ସିଦ୍ଧୁ ବିତର୍କ ପାଇଁ ଦେଲେ ଆହ୍ୱାନ । କେଜ୍ରିୱାଲ କହିଲେ, ସ୍ଥାନ ଓ ସମୟ ଠିକ୍ କରି କୁହ । 

111

କନକ ବ୍ୟୁରୋ : ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଉ ଏଥିପାଇଁ ଏବେଠୁ ସରଗରମ ହେଲାଣି ପଞ୍ଜାବ ରାଜନୀତି । ଗୋଟିଏ ପଟେ କଂଗ୍ରେସରେ କନ୍ଦଳ ଲାଗି ରହିଥିବା ବେଳେ ଅନ୍ୟପଟେ କ୍ୟାପଟେନ ପଦ୍ମକୁ ସାଥୀ କରି ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ସେହିଭଳି ଆମ୍ ଆଦମୀ ପାର୍ଟି ଏବେ ଉଭୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିବା ସହ ଲୋକଙ୍କ ଭରସା ଜିତିବାକୁ ଚାହୁଁଛି । ଯେଉଁଥିପାଇଁ ବଡ ବଡ ଘୋଷଣା ସହ ପଞ୍ଜାବ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଚାହୁଁଛି ଆପ୍ । ଆଉ ଏସବୁ ଭିତରେ ପଞ୍ଜାବ କଂଗ୍ରେସ ମୁଖିଆ ନବଜୋତ ସିଂହ ସିଦ୍ଧୁ ଆପ୍ ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି । ଆଉ ସିଦ୍ଧୁଙ୍କ ଏହି ବିତର୍କ ଆହ୍ୱାନକୁ ସ୍ୱୀକାର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖିଆ ଅରବିନ୍ଦ କେଜ୍ରିୱାଲ ।

କେଜ୍ରିୱାଲ କହିଛନ୍ତି, ବିତର୍କ ପାଇଁ ସ୍ଥାନ ଓ ସମୟ କୁହ । ଆଉ ଏଥିପାଇଁ ଦଳର ପଞ୍ଜାବ ଅଧ୍ୟକ୍ଷ ଭଗବନ୍ତ ମାନଙ୍କ ନାଁ ସାମ୍ନାକୁ ଆଣିବା ସହ ସକରାତ୍ମକ ଚର୍ଚ୍ଚା ହେବ ବୋଲି ଆଶା କରିଛନ୍ତି । ଏହାସହ କେଜ୍ରିୱାଲ କହିଛନ୍ତି, ରାଜ୍ୟର ବିକାଶକୁ ନେଇ ଆଲୋଚନା ହେବା ନିହାତି ଆବଶ୍ୟକ । ଆଉ ଏଥିପାଇଁ ଏହି ବିତର୍କକୁ ସ୍ୱାଗତ କରୁଛି । ଏହାସହ କେଜ୍ରିୱାଲ କହିଛନ୍ତି, ପଞ୍ଜାବର ବିକାଶ ପାଇଁ କଂଗ୍ରେସକୁ ୫ ବର୍ଷ ମିଳିଥିଲା । କିନ୍ତୁ ବିକାଶ ବଦଳରେ କେବଳ ଲୋକଙ୍କ ଆଗରେ ବାହାନା କରିଛି ଦଳ ।