କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପରେ ସାରା ରାଜ୍ୟରେ ହଇଚଇ : ମୃତଦେହକୁ ହସ୍ପିଟାଲରୁ ଆଣି ଶବ ଶୋଭାଯାତ୍ରା କଲା କଂଗ୍ରେସ

39

କନକ ବ୍ୟୁରୋ : ଗଣଦୁଷ୍କର୍ମର ଅଭିଯୋଗ ଆଉ ତା ପରେ ନ୍ୟାୟ ପାଇଁ ବାରଦୁଆର ହେବା ପରେ ଆତ୍ମହତ୍ୟା । ଆଉ ଏହାପରେ ରାଜରାସ୍ତାରେ ତାତି । ରାଜନୈତିକ କର୍ମୀ ବନାମ ପୋଲିସ । ମାରପିଟ, ଧସ୍ତାଧସ୍ତି, ଟେକାପଥର ମାଡ । କର୍ମୀଙ୍କ ସହ ପୋଲିସ ବାଲାଙ୍କର ବି ମୁଣ୍ଡ ଫାଟିଲା ।

ହସ୍ପିଟାଲ ବେଡରେ ପଡିରହିଛି ଗଣଦୁଷ୍କର୍ମ ପୀଡିତାଙ୍କ ନିସ୍ତେଜ ମୃତଦେହ । ନ୍ୟାୟ ପାଇଁ ବାରମ୍ବାର ଗୁହାରି କରି ଶେଷରେ ନୀରବି ଯାଇଛନ୍ତି ନାବାଳିକା । ଆଉ କୋହଧରି କାନ୍ଦୁଛନ୍ତି ପରିବାର ଲୋକ । କାରଣ ସେମାନେ ଜାଣିଛନ୍ତି ଝିଅର ମରମ ବେଦନା । ନ୍ୟାୟ ତ ମିଳିଲାନି ବରଂ ମିଳିଲା ଖାଲି ଅପମାନ, ଯେତେବେଳେ ପ୍ରଶାସନଠାରୁ ପୋଲିସ ଯାଏଁ ସମସ୍ତେ କହିଲେ ନାବାଳିକା ମିଛ କହୁଛନ୍ତି ।

ମେଡିକାଲରୁ କୁନ୍ଦୁଲି ପୀଡିତାଙ୍କ ମୃତଦେହ ଧରି ବାହାରିଥିଲା କଂଗ୍ରେସ । ଜୀବିତ ଥିବାବେଳେ ଯେଉଁ ନାବାଳିକାଙ୍କୁ ନ୍ୟାୟ ମିଳିଲାନି ମୃତ୍ୟୁ ପରେ ଅନ୍ତତଃ ତାଙ୍କ ସମ୍ମାନ ରକ୍ଷା କରନ୍ତୁ ସରକାର ସେହି ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲା । ମେଡିକାଲରୁ କୁନ୍ଦୁଲି ଛକ ପର୍ଯ୍ୟନ୍ତ ପ୍ରାୟ ଅଢେଇ କିଲୋମିଟର ପୀଡିତାଙ୍କ ଶବ ଆଣି ରାସ୍ତାରେ ରଖି ଆରମ୍ଭ ହୋଇଥିଲା ପ୍ରତିବାଦ । କଂଗ୍ରେସ ନେତାଙ୍କ ସହ ପୀଡିତାଙ୍କ ପରିବାର ଓ ସ୍ଥାନୀୟ ଲୋକେ ୨୭ ନମ୍ବର ଜାତୀୟ ରାଜପଥରେ ବସିରହିଥିଲେ ।

ଗତକାଲି ସରସ୍ୱତୀ ପୂଜାରେ ଝିଅମାନେ ଯେତେବେଳେ ନୂଆ ଜାମାପଟା ପିନ୍ଧି ଉତ୍ସବ ମନାଉଥିଲେ ସେତିକିବେଳେ କୁନ୍ଦୁଲି ପୀଡିତାଙ୍କ ମନରେ ନଥିଲା କୌଣସି ଖୁସି । ତାଙ୍କପ୍ରତି ଅମାନବୀୟ ଆଚରଣ କରିଥିବା ଅଭିଯୁକ୍ତଙ୍କୁ ଧରିବା ପରିବର୍ତେ ପ୍ରଶାସନ ତାଙ୍କୁ ମିଛୁଆ କରିଦେଇଥିବାରୁ ମାନସିକ ଚାପରେ ଥିଲେ । ଆଉ ଶେଷରେ ବେକରେ ଓଢଣୀ ଲଗାଇ ବନ୍ଦ କୋଠରି ଭିତରେ ଝୁଲି ପଡିଥିଲେ ।

ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଯବାନ ପୋଷାକରେ ଥିବା ୪ଜଣ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ନାବାଳିକା ଜଣକ । ହେଲେ ଡାକ୍ତରୀ ମାଇନା ପରେ ତାଙ୍କୁ ଦୁଷ୍କର୍ମ ହୋଇନାହିଁ ବୋଲି ରିପୋର୍ଟ ଦିଆଗଲା । ଯାହାକୁ ନେଇ ବାରମ୍ବାର ଆପତ୍ତିି ଉଠାଇ ଆସୁଥିଲେ ପୀଡିତା । ଏପରିକି ମତ ବଦଳାଇବାକୁ ପୋଲିସ ଚାପ ପକାଉଥିବା ମଧ୍ୟ ଅଭିଯୋଗ କରିଥିଲେ । ଯାହା ଉପରୁ ଏଯାଏଁ ପରଦା ହଟିନାହିଁ ।

ଅଫେରା ବାଟରେ ଚାଲିଯାଇଛନ୍ତି କୁନ୍ଦୁଲି ପୀଡିତା ଆଉ ଛାଡିଯାଇଛନ୍ତି ଅନେକ ଅସମାହିତ ପ୍ରଶ୍ନ । ଯାହା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି ।