୨୦୨୪ରେ ନିର୍ବାଚନ ଲଢିବେନି କି ସିନିୟର ? ପୁଅଙ୍କ ପାଇଁ  ବାଟ ଛାଡିପାରନ୍ତି ବୟସ୍କ ନେତା । 

351

କନକ ବ୍ୟୁରୋ : ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ଏବେ ୨୦୨୪ ସାଧାରଣ ନିର୍ବାଚନ ଉପରେ ସମସ୍ତଙ୍କ ନଜର । କିନ୍ତୁ ନିର୍ବାଚନକୁ ଆହୁରି ଦୁଇ ବର୍ଷ ଥିବାରୁ, ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି, ନେତାମାନେ ସେମାନଙ୍କ ପୁଅ ମାନଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ସାମ୍ନାକୁ ଆସିଛି । ଏପରିକି କେହି କେହି ନେତା ସାମ୍ନାକୁ ଆସି ଖୋଲାଖୋଲି କହିଛନ୍ତି ବୟସ ହୋଇଗଲାଣି, ନିର୍ବାଚନରୁ ଓହରିଯିବା ଆବଶ୍ୟକ । ଆଉ ପୁଅମାନଙ୍କ ପାଇଁ ବାଟ ଛାଡି ଦେବା ଆବଶ୍ୟକ ।

୨୦୨୪ରେ ନିର୍ବାଚନ ଲଢିବେନି କି ସିନିୟର ? ପୁଅଙ୍କ ପାଇଁ  ବାଟ ଛାଡିପାରନ୍ତି ନେତା । ୨୦୨୪ ସାଧାରଣ ନିର୍ବାଚନରେ କିଏ ଲଢିବ କିଏ ଓହରିଯିବ ତାହାକୁ ନେଇ ଚର୍ଚ୍ଚା ଭିତରେ ବିଜେଡି ଉପସଭାପତି ପ୍ରଫୁଲ୍ଲ୍ ସାମଲ ବଡ ବୟାନ ରଖି ବିଜେଡିର ବୟସ୍କ ନେତାଙ୍କୁ ବଡ ଆହ୍ୱାନ ଦେଇଛନ୍ତି । କହିଛନ୍ତି ଆମ ଭଳି ଯାହାର ବୟସ ହୋଇଗଲାଣି ସେମାନେ ନିର୍ବାଚନରୁ ନିବୃତ ରହିବା ଦରକାର ଆଉ ଯୁବକଙ୍କ ପାଇଁ ପଥ ପରିସ୍କାର କରିବା କଥା କହି ବିଜେଡି ରାଜନୀତିକୁ ଉଷ୍ମ କରିଛନ୍ତି । ପ୍ରଫୁଲ୍ଲ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଚାହିଁଲେ ତାଙ୍କ ପୁଅଙ୍କୁ ଟିକେଟ ମିଳିପାରିବ ।

ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ଏବେ ସକ୍ରିୟ ରାଜନୀତିରେ ଅଛନ୍ତି । ଆଉ ୨୦୨୪ ନିର୍ବାଚନ ପାଇଁ ସେ ସଜବାଜ ହେଉଛନ୍ତି । ସେହିଭଳି ବଦ୍ରିପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ପଞ୍ଚାୟତ ନିର୍ବାଚନରେ ଦମ ଦେଖାଇଥିଲେ । ସେହିଭଳି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଗଂଜାମ ଦିଗପହଣ୍ଡିରେ ପୌର ଓ ପଂଚାୟତ ନିର୍ବାଚନରେ ମୋର୍ଚ୍ଚା ସମ୍ଭାଳିଥିଲେ । ଅନ୍ୟପଟେ ଚିକିଟିରେ ଉଷାଦେବୀଙ୍କ ପୁଅ ସ୍ୱରୂପ ଦେବ ମଧ୍ୟ ନିଜ ନେତୃତ୍ୱର ପରୀକ୍ଷା ଦେଇଛନ୍ତି । ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂଙ୍କ ପୁଅ ଅରୁଣଭ ସିଂଙ୍କୁ ମଧ୍ୟ ପଂଚାୟତ ପ୍ରଚାରର ଦେଖିବାକୁ ମିଳିିଥିଲା । ବାଲେଶ୍ୱର ଭୋଗରାଇରେ ବିଧାୟକ ଅନନ୍ତ ଦାସଙ୍କ ପୁଅ ବିଶ୍ୱଜିତ ଦାସ ପଂଚାୟତ ପରୀକ୍ଷା ଦେଇ ଫେଲ ମାରିଥିଲେ ।

ନିର୍ବାଚନକୁ ଆହୁରି ୨ବର୍ଷରୁ ଅଧିକ ସମୟ ବାକି ଅଛି । କିନ୍ତୁ ଏବେଠାରୁ ହିଁ ବରିଷ୍ଠ ନେତାମାନେ ନିଜ ପୁଅଙ୍କ ପାଇଁ ଚିନ୍ତା କଲେଣି । ୨୦୧୯ ନିର୍ବାଚନରେ ଦାମ ରାଉତ, ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ ଓ ବିଜୟଶ୍ରୀ ରାଉତରାୟଙ୍କ ପୁଅଙ୍କୁ ଟିକେଟ ମିଳିଥିଲା । ଆଉ ସେମାନେ ବିଧାୟକ ଭାବେ ନିର୍ବାଚିତ ବି ହୋଇଥିଲେ ।