ଭୁବନେଶ୍ୱର ପୁଲିସକୁ ଭୁଆଁ ବୁଲାଇଲେ ବାଂଲାଦେଶୀ: ଲୁଟେରା ମିଳିଲେ ହେଲେ ଟଙ୍କା ମିଳିଲାନି

171

କନକ ବ୍ୟୁରୋ: ଭୁବନେଶ୍ୱର ଲିଙ୍ଗିପୁର ଅଂଚଳରୁ ଏଟିଏମ ମେସିନ ତାଡି ନେଇ ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିବା ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ସ୍ଥାନୀୟ ପୁଲିସ ସହାୟତାରେ ବାଙ୍ଗାଲୋରରୁ ଦୁଇ ବାଂଲାଦେଶୀ ଲୁଟେରାଙ୍କୁ ପୁଲିସ ଗିରଫ କରିଥିବା ବେଳେ ବାକି ଲୁଟେରା ଲୁଟ କରିଥିବା ୨୦ ଲକ୍ଷରୁ ଅଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ପୁଲିସ ଦୁଇ ଲୁଟେରାଙ୍କୁ ହାତକଡି ପିନ୍ଧାଇଥିବା ବେଳେ ତାଙ୍କ ଠାରୁ ଟଙ୍କାଟିଏ ମଧ୍ୟ ଜବତ କରିପାରି ନାହିଁ । ଯାହା କମିସନରେଟ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।

ପୁଲିସର କହିବା କଥା ହେଲା ବାଂଲାଦେଶର ଏହି ହାଇପ୍ରୋଫାଇଲ ଡକାୟତମାନେ ଭୁବନେଶ୍ୱରରେ ରହି ଲୁଟର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ । ଲିଙ୍ଗିପୁର ଅଂଚଳରେ ରେକି କରି ଚୋରା ଗାଡିରେ ଏଟିଏମ ମେସିନ ଧରି ଫେରାର ହୋଇଗଲେ । ଯାହା ଥିଲା ଓଡିଶାର ପ୍ରଥମ ଏଟିଏମ ମେସିନ ତଡା ଘଟଣା । ପୂର୍ବରୁ ସେମାନ ଦିଲ୍ଲୀ ଓ ଗୋଆରେ ଏଟିଏମ ମେସିନ ତାଡି ଲକ୍ଷ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହେବା ପରେ ଭୁବନେଶ୍ୱରକୁ ସଫ୍ଟ ଟାର୍ଗେଟ କରିଥିଲେ । ହେଲେ ଟଙ୍କା ଲୁଟିବା ପରେ ଏଟିଏମ ମେସିନ ମିଳିଲା, ହେଲେ ଟଙ୍କା କୁଆଡେ ଗାଏବ ହୋଇଗଲା, ତାରା ପତା ପାଇଲାନି ପୁଲିସ ।

ଡକାୟତମାନେ ଭୁବନେଶ୍ୱରରେ ରହି, ଭୁବନେଶ୍ୱରରୁ ଲୁଟ୍ କରି ଚାଲିଗଲେ । ହେଲେ ପୁଲିସ ପାଖରେ ଖବର ପହଂଚିଲା ନାହିଁ । ପୁଲିସର କହିବା କଥା ହେଉଛି. ଓଲଡ ଟାଉନର କମଳା ଲଜ୍ ଓ ଖାରବେଳନଗରର ସେଂଟ୍ରାଲ ଗେଷ୍ଟ ହାଉସର ମାଲିକ ଓ ମ୍ୟାନେଜର ସରାଇ-ଆପ ଯୋଗେ ତଥ୍ୟ ନଦେଇ ପୁଲିସ ଠାରୁ ଲୁଚାଇଥିଲେ । ଯେଉଁଥିପାଇଁ ସେମାନଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।

ଏବେ ପ୍ରଶ୍ନ ଉଠୁଛି-ଭୁବନେଶ୍ୱରକୁ କାହିଁକି ସଫ୍ଟ ଟାର୍ଗେଟ କରିଥିଲେ ବାଂଲାଦେଶୀ ଡକାୟତ? ଭୁବନେଶ୍ୱରରେ ଡେରା ପକାଇ ଲୁଟ କରି ଚାଲିଗଲା ପରେ ବି କେମିତି ଜାଣିପାରିଲାନି ପୁଲିସ? ଲୁଟେରା ମିଳିଲେ ହେଲେ କୁଆଡେ ଗାଏବ ହୋଇଗଲା ଟଙ୍କା?