କୋଇଡାରେ ପହଁଚିଲା ପ୍ରଶାସନ : ଭୋକିଲା ପେଟରେ ଶିଶୁ ଅଇଁଠା ଖଲି ଚାଟିବାର ଦୃଶ୍ୟ ହୋଇଥିଲା ପ୍ରସାରଣ

 ବିଡିଓ ଏବଂ ସିଡିପିଓ ପହଁଚି ରନ୍ଧା ଖାଦ୍ୟ ଦେବା ସହ ତିନି ଶିଶୁଙ୍କର ଥଇଥାନ୍ ପାଇଁ କଲେ ବ୍ୟବସ୍ଥା 

215

କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ଖବର ପ୍ରସାରଣ ପରେ ପହଂଚିଲା ପ୍ରଶାସନ । କୋଇଡାରେ ଅପପୁଷ୍ଟିର ଶିକାର ଶିଶୁ ରାସ୍ତା କଡରେ ଅଇଁଠା ଖଲି ଚାଟି ଖାଇବାର ଦୃଶ୍ୟ ପ୍ରସାରଣ କରାଯାଇଥିଲା । ଏହାପରେ କୋଇଡାରେ ପହଂଚିଛି ପ୍ରଶାସନିକ କଳ । ଖୋଦ ବିଡିଓ ଏବଂ ସିଡିପିଓ ପହଂଚି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିଛନ୍ତି । ଶିଶୁଟିକୁ ପୁଷ୍ଟିକର ଖାଦ୍ୟ ଦେବା ସହ କୋଳେଇ ନେଇଛନ୍ତି ।

ଗାଁର ପିଲାମାନଙ୍କୁ ରନ୍ଧା ଖାଦ୍ୟ ଦେବାସହ ପିଲାମାନଙ୍କ ତଦାରଖ ପାଇଁ ଏକ ସ୍ୱତନ୍ତ୍ର ଟିମ୍ କରିଛନ୍ତି ସିଡିପିଓ । ରାସ୍ତାରେ ଖଲି ଚାଟୁଥିବା ଛୁଆଟିକୁ ଚାଇଲ୍ଡ ଲାଇନକୁ ପଠାଇବା ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ । ସେହିପରି ତାର ଅନ୍ୟ ଦୁଇ ଭାଇ, ଭଉଣୀଙ୍କୁ ସ୍ଥାନୀୟ ସେବାଶ୍ରମରେ ରଖି ଯତ୍ନ ନିଆଯିବ ବୋଲି ଜଣାପଡିଛି ।

ଗତକାଲି କିଭଳି ଛୋଟିଆ ପୁଙ୍ଗୁଳା ଛୁଆଟିଏ, ରାସ୍ତା କଡରେ ପଡିଥିବା ଅଇଁଠା ଖଲିକୁ ଚାଟି ଖାଉଥିଲା ଖବର ପ୍ରସାରଣ କରାଯାଇଥିଲା । ଯାହାର ଗୋଟିଏ ଚିତ୍ର ସରକାରଙ୍କ ଶହ ଶହ ଯୋଜନା ଉପରେ ହଜାରେ ପ୍ରଶ୍ନ ଛିଡା କରିବା ଭଳି । ଖାଦ୍ୟ ଅଭାବ ଯୋଗୁଁ ଦିନକୁ ଓଳିଏ ଖାଇବାକୁ ନପାଇ ଅପପୁଷ୍ଟିର ଶିକାର ହୋଇଥିଲା ଶିଶୁଟି  ।