ସୋସିଆଲ ମିଡିଆରେ ଭାଇରାଲ ହେଲା କୁନି ଝିଅର ଖ୍ରୀଷ୍ଟମାସ ଉପହାର ଭିଡିଓ । ଦେଖନ୍ତୁ ଉପହାର ବାକ୍ସରେ ଥିଲା କଣ?

221

ପୂର୍ବରୁ ଇଣ୍ଟରନେଟରେ ଅନେକ କୁନି ପିଲାଙ୍କ କୌତୂକିଆ ଭିଡିଓ ଦେଖିବାକୁ ମିଳିଛି। ନିକଟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ୍‌ ହୋଇଛି ଯାହାକି ଅନେକ ବ୍ୟବହାରକାରୀଙ୍କ ମନ ‌ମୋହିଛି। ଭିଡିଓରେ ଦେଖିବାକୁ ମିଳିଛି ଜଣେ କୁନି ଝିଅକୁ ତା’ର ବାପାମାଆ ଖ୍ରୀଷ୍ଟମାସ ଉପହାର ଭାବେ ଏକ କଦଳୀ ଦେଉଛନ୍ତି। ଉପହାର ପାଇବା ପରେ ଝିଅଟି ଖୁସିରେ ଡେଇଁବାକୁ ଲାଗିଛି। ଏପରି ଲାଗୁଛି ଯେପରି କଦଳୀ କୁନି ଝିଅର ଭାରି ପ୍ରିୟ।

ଟ୍ୱିଟରରେ ଭିଡିଓଟି ସେୟାର୍‌ କରି ଝିଅଟିର ବାପା ଲେଖିଛନ୍ତି, ‘ମୁଁ ମୋ ଝିଅକୁ ସବୁଠାରୁ ଖରାପ ଖ୍ରୀ‌ଷ୍ଟମାସ ଉପହାର ଦେଇ ପରୀକ୍ଷା କରୁଥିଲି। ମୁଁ ଜାଣି ନଥିଲି ଯେ ସେ ଏପରି ପ୍ରତିକ୍ରିୟା ଦେବ।’

ଭିଡିଓରେ ଦେଖିବାକୁ ମିଳିଛି ଯେ କୁନି ଝିଅଟି ଉପହାର ଜରିଟିକୁ ଖୁବ୍‌ ଉତ୍ସୁକତାର ସହ ଖୋଲିବାରେ ଲାଗିଛି। ଜରିଟି ସାମାନ୍ୟ ଖୋଲିଯିବା ପରେ ତା’ଭିତରେ ଥିବା କଦଳୀଟି ବାହାରକୁ ଦିଶୁଛି। କଦଳୀକୁ ଦେଖିବା ପରେ ଝିଅଟି ଖୁସିରେ ଆତ୍ମହରା ହୋଇ ଉଠୁଛି। ଝିଅର ମାଆ ଜରି ଖୋଲି ସେଥିରୁ କଦଳୀ କାଢ଼ି କୁନି ଝିଅକୁ ଖୁଆଉଛନ୍ତି। ଝିଅଟି ଖୁବ୍ ଖୁସିର ସହ କଦଳୀକୁ ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।