କାଶ୍ମୀରଠୁ କନ୍ୟାକୁମାରୀ, କଂଗ୍ରେସର ‘ଭାରତ ଯୋଡ’ ଯାତ୍ରା । 

112

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ଏବଂ ଦେଶର ପ୍ରକୃତ ସମସ୍ୟା ସମସ୍ତଙ୍କ ସାମ୍ନାକୁ ଆଣିବା ପ୍ରସଙ୍ଗକୁ ନେଇ କଂଗ୍ରେସ ‘ଭାରତ ଯୋଡ’ ଅଭିଯାନ ଆରମ୍ଭ କରିଛି । ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ ଜାମ୍ମୁକାଶ୍ମୀରରେ ଶେଷ ହେବ । ରାହୁଲ ଗାନ୍ଧୀଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଏବି ଜନସଂପର୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି । କନ୍ୟାକୁମାରୀରୁ କାଶ୍ମୀର ଯାଏଁ ୩୭ଶହ କିଲୋମିଟର ଯାଏଁ ପଦଯାତ୍ରା କରାଯିବ ।

ଜନସମ୍ପର୍କ ପଦଯାତ୍ରାରେ ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ରହିବ । ୧୫୦ ଦିନର ପଦଯାତ୍ରାରେ ପ୍ରାୟ ୩୭ଶହ କିଲୋମିଟର ଯାତ୍ରା କରିବେ ରାହୁଲ ଗାନ୍ଧୀ । ଏହି ଜନସମ୍ପର୍କ ପଦଯାତ୍ରାରେ ୩୦ପ୍ରତିଶତ ମହିଳା ରହିବେ । ଦରଦାମ୍ ବୃଦ୍ଧି, ଦେଶରେ ଅର୍ଥନୀତି ଅବସ୍ଥା, ବେକାରୀ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଲୋକଙ୍କ ସମସ୍ୟାକୁ ଶୁଣିବା ପାଇଁ କଂଗ୍ରେସ ଏହି ଜନସମ୍ପର୍କ ଯାତ୍ରା କରିବାକୁ ଯାଉଛି ।

କଂଗ୍ରେସର ଏହି ଭାରତ ଯୋଡ଼ୋ ଯାତ୍ରା ପରିବର୍ତନଶୀଳ ରାଜନୀତି ଉଦ୍ଦେଶ୍ୟରେ କରାଯାଉଛି । ଅଭିଯାନ ମାଧ୍ୟମରେ ଦେଶର ସମସ୍ତ କଂଗ୍ରେସକର୍ମୀ ଓ ସଦସ୍ୟଙ୍କୁ ଯୋଡିବା ଏହି ଅଭିଯାନର ମୂଳମନ୍ତ୍ର । ମୁଖ୍ୟତଃ ଏହି ଯାତ୍ରା ଜରିଆରେ କଂଗ୍ରେସର ଟାର୍ଗେଟରେ ରହିଛି ବିଜେପି । ସମାଜର ସବୁ ଧର୍ମର ଲୋକ ଏହି ଯାତ୍ରାରେ ସାମିଲ ହେବା ପାଇଁ କଂଗ୍ରେସ ଆହ୍ୱାନ ଦେଇଛି ।

ଗତ କିଛି ବର୍ଷ ହେଲା କଂଗ୍ରେସ ମାତ୍ର ହାତ ଗଣତି କିଛି ରାଜ୍ୟରେ ଶାସନରେ ଥିବା ବେଳେ ବହୁ ରାଜ୍ୟରେ ବିରୋଧୀ ଆସନରେ ବସିଛି । ଯାହା ଦଳୀୟ କର୍ମକର୍ତାଙ୍କ ମନୋବଳକୁ ହ୍ରାସ କରୁଛି । ତେଣୁ ଦେଶରେ ସାଧାରଣ ନିର୍ବାଚନ ପୂର୍ବରୁ କର୍ମୀଙ୍କ ମନରେ ଭାରତ ଯୋଡୋ ଅଭିଯାନ ନୂଆ ଯୋଶ ଭରିବ ବୋଲି ଦଳ ଆଶା ରଖିଛି । ସେପଟେ ବିଜେପି କଂଗ୍ରେସର ଭାରତ ଯୋଡ ଆନ୍ଦୋଳନକୁ ଭାରତ ତୋଡ୍ ଆନ୍ଦୋଳନର ନାଁ ଦେଇଛି ।

କଂଗ୍ରେସର ଭାରତ ଯୋଡୋ ଯାତ୍ରା ସେପ୍ଟେମ୍ବର ୭ରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଛି । ପରେ ତିରୁଭନନ୍ତପୁରମ, କୋଚି, ନୀଲାମ୍ବୁର, ବେଲାରୀ, ରାୟଚୁର, ବିକାରାବାଦ, ନାନେ୍ଧଡ, ଜଲଗା, ଇନ୍ଦୋର,କୋଟା, ଦୌସା, ଅଲୱର, ବୁଲନ୍ଦସହର, ଦିଲ୍ଲୀ, ଅମ୍ବାଲା, ପଠାନକୋର୍ଟ, ଜମ୍ମୁ ହୋଇ ଶ୍ରୀନଗରରେ ଶେଷ ହେବ ।