ବିଶିଷ୍ଟ ଗଜଲ ଗାୟକ ଭୂପିନ୍ଦର ସିଂହଙ୍କ ପରଲୋକ : ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

340

କନକ ବ୍ୟୁରୋ : ବଲିଉଡର ପ୍ରଖ୍ୟାତ ଗାୟକ ଓ ଗଜଲ ଗାୟକ ଭୂପିନ୍ଦର ସିଂହଙ୍କ ପରଲୋକ ହୋଇଛି । ପତ୍ନୀ ମିତାଲୀ ସିଂହ ତାଙ୍କ ପରଲୋକ ନେଇ ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଯାହା ପରେ ସୋମବାର ସନ୍ଧ୍ୟାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ୧୯୪୦ ମସିହା ଫେବୃଆରୀ ୬ ତାରିଖରେ ଅମୃତସରରେ ଜନ୍ମିତ ଭୂପିନ୍ଦର ପିତା ନଥ୍ୟା ସିଂହଙ୍କ ଠାରୁ ସଂଗୀତ ଶିକ୍ଷା ଲାଭ କରିଥିଲେ ।

ପିଲାଦିନରୁ ଗିଟାର ବଜାଇବାରେ ସେ ମାହିର ଥିଲେ । ସେ ବଲିଉଡର ଅନ୍ୟତମ ଜଣାଶୁଣା ଗାୟକ ଏବଂ ତାଙ୍କ ନାଁରେ ଅନେକ ହିଟ୍ ଗୀତ ରହିଛି । ‘ଦିଲ୍ ଢୁଣ୍ଡତା ହେ’, ନାମ ଗୁମ ଜାୟେଗା, ମେରେ ରଙ୍ଗ ଦେ ବସନ୍ତୀ, ବୀତି ନା ବିତାଇ ରୈନା, ଜିନ୍ଦେଗୀ ମେରେ ଘର ଆନା, ସାୱନ କେ ଦିନ୍ ଆୟେ, କିସି ନଜର କୋ ତେରା, ଫିର୍ ତେରି ୟାଦ ନା ଆୟେ ଆଦି ଅନେକ ଗୀତରେ କଣ୍ଠଦାନ କରିଛନ୍ତି । ଭୂପେନ୍ଦ୍ରଙ୍କ ଗଜଲ ଗୀତ ମଧ୍ୟ ଏକ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ତାଙ୍କ ପତ୍ନୀ ମିତାଲୀ ମଧ୍ୟ ଜଣେ ଜଣାଶୁଣା ଗଜଲ ଗାୟିକା ।

ସେ ତାଙ୍କ ପତ୍ନୀଙ୍କ ସହ ଶତାଧିକ ଗଜଲ ଗୀତ ପରିବେଷଣ କରିସାରିଛନ୍ତି । ନିଜର ପାଞ୍ଚ ଦଶନ୍ଧିର ଲମ୍ବା କ୍ୟାରିୟର ମଧ୍ୟରେ ଭୂପେନ୍ଦ୍ର ସଂଗୀତ ଜଗତର ସବୁଠାରୁ ବଡ଼ ନାଁ ଯେପରି ମହମ୍ମଦ ରଫି, ଆରଡି ବର୍ମନ୍, ଲତା ମଙ୍ଗେସକର, ଆଶା ଭୋଂସଲେ ଓ ବାପି ଲାହିରିଙ୍କ ସହ କାମ କରିଛନ୍ତି । ଭୂପେନ୍ଦ୍ରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।