କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ବିବାଦ ଭିତରେ ପଦାରେ ପଡିଲା କଂଗ୍ରେସର ଦୋଷ ଦୁର୍ବଳତା । ମଲ୍ଲିକାର୍ଜୁନ ନୁହେଁ ବରଂ ସୋନିଆ କଲେ ସମାଧାନ

426

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିବାର ୫ ଦିନ ପୁରିଯାଇଥିଲେ ବି ଏପର୍ଯ୍ୟନ୍ତ ସରକାର ଗଠନ କରିପାରିନାହିଁ । ବହୁ ବିଚାର ବିମର୍ଶ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ କର୍ଣ୍ଣାଟକ ପିସିସି ସଭାପତି ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି କଂଗ୍ରେସ । କ୍ଷମତାକୁ ନେଇ କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇଛି ସତ କିନ୍ତୁ କଂଗ୍ରେସର ଦୋଷ ଦୁର୍ବଳତା ପଦାକୁ ଆସିଛି । ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଭାପତି ହୋଇଥିଲେ ବି କର୍ଣ୍ଣାଟକ ବିବାଦର ସମାଧାନ କରିପାରି୍ନଥିଲେ । ଯେଉଁଥିପାଇଁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା । ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦବୀ ସ୍ୱିକାର କରିବା ପଛରେ ସୋନିଆ ଗାନ୍ଧୀଙ୍କ ହାତ ରହିଥିବା କଥା କୁହାଯାଉଛି ।

କର୍ଣ୍ଣାଟକରେ ବିଜେପିର ପରାଜୟ ପରେ ଚିନ୍ତାରେ ପଡିଯାଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାର ଅଛି । ଏହି ୪ ରାଜ୍ୟରୁ କେବଳ ମଧ୍ୟପ୍ରଦେଶରେ ବିଜେପି ସରକାରରେ ଅଛି । ତେବେ କର୍ଣ୍ଣାଟକରେ ହାଇଭୋଲଟେଜ ପ୍ରଚାର ସତ୍ୱେ ବିଜେପିର ପ୍ରଦର୍ଶନ ଖରାପ ରହିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ମାନେ କର୍ଣ୍ଣାଟକରେ ପ୍ରଚାର କରିଥିଲେ । ହେଲେ ଦଳ ପୂର୍ବ ନିର୍ବାଚନ ଅପେକ୍ଷା ୩୮ଟି ଆସନ କମ ପାଇଥିଲା । ସେପଟେ ରାଜସ୍ଥାନ, ମଧ୍ୟପ୍ରଦେଶରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଦଳକୁ ଚିନ୍ତାରେ ପକାଇ ଦେଇଛି । ଛତିଶଗଡ଼ ଓ ରାଜସ୍ଥାନରେ ପୁଣି ଥରେ ସରକାର କରିବା କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ବଡ ଚ୍ୟାଲେଂଜ ହୋଇଛି ।

ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ପାଇଁ ଦଳୀୟ କନ୍ଦଳ ସମାଧାନ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆଉ ବିଜେପି ପାଇଁ ରାଜ୍ୟ ଓ ସ୍ଥାନୀୟ ନେତୃତ୍ୱଙ୍କ ଅଭାବ ଚ୍ୟାଲେଞ୍ଜ ସୃଷ୍ଟି କରିବ । ତେବେ ଏହି ୪ ରାଜ୍ୟରେ ନିର୍ବାଚନର ପ୍ରଭାବ ନିଶ୍ଚିତ ୨୦୨୪ ଲୋକସଭା ନିର୍ବାଚନ ଉପରେ ପଡିବ ବୋଲି କୁହାଯାଉଛି ।