କଂଗ୍ରେସର ମିଶନ ୨୦୨୪: କଂଗ୍ରେସରେ ମିଶିବେ କି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର?

123

କନକ ବ୍ୟୁରୋ: ବହୁଚର୍ଚ୍ଚିତ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପୁଣି ଚର୍ଚ୍ଚାରେ । ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଶନିବାର ଦିନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ ସୋନିଆ, ରାହୁଲ ଓ ବରିଷ୍ଠ ନେତାଙ୍କ ସହ ପ୍ରଶାନ୍ତ କିଶୋର ବୈଠକ କରିବା ପରେ ଏପରି ଚର୍ଚ୍ଚା ସାମ୍ନାକୁ ଆସିଛି । କୁହାଯାଉଛି ଯେ, ନିର୍ବାଚନ ରଣନୀତିକାର ଭାବେ ନୁହେଁ ବରଂ ସଦସ୍ୟ ଭାବେ କଂଗ୍ରେସରେ ଯୋଗଦେବାକୁ ପ୍ରଶାନ୍ତ କିଶୋରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏବଂ କଂଗ୍ରେସର ଏହି ପ୍ରସ୍ତାବ ପରେ ସେ ଦଳରେ ଯୋଗଦେଇ ପାରନ୍ତି ବୋଲି ସୂଚନା ମିଳିଛି ।

ଶନିବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ ବରିଷ୍ଠ ନେତାଙ୍କୁ ନେଇ ବୈଠକ ବସିଥିଲା । ଏହି ବୈଠକରେ ୨୦୨୪ନିର୍ବାଚନକୁ ନେଇ ବରିଷ୍ଠ ନେତାଙ୍କ ସହ ସୋନିଆ ମାନସ ମନ୍ଥନ କରିଥିବା ଜଣାପଡିଛି । ୨୦୨୪ନିର୍ବାଚନକୁ ନଜରରେ ରଖି ପ୍ରଶାନ୍ତ କିଶୋର, କଂଗ୍ରେସକୁ କିଛି ପ୍ରସ୍ତାବ ଦେଇଛନ୍ତି । ଏବଂ ଏଥିପାଇଁ ଦଳ ଏକ କମିଟି ମଧ୍ୟ ଗଠନ କରିଥିବା ଜଣାପଡିଛି । ପ୍ରଶାନ୍ତ କିଶୋରଙ୍କ କେଉଁ ପ୍ରସ୍ତାବକୁ କିପରି କାର୍ଯ୍ୟକାରୀ କରାଯିବ ସେ ନେଇ ଏହି କମିଟି ନିଷ୍ପତି ନେବ ବୋଲି ଜଣାପଡିଛି ।

ଗୋଆ ନିର୍ବାଚନ ବେଳେ ପ୍ରଶାନ୍ତ କିଶୋରଙ୍କ ଉପରେ ଖପ୍ପା ହୋଇଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । କିନ୍ତୁ ଏବେ ପୁଣି ଲାଗୁଛି ପଛକଥାକୁ ଭୁଲି ପ୍ରଶାନ୍ତ କିଶୋରଙ୍କ ସହ ଦଳ ଆଗକୁ ବଢିବାକୁ ଚାହୁଁଛି ।