୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ଜୁନ୍ ୪ରେ ଆସିବ ରେଜଲ୍ଟ । ଦେଖନ୍ତୁ, କେଉଁଠି କେବେ ହେବ ଲୋକସଭା ନିର୍ବାଚନ?

444

କନକ ବ୍ୟୁରୋ: ୭ଟି ପର୍ଯ୍ୟାୟରେ ହେବ ୨୦୨୪ ସାଧାରଣ ନିର୍ବାଚନ । ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହେଇ ଜୁନ୍ ୧ ତାରିଖରେ ସରିବ ୭ମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଏହାପରେ ଜୁନ୍ ୪ ତାରିଖରେ ଭୋଟ୍ ଗଣତି କରାଯାଇ, ସେହିଦିନ ହିଁ ରେଜଲ୍ଟ ପ୍ରକାଶ ପାଇବ ବୋଲି ନିର୍ବାଚନ କମିସନର ଘୋଷଣା କରିଛନ୍ତି ।

  • ପ୍ରଥମ ପର୍ଯ୍ୟାୟ – ୧୯ ଏପ୍ରିଲରେ ଭୋଟ୍
  • ଦ୍ୱିତୀୟ ପର୍ଯ୍ୟାୟ – ୨୬ ଏପ୍ରିଲରେ ଭୋଟ୍
  • ତୃତୀୟ ପର୍ଯ୍ୟାୟ – ୭ ମେରେ ଭୋଟ୍
  • ଚତୁର୍ଥ ପର୍ଯ୍ୟାୟ – ୧୩ ମେରେ ଭୋଟ୍
  • ପଞ୍ଚମ ପର୍ଯ୍ୟାୟ – ୨୦ ମେରେ ଭୋଟ୍
  • ଷଷ୍ଠ ପର୍ଯ୍ୟାୟ – ୨୫ ମେ ରେ ଭୋଟ୍
  • ସପ୍ତମ ପର୍ଯ୍ୟାୟ – ୧ ଜୁନ୍ ରେ ଭୋଟ୍
  • ଜୁନ୍ ୪ରେ ଆସିବ ରେଜଲ୍ଟ

ଦେଶରେ ମୋଟ ୯୬.୮ କୋଟି ଭୋଟର

ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ତାଙ୍କ ଟିମ୍ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ଅଛି । ଏଥର ସର୍ବମୋଟ ୯୭ କୋଟି ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରୁ ପାଖାପାଖି ୫୦ କୋଟି ଭୋଟର ପୁରୁଷ ହେଇଥିବାବେଳେ, ୪୭ କୋଟି ଭୋଟର ମହିଳା ଅଟନ୍ତି । ଏଥର ନିର୍ବାଚନ ପାଇଁ ୧୦.୫ ଲକ୍ଷ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯିବ । ଏଥର ନିର୍ବାଚନରେ ୫୫ ଲକ୍ଷ ଇଭିଏମ୍ ବ୍ୟବହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏଥର ନିର୍ବାଚନରେ ଦେଢ କୋଟି ପୋଲିଂ ଅଧିକାରୀ ନିଯୁକ୍ତ ହେବେ । ଦେଶରେ ଏଥର ୯୭ କୋଟି ଭୋଟରଙ୍କ ମଧ୍ୟରୁ ୧.୮୨ କୋଟି ହେଉଛନ୍ତି ଯୁବ ଭୋଟର ଆଉ ୨୦ରୁ ୨୯ ବର୍ଷ ବୟସ୍କର ୧୯.୪୭ କୋଟି ଭୋଟର ରହିଛନ୍ତି ବୋଲି କୁହାଯାଉଛି । ତା ସହିତ ୮୮.୪୦ ଲକ୍ଷ ଦିବ୍ୟାଙ୍ଗ ଭୋଟର, ୧୯.୦୧ ଲକ୍ଷ ସୈନିକ ସୁରକ୍ଷା କର୍ମୀ ଓ ୪୮ ହଜାର ତୃତୀୟ ଲିଙ୍ଗୀ ଭୋଟର ଦେଶରେ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି ।

ଦେଶରେ ଥିବା ୮୫ ବର୍ଷରୁ ଅଧିକ ବୟସ୍କର ଭୋଟରମାନେ ଘରେ ବସି ଭୋଟ୍ ଦେଇପାରିବେ । ପୂର୍ବରୁ ଏହି ବୟସ ସୀମା ୮୦ ବର୍ଷ ଥିଲା । ବର୍ତ୍ତମାନ ୮୫ ବର୍ଷରୁ ଅଧିକ ବୟସର ଭୋଟରମାନେ ଘରେ ବସି ଭୋଟ୍ ଦେଇପାରିବେ । ତା ସହିତ ୪୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ଥିବା ଭୋଟରମାନେ ମଧ୍ୟ ଘରେ ବସି ଭୋଟ୍ ଦେଇପାରିବେ ।

ନିର୍ବାଚନରେ ହିଂସାର ସ୍ଥାନ ନାହିଁ

ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି ଯେ, ନିର୍ବାଚନ କମିସନ ପାଖରେ ୪ଟି ମୁଖ୍ୟ ପ୍ରତିଦ୍ୱନ୍ଦୀ ରହିଛି । ବାହୁବଳର ପ୍ରୟୋଗ, ଧନବଳ, ମିଛ ଖବର ଏବଂ ଏମସିସିର ଉଲ୍ଲଙ୍ଘନ । ଆମେ ହିଂସାମୁକ୍ତ ନିର୍ବାଚନ କରିବାକୁ ଚାହୁଁଛୁ । ନିର୍ବାଚନ ସମୟରେ କୌଣସି ପ୍ରକାର ହିଂସା, ହତ୍ୟାକୁ ବରଦାସ୍ତ କରାଯିବ ନାହିଁ । ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କୁ ଖବରକାଗଜରେ ସୂଚନା ଦେବାକୁ ପଡିବ । ରାଜନୈତିକ ଦଳ ମଧ୍ୟ ଅପରାଧିକ ପୃଷ୍ଠଭୂମି ଥିବା ପାର୍ଥୀଙ୍କୁ ଟିକେଟ୍ ଦେଉଥିବା ବିଷୟରେ ସୂଚନା ଦେବାକୁ ପଡିବ । ନିୟମ ଭାଙ୍ଗିଲେ ପ୍ରାର୍ଥୀ ଏବଂ ରାଜନୈତିକ ଦଳମାନଙ୍କ ଉପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ୍ ମାସ ୧୬ ତାରିଖରେ ଲୋକସଭା କାର୍ଯ୍ୟକାଳ ଶେଷ ହେଉଛି । ଏହା ପୂର୍ବରୁ ହିଁ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । ସାରା ଦେଶରେ ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶ, ସିକ୍କିମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।