ପଶ୍ଚିମା ଝଡ଼ ଓ ଅଦିନିଆ ବର୍ଷା : ଜଙ୍ଗଲ ନିଆଁ ଲିଭିବା ସହ କମିଲା ତାପମାତ୍ରା; ୨୦୦୮ ପରଠୁ ମାର୍ଚ୍ଚ ମାସରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

84

କନକ ବ୍ୟୁରୋ : ପଶ୍ଚିମା ଝଡ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ରାଜ୍ୟରେ ଜଙ୍ଗଲ ନିଆଁ ପୁରା ଲିଭଯିବା ସହ ତାପମାତ୍ରା ମଧ୍ୟ ପ୍ରଭାବିତ ହୋଇଛି । ଦିନକରେ ରାଜଧାନୀ ଭୁବନେଶ୍ୱରୀ ତାପମାତ୍ରା ୯ ଡିଗ୍ରୀରୁ ଅଧିକ ଖସିଯାଇଛି । ଭୁବନେଶ୍ୱରରେ ଶନିବାର ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୫ ଦଶମିକ୍ ୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରବିବାର ଏହା ୨୬ ଦଶମିକ୍ ୪ ଡିଗ୍ରୀକୁ ଖସିଆସିଛି ।

ମାର୍ଚ୍ଚ ମାସରେ ଭୁବନେଶ୍ୱର ତାପମାତ୍ରା ଏତେ କମ ରହିବା ଏକ ରେକର୍ଡ ସୃଷ୍ଟି କରିଛି । ଏହା ମାର୍ଚ୍ଚ ମାସରେ ଅନୂଭୁତ ହୋଇଥିବା ଚତୁର୍ଥ ସର୍ବନିମ୍ନ ଦିନ ତାପମାତ୍ରା । ଏହା ପୂର୍ବରୁ ୨୦୦୮ ମସିହାରେ ମାର୍ଚ୍ଚ ମାସରେ ସର୍ବନିମ୍ନ ତାପମାତ୍ରା ୨୫ ଦଶମିକ୍ ୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ ଶନିବାର ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ୮ ଟି ସ୍ଥାନରେ ପବଳ ବର୍ଷା ରେକର୍ଡ କରଯାଇଛି । ଯେଉଁଥିପାଇଁ ତାପମାତ୍ରା କମିଥିବା କୁହାଯାଉଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାଯାୟୀ, ଶନିବାର ଦିନ ସାରା ରାଜ୍ୟରେ ବର୍ଷା ହୋଇଥିବା ବେଳେ ୩ଟି ସ୍ଥାନରେ ଅତିପ୍ରବଳ ବର୍ଷା ଓ ୮ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କୋରାପୁଟ ଜୟପୁରରେ ସର୍ବାଧିକ ୧୪୮.୮ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିର ମଥିଳିରେ ୧୨୯ ମିମି, ଭଦ୍ରକର ତିହିଡ଼ିରେ ୧୧୨ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି ।

ସେହିପରି ବାଲେଶ୍ବର ରେମୁଣାରେ ୯୧ମିମି, ଭଦ୍ରକ ବାସୁଦେବପୁରରେ ୯୦ ଡିଗ୍ରୀ, ମାଲକାନଗିରି ପଦିଆରେ ୮୦ମିମି ବର୍ଷା ରେକର୍ଡ ହୋଇଛି । ରବିବାର ଦିନ ମଧ୍ୟ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଜପତି, ଭଦ୍ରକ ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ ସହ ବର୍ଷା ହୋଇଛି । ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିଥିଲା ।