ଇମ୍ରାନଙ୍କ ବୟାନକୁ ନେଇ ଚର୍ଚ୍ଚା । କହିଲେ, ଗୁଳିମାଡ ପଛରେ ୩ ବ୍ୟକ୍ତିଙ୍କ ହାତ ! ଗୁଇନ୍ଦା ମୁଖ୍ୟଙ୍କ ସମ୍ପୃକ୍ତି ଅଭିଯୋଗ

144

କନକ ବ୍ୟୁରୋ : ଗୁଳିମାଡ଼ରେ ଗୁରୁତର ହେବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆକ୍ରମଣ ନେଇ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ କେବଳ ପାକିସ୍ତାନ ନୁହେଁ ଭାରତରେ ମଧ୍ୟ ଚର୍ଚ୍ଚା ହେଉଛି । ସେ ଜାଣିଥିଲେ ତାଙ୍କ ଉପରେ ଆକ୍ରମଣ ହେବାକୁ ଯାଉଛି । ଏବଂ ଏହି ଆକ୍ରମଣ ପଛରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ, ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ମୁଖ୍ୟ ଫୈଜଲ ନାସୀରଙ୍କ ହାତ ଥିବା ନେଇ ଅଭିଯୋଗ ଆଣିଛନ୍ତି ଇମ୍ରାନ୍ । ତାଙ୍କ ଦଳର ଏକାଧିକ ନେତାଙ୍କୁ ଧମକପୂର୍ଣ୍ଣ ଫୋନ ଆସିଥିବା ବେଳେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରାଯାଇଥିଲା ବୋଲି ସେ କହିଛନ୍ତି । ଆଉ ଇମ୍ରାନଙ୍କ ଏହି ବୟାନ ପରେ ପାକିସ୍ତାନରେ ପରିସ୍ଥତି ଉତେଜନାପୂର୍ଣ୍ଣ ରହିଛି । ଇମ୍ରାନଙ୍କ ହଜାର ହଜାର ସମର୍ଥକ ରାସ୍ତାକୁ ଓହ୍ଲାଇବା ସହ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି । ସ୍ଥିତି ଅଣାୟତ ହେବାରୁ ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ୍ଡାଉନ ଜାରି କରାଯାଇଛି ।

ଇମ୍ରାନ ଖାନ୍ ଶୁକ୍ରବାର ଲାହୋରରେ ଚିକିତ୍ସିତ ହେଉଥିବା ହସ୍ପିଟାଲରୁ ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ଜୀବନରୁ ମାରି ଦେବାକୁ ୪ ଜଣ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଥିବା କହିଥିଲେ । ଏବଂ ସେହି ୪ ଜଣ ବ୍ୟକ୍ତି ନାମ କହି ଏକ ଭିଡିଓ କରିବା ସହ ଆକ୍ରମଣର ଯୋଜନା ବିଦେଶରୁ ହୋଇଥିବା କହିଥିଲେ । ଯଦି ତାଙ୍କ ପ୍ରତି ବିପଦ ଆସେ ତେବେ ସେ ଉକ୍ତ ଭିଡିଓ ରିଲିଜ କରିଦେବେ ବୋଲି କହିଥିଲେ ପିଟିଆଇ ଅଧ୍ୟକ୍ଷ । ତେବେ ଆକ୍ରମଣ ପଛରେ ଆଇଏସଆଇ ଜେନେରାଲ ଫେଜଲଙ୍କ ହାତ ଥିବା ଅଭିଯୋଗକୁ ଖଣ୍ଡନ କରି ପାକିସ୍ତାନ ସେନା କହିଛି, ଇମ୍ରାନଙ୍କ ଏଭଳି ବୟାନ ସମ୍ପୁର୍ଣ୍ଣ ଭିତ୍ତିିହୀନ ଏବଂ ବେପରୁଆ । ବିନା ପ୍ରମାଣରେ ବରିଷ୍ଠ ସେନା ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିବା ଆଦୌ ଗ୍ରହଣୀୟ ନୁହେଁ ।

ପାକିସ୍ତାନର ରାଜଧାନୀ ଇସଲାମବାଦ, ବେଲୁଚିସ୍ତାନ, ପେଶାୱର ଆଦି ପ୍ରଦେଶରେ ପିଟିଆଇ କର୍ମୀ ବିକ୍ଷୋଭ ଜାରି ରଖିଥିବା ବେଳେ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବାସ୍ତବରେ ଇମ୍ରାନଙ୍କ ଆକ୍ରମଣ ପଛରେ କାହାର ହାତ ତାହା ନିରପେକ୍ଷ ତଦନ୍ତ ହେଲେହିଁ ଜଣାପଡିବ ।