ପୁଣି ଜେଏନୟୁ କ୍ୟାମ୍ପସରେ ଛାତ୍ର ହିଂସା: ରାମନବମୀ ଅବସରରେ ଆମିଷ ଖାଦ୍ୟକୁ ନେଇ ମୁହାଁମୁହିଁ ହେଲେ ଛାତ୍ର ଗୋଷ୍ଠୀ 

126

କନକ ବ୍ୟୁରୋ: ପୁଣିଥରେ ଜେଏନୟୁ କ୍ୟାମ୍ପସ୍ରେ ହଙ୍ଗାମା । ଭାରତର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜୱାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରୁ ଆସିଛି ଛାତ୍ର ହିଂସାର ଆଉ ଏକ ଅଭିଯୋଗଗ । ରବିବାର ରାମନବମୀ ଅବସରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ମାରପିଟ୍ ମଧ୍ୟ ହୋଇଥିଲା । ଏଥିରେ ଏବିଭିପି ଛାତ୍ର ଗୋଷ୍ଠୀ ଓ ବାମପନ୍ଥୀ ଛାତ୍ରୀ ଗୋଷ୍ଠୀର ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଘଟଣାକୁ ନେଇ ଜେନେୟୁ କର୍ତୃପକ୍ଷଙ୍କ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । କ୍ୟାମ୍ପସ୍ରେ ହିଂସାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ନୋଟିସ୍ରେ କୁହାଯାଇଛି ।

ଜେଏନୟୁ କ୍ୟାମ୍ପସରେ ପୁଣି ଦେଖିବାକୁ ମିଳିଛି ଛାତ୍ର ହିଂସା । ରାମନବନୀ ଅବସରରେ କଲେଜ୍ କ୍ୟାମ୍ପସରେ ଥିବା କାବେରୀ ହଷ୍ଟେଲରେ ଆମିଷ ଖାଦ୍ୟ ପରସା ନଯିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବାମପନ୍ଥୀ ଛାତ୍ରଗୋଷ୍ଠୀ ଓ ଅଖିଳ ଭାରତୀୟ ବିଦ୍ୟା ପରିଷଦ ଛାତ୍ର ଗୋଷ୍ଠୀ । ରବିବାର ମଧ୍ୟାହ୍ନରେ ଆମିଷ ଖାଦ୍ୟ ପରସା ନଜିବାକୁ  ନେଇ ବାମପନ୍ଥୀ ଛାତ୍ର ଗୋଷ୍ଠୀ ସ୍ୱର ଉଠାଇଥିଲେ । ଏହାକୁ ନେଇ ଏବିଭିପି ଛାତ୍ର ଗୋଷ୍ଠୀଙ୍କ ସହ କଥା କଟାକଟି ହେବା ପରେ ଘଟଣାଟି ହିଂସାତ୍ମକ ରୂପ ନେଇଥିଲା । ସନ୍ଧ୍ୟା ବେଳକୁ ଦୁଇଗୋଷ୍ଠୀ ପରସ୍ପରକୁ ଧମକ ଦେବା ସହ ପଥର ଓ କାଚ ବୋଟଲ ଫୋପାଡିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । କଲେଜରେ ମୁତୟନ ସୁରକ୍ଷା କର୍ମୀ ଘଟଣା ସ୍ଥଳରେ ପହଁଚି ଛାତ୍ର ଗଣ୍ଡଗୋଳକୁ ରୋକିବାକୁ ପ୍ରୟାସ କରିଥିଲେ । ଘଟଣାରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିବାରୁ ତୁରନ୍ତ ଆମ୍ବୁଲାନ୍ସ ପହଁଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

ରବିବାର ହିଂସାକାଣ୍ଡକୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଗୁରୁତର ଭାବେ ନେବା ସହ କ୍ୟାମ୍ପସରେ ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛି । ଘଟଣାକୁ ନେଇ ତଦନ୍ତ କରାଯିବା ସହ ଏଥିରେ ସମ୍ପୃକ୍ତ ଛାତ୍ରଛାତ୍ରୀ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି । ସେପଟେ ଘଟଣାକୁ ନେଇ ସୋମବାର ଅଲ ଇଣ୍ଡିଆ ଷ୍ଟୁଡେଂଟ୍ ଆସୋସିଏସନ୍ ସରଦାର ପଟେଲ୍ ଭୱନ ସମ୍ମୁଖରେ ଧାରଣାକୁ ଓହ୍ଲାଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ଆନ୍ଦୋଳନ ରତ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଛି ।

ଘଟଣାରେ ଅଖିଳ ଭାରତୀୟ ବିଦ୍ୟା ପରିଷଦ ଛାତ୍ର ଗୋଷ୍ଠୀ, ବାମପନ୍ଥୀ ଛାତ୍ରଗୋଷ୍ଠୀ ଉପରେ ରାମନବମୀ ପୂଜା ବନ୍ଦ କରିବାକୁ ଚେଷ୍ଟା କରିବାର ଅଭିଯୋଗ କରିଛି । ସେପଟେ ବାମପନ୍ଥୀ ଗୋଷ୍ଠୀ ଏବିଭିପି ଛାତ୍ରଗୋଷ୍ଠୀ ଉପରେ ହଷ୍ଟେଲ ମେସ୍ରେ ହସ୍ତକ୍ଷେପ କରିବାର ଅଭିଯୋଗ କରିଛି । ସାମାନ୍ୟ କଥାକୁ ନେଇ ଏତେ ବଡ ବିଶ୍ୱବିଦ୍ୟାଳୟ ପୁଣି ଅଶାନ୍ତ ହୋଇ ଉଠିଛି ।