ସିବିଆଇ ଜେରା ପାଇଁ କୋଲକାତା ପୁଲିସର ପ୍ରସ୍ତୁତି ! ରାଜୀବଙ୍କୁ ସମ୍ଭାବ୍ୟ ୧୦୦ଟି ପ୍ରଶ୍ନ ଦେଲେ ପଶ୍ଚିମବଙ୍ଗର ବରିଷ୍ଠ ପୁଲିସ୍ ଅଧିକାରୀ ।
କନକ ବ୍ୟୁରୋ : କୋଲକାତା ପୋଲିସ କମିସନର ରାଜୀବ କୁମାରଙ୍କୁ ଜେରା ପାଇଁ ସିବିଆଇ ପ୍ରସ୍ତୁତ ହେଉଥିବା ବେଳେ ସେପଟେ ରାଜୀବ କୁମାରଙ୍କୁ ପ୍ରସ୍ତୁତ କରୁଛନ୍ତି କୋଲକାତାର ବରିଷ୍ଠ ପୁଲିସ ଅଧିକାରୀ । ମମତା ବାନାର୍ଜି ରାଜୀବଙ୍କ ସପକ୍ଷରେ ଧାରଣା ଦେବା ଓ ସର୍ବୋଚ୍ଚ ଅଦାଲତରେ ମାମଲା ପହଁଚିବା ପରେ ଏହାର ଗୁରୁତ୍ୱ ଖୁବ ବଢ଼ିଯାଇଛି । ତେବେ ରାଜୀବ କୁମାରଙ୍କୁ ସିବିଆଇର କଣ ରହିବ ପ୍ରଶ୍ନ ତାକୁ ନେଇ ବଢ଼ିଛି ଚର୍ଚ୍ଚା ।
Kanak News is now on WhatsApp
Join and get latest news updates delivered to you via WhatsApp
ସିବିଆଇ ବନାମ କୋଲକାତା କମିସନର । ପ୍ରସ୍ତୁତ ହେଉଛନ୍ତି ପୋଲିସ୍ ବାବୁ । କୋଲକାତା ପୁଲିସ କମିସନରଙ୍କୁ ନେଇ ମମତା ବାନାର୍ଜିଙ୍କ ହାଇପ୍ରୋଫାଇଲ ଡ୍ରାମା ଶେଷ ହେବା ପରେ ସିବିଆଇ ଜେରା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜୀବ କୁମାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ରାଜୀବଙ୍କୁ ପଚରାଉଚରା କରିବାକୁ ଥିବା ବେଳେ ତାଙ୍କୁ ପଶ୍ଚିମବଙ୍ଗର ବରିଷ୍ଠ ଅଧିକାରୀ ପ୍ରସ୍ତୁତ କରୁଥିବା କୁହାଯାଉଛି । ଏଥିପାଇଁ ପୁଲିସ ଅଧିକାରୀ ୧୦୦ଟି ସମ୍ଭାବ୍ୟ ପ୍ରଶ୍ନ ପ୍ରସ୍ତୁତ କରିଥିବା କୁହାଯାଉଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ମୁତୟନ ସିବିଆଇ ଅଧିକାରୀ ଦିଲ୍ଲୀ ମୁଖ୍ୟାଳୟ ଛାଡ଼ି କୋଲକାତା ପହଁଚିଛନ୍ତି । ଶନିବାର ପୂର୍ବରୁ ଅଧିକାରୀଙ୍କୁ ସିିଲଂ ପହଁଚିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ସେପଟେ ପ୍ରସ୍ତୁତି ପାଇଁ ରାଜୀବ କୁମାରଙ୍କ ହାତରେ ମାତ୍ର ୨ଦିନ ସମୟ ରହିଛି ।
ସିବିଆଇ କ’ଣ ପଚାରିପାରେ ରାଜୀବଙ୍କୁ ?
– କଲ୍ ଡିଟେଲ୍ ରେକର୍ଡ ବା ସିଡିଆର୍ ଟାମ୍ପରିଂରେ ସଂପୃକ୍ତ ନା ନାହିଁ ?
– ଶାରଦା ମାମଲାର ଯାଂଚ ବେଳେ ଏସଆଇଟି ପ୍ରସ୍ତୁତ ନୀଳ ଡାଏରି ଏବେ କେଉଁଠି ?
– ସିବିଆଇକୁ ମିଳିଥିବା ପ୍ରମାଣରେ ହେରଫେର୍ ପାଇଁ କିଏ ଦାୟୀ ?
ତେବେ କୋଲକାତା ପୋଲିସ ଓ ସିବିଆଇ ମଧ୍ୟରେ ହୋଇଥିବା ହାଇପ୍ରୋଫାଇଲ ଡ୍ରାମା ଉପରେ ଥରେ ନଜର ପକାନ୍ତୁ । ରବିବାର ସମୟ ସଂଧ୍ୟା ୬ଟା । ସ୍ଥାନ: କୋଲକାତା ପୋଲିସ କମିସନରଙ୍କ ଘର । ସରକାରୀ ବାସଭବନରେ ପହଂଚିଥିଲା ସିବିଆଇ ଟିମ୍ । ଏହାପରେ ଆରମ୍ଭ ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ସିବିଆଇ ଅଧିକାରୀଙ୍କୁ ଗିରଫ କରିଥିଲା କୋଲକାତା ପୁଲିସ୍ । ସେପଟେ ଘଟଣାସ୍ଥଳରେ ପହଁଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । କେନ୍ଦ୍ର ବିରୋଧୀ ସ୍ୱର ସହ ସେଠାରେ ପ୍ରେସ୍ ମିଟ୍ କରିଥିଲେ ମମତା ଓ ଏହାପରେ କୋଲକାତା ମେଟ୍ରୋ ଷ୍ଟେସନ୍ ସମ୍ମୁଖରେ ଦେଇଥିଲେ ଧାରଣା । ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ବଢ଼ିବା ପରେ ମୋଦି ବିରୋଧୀ ନେତାଙ୍କର ମମତାଙ୍କ ପ୍ରତି ସମର୍ଥନ ଆସିବାରେ ଲାଗିଥିଲା । ସେପଟେ ସୁପ୍ରିମକୋର୍ଟରେ ପହଁଚିଥିଲା ମାମଲା ଓ ତଦନ୍ତରେ ସିବିଆଇକୁ ରାଜୀବ କୁମାର ସହଯୋଗ କରନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ୍ ଦେଇଥିଲେ ନିର୍ଦ୍ଦେଶ । ଏହି କ୍ରମରେ ସିଲଂରେ କୋଲକାତା ପୁଲିସ କମିସନରଙ୍କୁ ଜେରା କରିବ ସିବିଆଇ ।