ଜମ୍ମୁ-କାଶ୍ମୀର ସୁଞ୍ଜୁଆନରେ ଚାଲିଛି ଅପରେସନ ! ତିନିଦିନରେ ଦୁଇଟି ସେନା କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ

12

କନକ ବ୍ୟୁରୋ : ତିନି ଦିନରେ ଦୁଇ ଦୁଇଟି ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ । ପ୍ରଥମେ ସୁଂଜୁଆନ୍ ଆଉ ଆଜି ଶ୍ରୀନଗର । ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିବାକୁ ଆସିଥିବା ଦୁଇ ଆତଙ୍କବାଦୀଙ୍କୁ ଧରିବାକୁ ସେନାର ଅପରେସନ୍ ଜାରି ରହିଛି । ତେବେ ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହାରି ଭିତରେ ପୁଣି ଏକ ସର୍ଜିକାଲ୍ ଷ୍ଟ୍ରାଇକର ଆଶଙ୍କା କରିଛି ପାକିସ୍ତାନ । ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ । ଚାଲିଛି ଘମାଘୋଟ୍ ଲଢେଇ । ଭିତରେ ଆତଙ୍କୀ ଆଉ ବାହାରୁ ଘେରି ରହିଛନ୍ତି ବୀର ଯବାନ । ଆତଙ୍କବାଦୀ ଲୁଚିଥିବା ବିଲଡିଂ ଉପରକୁ ଗୁଳି ଓ ବୋମା ମାଡ କରୁଛନ୍ତି ସେନା ଯବାନ । ଭିତରୁ ବି ସେନା ଉପରକୁ ଗୁଳିମାଡ ହେଉଛି ।

ଆଜି ଭୋରରେ ହଠାତ୍ ଫୁଟିଥିଲା ଗୁଳି । ତୁଷାରପାତ ଭିତରେ ଏକେ-୪୭ ରାଇଫଲ୍ ଧରି ଶ୍ରୀନଗରର କରନ ନଗର ସିଆରପିଏଫ୍ କ୍ୟାମ୍ପରେ ପଶିବାକୁ ଉଦ୍ୟମ କରିଥିଲେ ଦୁଇ ଆତଙ୍କବାଦୀ । ସେନାର କୁଇକ୍ ରିଆକ୍ସନ ଟିମ୍ ଏହାର କଡା ଜବାବ ଦେଇଥିଲେ । ସେନାର ପାଲଟା ଗୁଳିଚାଳନାରେ ଛତ୍ରଭଂଗ ଦେଇଥିଲେ ଆତଙ୍କୀ । ଏବଂ ଏକ ବିଲଡିଂ ଭିତରେ ଲୁଚି ଯାଇଥିଲେ । ଆତଙ୍କୀଙ୍କୁ ଧରିବାକୁ ସେନା ଘେରାବନ୍ଦୀ କରି ଅପରେସନ ଚଲାଇଛି । ତେବେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ତିନି ଦିନ ଭିତରେ ଦୁଇ ଦୁଇଟି ସେନା କ୍ୟାମ୍ପକୁ ଟାର୍ଗେଟ୍ ହେଲାଣି । ଆତଙ୍କୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ୬ ଜଣ ଯବାନ । ପାଲଟା ଆକ୍ରମଣରେ ୪ ଆତଙ୍କୀ ବି ନିହତ ହୋଇଛନ୍ତି । ଲଗାତର ଆତଙ୍କବାଦୀ ଆକ୍ରମଣ ପରେ ଜରୁରୀ ବୈଠକ କରିଛନ୍ତି ଗୃହମନ୍ତ୍ରୀ । ତିନି ସେନାର ମୁଖ୍ୟଙ୍କ ସହ ଗୃହ ସଚିବ, ଗୁଇନ୍ଦା ମୁଖ୍ୟ ଓ ‘ର’ ମୁଖ୍ୟ ଦେଶର ସୁରକ୍ଷା ନେଇ ଆଲୋଚନା କରିଛନ୍ତି ।

ସୁଂଜୁୱାନ୍ ଆର୍ମି କ୍ୟାମ୍ପ ଆକ୍ରମଣରେ ପାକିସ୍ତାନର ଜୈସ୍ ଆତଙ୍କବାଦୀ ସାମିଲ ଥିବା ନେଇ ଭାରତ ଅଭିଯୋଗ କରିବା ପରେ ଭୟଭୀତ ହୋଇପଡିଛି ପାକିସ୍ତାନ । ଭାରତ ପକ୍ଷରୁ ପୁଣି ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ହେବା ଆଶଙ୍କା କରୁଛି । ଏବଂ ଭାରତକୁ ଦେଇଛି ଧମକ । କହିଛି, ସୁଂଜୁୱାନ୍ ଆକ୍ରମଣରେ ନାହିଁ ପାକିସ୍ତାନର ସମ୍ପର୍କ । ତେଣୁ ପାକିସ୍ତାନରେ ସର୍ଜିକାଲ୍ ଷ୍ଟାଇକର ଚିନ୍ତା ନକରୁ ଭାରତ ।