା ପାଇଁ ହଇରାଣ ନହୁଅନ୍ତି, ପେପର ପ୍ଲେଟରେ ସେମାନଙ୍କୁ ବାଢିଦିଅନ୍ତି ପେଟପୁରା ଖାଦ୍ୟ ।

ମଣିଷ ଜୀବନ କେବଳ ନିଜ ସୁଖ ସ୍ୱାଚ୍ଛନ୍ଧ୍ୟ ପାଇଁ ନୁହେଁ ,ବରଂ ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚିବାକୁ ଦେବା ହେଉଛି ଜୀବନର ମୂଳ ମନ୍ତ୍ର । ଏହି ମନ୍ତ୍ରକୁୁ ଜୀବନର ଆଧାର କରିନେଇଛନ୍ତି ରଜନୀ ସେଟ୍ଟି । ଜୀବନ ଥିବା ଯାଏଁ ଏମାନଙ୍କ ସେବା କରିବାକୁ ପଣ କରିଛନ୍ତି ରଜନୀ । ତାଙ୍କର ଏପରି ନିଃସର୍ତ୍ତ ସେବାକୁ ବାହାବା କରୁଛନ୍ତି ଦେଶବାସୀ ।