ଭଙ୍ଗା କୁଡିଆରେ ବିତୁଛି ୫ ପ୍ରାଣୀ ଜୀବନ । ଗୁହାରୀ କଲେ ବି ଶୁଣିବାକୁ ନାରାଜ ପ୍ରଶାସନ

56

କନକ ବ୍ୟୁରୋ: ଜୀବନ ଏଠି ଅସହାୟ । ଦାନା ପାଣି ଯୋଗାଡ କରିବାକୁ ଗୁଣ୍ଠେ ଜମି ନାହିଁ କି ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ । ଭଙ୍ଗା କୁଡିଆରେ ବିତୁଛି ୫ ପ୍ରାଣୀ କୁଟୁମ୍ବ ଜୀବନ । ଗୁହାରୀ କରି କରି ଶୁଣୁନି ପ୍ରଶାସନ । ଏଭଳି ଦୟନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ସଂଗ୍ରାମପୁର ଶାସନ ଗ୍ରାମରେ ।

ଶାସନ ଗାଁର ବୃଦ୍ଧା ହରିପ୍ରିୟା ମିଶ୍ର । କ୍ୟାନସରରେ ସ୍ୱାମୀ ଚାଲିଯିବା ପରେ ଏବେ ପୁଅ, ବୋହୂ , ୨ ନାତି ନାତୁଣୀଙ୍କୁ ନେଇ ତାଙ୍କ ସଂସାର । ହେଲେ ଦୁଃଖ ଭରା ତାଙ୍କ ଜୀବନ । ନା ପେଟପାଟଣା କରିବାକୁ ଗୁଣ୍ଠେ ଜମି ଅଛି । ନା ମୁଣ୍ଡ ଗୁଂଜିବାକୁ ବଖୁରେ ଘର । ଆଗରୁ ଯେଉଁ ମାଟି ଘର ଖଣ୍ଡେ ଥିଲା, ଝଡି ବର୍ଷା ସହି ସହି ସେତକ ବି ଭାଙ୍ଗିରୁଜି ଗଲାଣି । କାନ୍ଥ ନାହିଁ ଯେ, ଜରି ପାଲ, ଓ ଲୁଗାରେ ଘେରା ହୋଇଛି । ଛପର ସବୁ କଣା ହୋଇଗଲାଣି ଯେ, ଦିନରେ ସୂର୍ଯ୍ୟ ଓ ଆଉ ରାତିରେ ତାରା ଗଣି ହୋଇଯିବ । ଘରକୁ ସଜାଡିବାକୁ ପାଖରେ ପଇସାଟିଏ ନାହିଁ । ବର୍ଷା ଦିନ କଥା ନକହିଲେ ଭଲ । ବର୍ଷା ଦିନେ ସାହି ପଡିଶାଙ୍କ ଘରେ ଯାଇ ମୁଣ୍ଡ ଗୁଂଜନ୍ତି ପୁରା ପରିବାର ।

ହରିପ୍ରିୟାଙ୍କ ଦୁଃଖ ଦେଖିବାକୁ ପ୍ରଶାସନ ଯେମିତି ଆଖି ବୁଜିଦେଇଛି । ଖାଲି ଯାହା ୫୦୦ ଟଙ୍କା ଭତ୍ତା ଆଉ ୧୫ କେଜି ଚାଉଳ ଦେଇ ଦେଇ କାମ ସାରି ଦେଇଛି । ଘର ଖଣ୍ଡେ ଛିଡା କରିବାକୁ ସମ୍ବଳ ନାହିଁ । ବୁଢି ବୟସରେ ଘର ଖଣ୍ଡେ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେଣି ହରିପ୍ରିୟା । ମୁହଁରେ ସମସ୍ତେ ହଁ କହୁଛନ୍ତି ହେଲେ ବୁଲି ପଡିଲେ ସବୁ ଭୁଲିଯାଉଛନ୍ତି । ଆଉ ଦେହରେ ଜୁ ନାହିଁ । ତେଣୁ ଗଣମାଧ୍ୟମକୁ ହାତ ଯୋଡି ଘର ଖଣ୍ଡେ ପ୍ରଶାସନକୁ ଜଣାଇବାକୁ ଗୁହାରୀ କରିଛନ୍ତି ।

ଗରୀବ ଅସହାୟଙ୍କ ପାଇଁ ତ ସରକାରୀ ଯୋଜନା, ହେଲେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ଉଦାସୀନ କାହିଁକି? ଆଶା ଓ ବିଶ୍ୱାସ ଗଣମାଧ୍ୟମରେ ଏହି ଖବର ପ୍ରସାର ପରେ ହରିପ୍ରିୟାଙ୍କୁ ଦୁଃଖ ବୁଝିବେ ପ୍ରଶାସନ