ଭାରତକୁ ଏକ ନମ୍ବର ନ କରିବା ଯାଏଁ ଚୁପ୍ ବସିବୁ ନାହିଁ । ୭୫ ବର୍ଷ ହେବ କୌଣସି ସରକାର କିଛି କରିନାହାନ୍ତି, କେଜ୍ରିୱାଲ ମାରିଲେ ରାଜନୀତି ବାଣ ।

244

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ମେକ ଇଣ୍ଡିଆ ନମ୍ବର ୱାନ’ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଆଉ କହିଛନ୍ତି, ଯେତେବେଳ ଯାଏଁ ଭାରତକୁ ଏକ ନମ୍ବର ଦେଶ ଭାବେ ଗଢି ନ ତୋଳିବା ସେତେବେଳ ଯାଏଁ ଆରାମ କରିବାନି । ଏହା ଆମକୁ ପଣ କରିବାକୁ ପଡିବ । ଏଥିପାଇଁ ମୁଁ ପୂରା ଦେଶ ବୁଲିବି, ଲୋକଙ୍କ ସହ ମିଶିବି । ଆଉ ଏଥିପାଇଁ ୧୩୦ କୋଟି ଲୋକଙ୍କୁ ଯୋଡିବାକୁ ଚେଷ୍ଟା କରିବି, ଆଉ ୧୩୦ କୋଟି ଦେଶବାସୀ ଏକାଠି ହେଲେ ଭାରତକୁ ଏକ ନମ୍ବର ହେବାରୁ କେହି ଅଟକାଇ ପାରିବେନି । ଏହାସହ କ୍ରେଜିୱାଲ କହିଛନ୍ତି, ସ୍ୱାଧୀନତାକୁ ୭୫ ବର୍ଷ ପୂରିଛି, ଏହି ୭୫ ବର୍ଷ ଭିତରେ ଭାରତ ଅନେକ କିଛି ହାସଲ କରିଛି । କିନ୍ତୁ ଲୋକଙ୍କ ମନରେ ଏବେ ବି କ୍ଷୋଭ ଓ ପ୍ରଶ୍ନ ରହିଛି, ଆମ ପରେ ସ୍ୱାଧୀନତା ହାସଲ କରିଥିବା ଦେଶ କିଭଳି ଆଗେଇ ଗଲେ । ଭାରତ କାହିଁକି ପଛରେ ରହିଲା, ଏହା ଏବେ ପ୍ରତି ଭାରତୀୟଙ୍କ ପ୍ରଶ୍ନ ।

କେଜ୍ରିୱାଲ କହିଛନ୍ତି, ସିଙ୍ଗାପୁର ଆମ ଠାରୁ ୧୫ ବର୍ଷ ପରେ ସ୍ୱାଧୀନ ହେଲା କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଆମ ଠାରୁ ଆଗରେ ରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ପୂରା ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା କିନ୍ତୁ ଏବେ ଭାରତ ଠାରୁ ବେଶ ବିକଶିତ ଜାପାନ । ଭାରତରେ ବିଶ୍ୱର ସବୁଠୁ ପରିଶ୍ରମୀ ଓ ଜ୍ଞାନୀ ଲୋକ ରହିଛନ୍ତି ତଥାପି ଆମେ ପଛରେ କାହିଁକି?

ଭଗବାନ ଭାରତକୁ ବହୁତ କିଛି ପ୍ରଦାନ କରିଛନ୍ତି । ପ୍ରାକୃତିକ ସମ୍ପଦରେ ଭାରତ ଭରପୂର । ଦୀର୍ଘ ଜଳରାଶି ସାଙ୍ଗକୁ ପ୍ରାକୃତିକ ସମ୍ପଦ ଭାରତର ସବୁଠୁ ବଡ ଶକ୍ତି । ଏପରିକି ଭାରତରେ ସବୁଠୁ ଜ୍ଞାନୀ ଲୋକ ଜନ୍ମ ନେଇଛନ୍ତିି । କିନ୍ତୁ ଯଦି ଏହି ନେତାଙ୍କ ଭରସାରେ ଦେଶକୁ ଛାଡିଦିଆଯିବ ତେବେ ଭାରତ ଆହୁରି ୭୫ ବର୍ଷ ପଛରେ ରହିବ । କାରଣ ଏହି ନେତାଙ୍କ ପାଇଁ ପରିବାର ଦେଶଠୁ ବି ଉପରେ । ଦେଶକୁ ଲୁଟିବାକୁ ଭଷ୍ଟ୍ରାଚାର କରିବାକୁ ପଛାନ୍ତି ନାହିଁ ଏମାନେ । ଏହି ୭୫ ବର୍ଷରେ ଏହି ନେତା ମାନେ ନିଜର ଓ ନିଜ ବନ୍ଧୁଙ୍କ ପକେଟ ଗରମ କରିବା ଛଡା କିଛି ବି କରିନାହାନ୍ତି । ଆମ ଦେଶରେ ଦକ୍ଷ ଇଞ୍ଜିନିୟରଳ ଦକ୍ଷ ଡାକ୍ତର, ଦକ୍ଷ ବୈଜ୍ଞାନିକ, ଦକ୍ଷ ଚାଷୀ ଅଛନ୍ତି ତେଣୁ ଆମ ଦେଶ କାହିଁକି ପଛରେ ରହିବ? ତେଣୁ ଆମ ଦେଶକୁ ଆଗକୁ ନେବାକୁ ହେଲେ ୧୩୦ କୋଟି ଲୋକଙ୍କୁ ଏକାଠି ହେବାକୁ ପଡିବ ।