ଶତ୍ରୁକୁ ନର୍କର ରାସ୍ତା ଦେଖାଇବ ‘ହେଲିନା’ । ଟାର୍ଗେଟକୁ ପିଛା କରି କରି ଧୁଳିସାତ୍ କରିଦେବ, ଚୀନ ସୀମାରେ କରାଯିବ ମୁତୟନ

135

କନକ ବ୍ୟୁରୋ : ଚୀନ ସୀମାରେ ମୁତୟନ ହେବାକୁ ଯାଉଛି ଭାରତର ଅତ୍ୟାଧୁନିକ ଆଣ୍ଟି ଟ୍ୟାଙ୍କ ମିଜାଇଲ୍ ‘ହେଲିନା’ । ଏହି ମିଜାଇଲ ଶତ୍ରୁ ପାଇଁ କେତେ ଖତରନାକ୍ ତାହା ଏହି ମିସାଇଲ୍ ପାଇଁ ରଖାଯାଇଥିବା ପଞ୍ଚ ଲାଇନରୁ ହିଁ ଜଣାପଡିଥାଏ । ‘ଦାଗୋ ଅର୍ ଭୁଲ ଯାଓ’ ଏହି ପଞ୍ଚଲାଇନର ଅର୍ଥ ହେଉଛି ଥରେ ଟାର୍ଗେଟକୁ ଲକ୍ କରି ଦେବା ପରେ ଏହି ମିଜାଇଲ କେବେ ବି ଲକ୍ଷଚ୍ୟୁତ ହୁଏ ନାହିଁ । ଟାର୍ଗେଟକୁ ପିଛା କରି କରି ଧୁଳିସାତ୍ କରିଦେଇଥାଏ । ଭାରତ-ଚୀନ୍ ସୀମାରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଏହି ମିଜାଇଲକୁ ଏଲଏସିରେ ମୁତୟନ କରାଯିବା ନେଇ ଭାରତୀୟ ସେନା ନିସ୍ପତ୍ତି ନେଇଛି ।

ଗତବର୍ଷ ଭାରତୀୟ ସ୍ଥଳ ସେନା ଏବଂ ବାୟସେନା ମିଳିତ ଭାବେ ଏହି ମିଜାଇଲକୁ ପରୀକ୍ଷଣ କରିଥିଲେ । ୨୪ଘଣ୍ଟା ମଧ୍ୟରେ ଦୁଇଥର ପରୀକ୍ଷା କରି ସଫଳ ମଧ୍ୟ ହୋଇଥିଲେ । ହେଲିନାକୁ ଅଧିକ ଉଚ୍ଚ ଏବଂ ଅଧିକ ରେଞ୍ଜରୁ ଲାଇଟ ହେଲିକପ୍ଟର ଦ୍ୱାରା ଲଞ୍ଚ କରାଯାଇଥିଲା । ପରୀକ୍ଷଣରେ ଅତି ସଠିକତାର ସହ ଟାର୍ଗେଟକୁ ହିଟ୍ କରିଥିଲା ଏହି ମିସାଇଲ୍ । ଏହି ମିଜାଇଲରେ ଲାଗିଥିବା ଇନଫାରେଡ୍ ଇମେଜିଂ ସିଷ୍ଟମ୍ ହେଲିନାକୁ ଗାଇଡ୍ କରିଥାଏ । ମିଜାଇଲ୍ ଲଞ୍ଚ ହେବା ମାତ୍ରେ ଇନଫାରେଡ୍ ଇମେଜିଂ ସିଷ୍ଟମ୍ ଆକ୍ଟିଭ୍ ହୋଇଯାଇଥାଏ । ଲକ୍ କରାଯାଇଥିବା ଟର୍ଗେଟ ଯେତେ ଚେଷ୍ଟା କଲେ ବି ବଞ୍ଚିପାରିନଥାଏ ।

ଯଦି ହେଲିନାର ମାରକ କ୍ଷମତା ଉପରେ ନଜର ପକାଇବା, ତେବେ ଏହାର ଗତି ସେକେଣ୍ଡ ପ୍ରତି ୨୩୦ ମିଟର ରହିଛି । ଅର୍ଥାତ୍ ଏହାର ଘଣ୍ଟାପ୍ରତି ବେଗ ୮୨୮ କିମି । ଏହାର ଗତି ଏତେ ଅଧିକ ଯେ, ଶତ୍ରୁକୁ ବଞ୍ଚିବା ପାଇଁ ଟିକିଏ ସୁଯୋଗ ମିଳିନଥାଏ । ଶତ୍ରୁର ବଡ ବଡ ଟ୍ୟାଙ୍କରକୁ ଆଖିପିଛୁଳାକେ ଧ୍ୱଂସ କରିଦେଇଥାଏ । ହେଲିନାର ରେଞ୍ଜ୍ ୫୦୦ ମିଟରରୁ ନେଇ ୨୦ କିମି ପର୍ଯ୍ୟନ୍ତ ରହିଛି । ଏହାର ଓଜନ ମାତ୍ର ୪୫ କିଗ୍ରା, ଉଚ୍ଚତା ୬ଫୁଟ୍ ୧ଇଞ୍ଚ୍ ରହିଛି । ଏଥିରେ ୮କିଲୋଗ୍ରାମର ବିସ୍ଫୋଟକ ଭର୍ତ୍ତି କରାଯାଇଥାଏ । ସବୁଠୁ ବଡ କଥା ହେଉଛି ଦିନ ହେଉ କି ରାତି ଅବା ଖରାପ ମୌସୁମୀରେ ବି ଏହି ମିଜାଇଲ୍ ଟାର୍ଗେଟକୁ ହିଟ୍ କରିବାରେ ସକ୍ଷମ ।

ପୂର୍ବରୁ ଏହି ମିଜାଇଲକୁ ଧ୍ରୁବାସ୍ତ୍ର ବା ନାଗ୍ ମିଜାଇଲ୍ କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହାର ନାଁ ହେଲିନା ରଖାଯାଇଛି । ହେଲିକପ୍ଟରରୁ ଏହି ମିଜାଇଲରୁ ଲଞ୍ଚ କରାଯାଉଥିବାକୁ ଏହାର ନାଁ ହେଲିନା ରଖାଯାଇଛି । ସେନାର ଏହି ଧ୍ରୁବାସ୍ତ୍ର ମିଜାଇଲକୁ ଧ୍ରୁବ ହେଲିକପ୍ଟର, ଆଡଭାନ୍ସ ଲାଇଟ୍ ହେଲିକପ୍ଟର ସମେତ ଅନ୍ୟ ଲଢାକୁ ବିମାନରେ ଲଗାଯାଇପାରିବ ।

ତେବେ ଯଦି ଏହି ମିଜାଇଲ ଏଲଏସିରେ ମୁତୟନ ହୁଏ ତାହେଲେ ଏହାର ରେଞ୍ଜରେ ଆସୁଥିବା ଶତ୍ରୁର ବଡ ବଡ ଟ୍ୟାଙ୍କ୍, ବଙ୍କର ଏବଂ ଅନ୍ୟ ବାହାନକୁ ବି ଉଡାଯାଇପାରିବ । ଏହି ମିଜାଇଲ୍ ପଡିବା ମାତ୍ରେ ଟ୍ୟାଙ୍କ କଙ୍କାଳରେ ପରିବର୍ତ୍ତନ ହୋଇଯିବ