ଦିବ୍ୟାଙ୍ଗମାନଙ୍କ ପାଇଁ ଆଶୀର୍ବାଦ ! ରୋବୋଟିକ ହାତ ଦୂର କରିବ ସମସ୍ୟା ।

29

ଆଇଆଇଟି କାନପୁରର ହାତ ଦିବ୍ୟାଙ୍ଗ ମାନଙ୍କ ପାଇଁ ସହାୟକ ହେବ । ଏଣିକି ଦିବ୍ୟାଙ୍ଗମାନେ ମଧ୍ୟ ସାଧାରଣ ଲୋକମାନଙ୍କ ପରି ନିଜର ଦୈନନ୍ଦିନ କାମ ଏବଂ ଆବଶ୍ୟକତାକୁ ପୂରଣ କରିପାରିବେ । ମେକାନିକାଲ ଇଞ୍ଜିନିୟରିଂ ବିଭାଗର ମାଷ୍ଟର ଅଫ ସାଇନ୍ସ ରିସର୍ଚ୍ଚର ଛାତ୍ର ନିଶାନ୍ତ ଅଗ୍ରୱାଲ ଏକ ସ୍ୱତନ୍ତ୍ର ପ୍ରକାରର ରୋବୋଟିକ୍ ହାତ ତିଆରି କରିଛନ୍ତି । ତେବେ ଏହାର ବିଶେଷତ୍ୱ ହେଉଛି ଏହାକୁ ବିନା ଅପରେସନ ଦ୍ୱାରା ମଧ୍ୟ ଶରୀରରେ ଫିଟ କରାଯାଇପାରିବ । ଏହି ରୋବୋଟିକ ହାତ ସେମାନଙ୍କ ପାଇଁ ଅଟେ, ଯେଉଁମାନେ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ନିଜ ହାତ ହରାଇଛନ୍ତି ।

କିପରି କରିବ କାମ ?

ବିଶେଷଜ୍ଞଙ୍କ ଅନୁଯାୟୀ, ଶରୀରରେ ପ୍ରବାହିତ ହେଉଥିବା କରେଣ୍ଟ ହାତକୁ କ୍ରିୟାଶୀଳ କରିବା ପାଇଁ କହିଥାଏ । ଏହି ରୋବୋଟିକ ହାତ ଇଲେକ୍ଟ୍ରୋମାୟୋଗ୍ରାଫ ଉପାୟରେ କାର୍ଯ୍ୟକାରୀ ହେବ । ଏଥିରେ ଇସିଜିରେ ମୁଣ୍ଡରେ ଲାଗୁଥିବା ଚିପ୍ ଭଳି ଦୁଇଟି ଇଏମଜି ଚିପ ଲଗାଯାଇଛି । ଏହାକୁ ଶରୀରର କହୁଣୀରୁ ଉପରକୁ ଲଗାଇଲେ ଶରୀରରେ ପ୍ରବାହିତ ହେଉଥିବା କରେଣ୍ଟ ରୋବୋଟିକ ହାତରେ ଲାଗିଥିବା ମାଇକ୍ରୋ କଣ୍ଟ୍ରୋଲର ପର୍ଯ୍ୟନ୍ତ ପହଞ୍ଚିଯିବ । ଏଠାରେ ୩.୭ ଭୋଲ୍ଟର ବ୍ୟାଟେରୀ ପର୍ଯ୍ୟନ୍ତ ଯାଇ କରେଣ୍ଟ ଆଙ୍ଗୁଳିକୁ କ୍ରୀୟାଶୀଳ କରାଇବ । ବ୍ୟାଟେରୀକୁ ମୋବାଇଲ ଆଡପ୍ଟର ଦ୍ୱାରା ଚାର୍ଜ କରାଯାଇପାରିବ ।

ଏହି କୃତ୍ରିମ ହାତ ୮୦୦ଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇପାରିବ । ପ୍ରତିଟି ବସ୍ତୁର ଅନୁରୂପ ଅନୁଯାୟୀ ଆଙ୍ଗୁଳିଗୁଡିକ କ୍ରିୟୀଶୀଳ ହେବାପାଇଁ ଏଥିରେ ସେନସର ଲଗାଯାଇଛି । ମେକାନିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ପଙ୍କଜ ବାହିଙ୍କ ନିଦର୍ଶନରେ ଛାତ୍ରଜଣଙ୍କ ଏହି ରୋବୋଟିକ ହାତକୁ ଦୁଇ ବର୍ଷ ମଧ୍ୟରେ ପ୍ରସ୍ତୁତ କରିଛନ୍ତି । ଆଉ ଏଥିପାଇଁ ପାଖାପାଖି ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏହାକୁ ପୋଲିବିନାଇଲ ଫ୍ଲୋରାଇଡ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୮ ହଜାର ଟଙ୍କା ହେବ । ବଜାରରେ ଉପଲବ୍ଧ ହେଉଥିବା ୧୫ ଲକ୍ଷ ଟଙ୍କାର କୃତ୍ରିମ ହାତ ଅପେକ୍ଷା ଏହା ସବୁଠାରୁ ଶସ୍ତା ଅଟେ । ଆଇଆଇଟି ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ରୋବୋଟିକ ହାତ ଦିବ୍ୟାଙ୍ଗମାନଙ୍କ ପାଇଁ ଅନେକ ସହାୟତା ହେବ । ଏହାକୁ ଅଧିକ ବିକଶିତ କରିବା ପାଇଁ କାମ ଆରମ୍ଭ ହୋଇଯାଇଛି ।