ବିଶ୍ୱର ସବୁଠାରୁ ବଡ ଅର୍ଥନୈତିକ ଫୋରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ !  ବଡ ବଡ କମ୍ପାନୀର ମୁଖ୍ୟଙ୍କୁ ଭାରତରେ ପୁଂଜିନିବେଶ ପାଇଁ ଦେଲେ ଆହ୍ୱାନ

40

କନକ ବ୍ୟୁରୋ : ଭାରତରେ ନିବେଶ ପାଇଁ  ବିଶ୍ୱର ବଡ଼ ବଡ଼ ଶିଳ୍ପପତି ଓ ସିଇଓମାନଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ବିଶ୍ୱର ସବୁଠୁ ବଡ଼ ଇକୋନମିକ୍ ଫୋରମରେ ଉଦବୋଧନ ଦେବା ଅବସରରେ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ  । ସ୍ୱିଜରଲାଣ୍ଡର ଦାଭୋସଠାରେ ଅନୁଷ୍ଠିତ ୱାଲର୍ଡ ଇକୋନମିକ୍ ଫୋରମରେ ମୋଦି କହିଛନ୍ତି, ଏବେ ନାଲି ଫିତା ନୁହେଁ, ନାଲି କାର୍ପେଟରେ ଶିଳ୍ପପତିଙ୍କୁ ସ୍ୱାଗତ କରାଯିବ । ଭାରତର ଜିଡିପି ବା ମୋଟ ଘରୋଇ ଉତ୍ପାଦ ୨୦ ବର୍ଷ ମଧ୍ୟରେ ୬ ଗୁଣା ହୋଇଛି । ସ୍ଥିର, ସ୍ୱଚ୍ଛ ଓ ପ୍ରଗତିଶୀଳ ଭାରତରେ ପୁଂଜି ନିବେଶ କଲେ ଭଲ ବାତାବରଣ ମିଳିବା ସହ ଶିଳ୍ପପତିମାନେ ଅଧିକ ଲାଭବାନ ହେବେ ବୋଲି କହିଛନ୍ତି ନରେନ୍ଦ୍ର ମୋଦି ।

ସ୍ୱାଧୀନ ଚେତା ରାଷ୍ଟ୍ରଗୁଡିକ ଏକାଠି ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବା ସହ ସେ କହିଛନ୍ତି ବିଶ୍ୱ ପାଇଁ ସବୁଠୁ ବଡ଼ ତିନିଟି ଚ୍ୟାଲେଂଜ ହେଉଛି-ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଓ ରକ୍ଷଣଶୀଳ ମନୋଭାବ । ସେ କହିଛନ୍ତି ଜଳବାୟୁ ପରିବର୍ତ୍ତନ ହେଉଛି ବିଶ୍ୱର ସବୁଠୁ ବଡ଼ ସଂକଟ । ମେରୁ ଅଞ୍ଚଳର ବରଫ ତରଳିବାରେ ଲାଗିଛି । ବିଶ୍ୱରେ କୌଣସି ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଆଉ ଏକ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭବ ହେଉଛି । ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ସମଗ୍ର ବିଶ୍ୱରେ ସାମୁହିକ ଉଦ୍ୟମ ଜରୁରୀ ହୋଇପଡ଼ିଛି । ଏହାର ସମାଧାନ ପାଇଁ ସାରା ବିଶ୍ୱ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ନରେନ୍ଦ୍ର ମୋଦି । ସେହିପରି ଆତଙ୍କବାଦ ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି ବୋଲି କହିଛନ୍ତି ମୋଦି । ମୋଦ ଆଉ କହିଛନ୍ତି,  ମାନବ ସଭ୍ୟତାର ଭବିଷ୍ୟତ ପାଇଁ ତିନୋଟି ପ୍ରସଙ୍ଗ ଏକ ବିପଦ ଭାବେ ଦେଖାଦେଇଛି  । ସେଗୁଡିକ ହେଉଛି ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଓ ସଂରକ୍ଷଣବାଦ । ବେଳଥାଉ ଥାଉ ବିଶ୍ୱ ସମୁଦାୟ ଏଗୁଡିକ ବିରୋଧରେ ଏକାଠି ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।