ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଭର୍ଚୁଆଲ ମୋଡରେ ଯୋଗ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

118

କନକ ବ୍ୟୁରୋ : ମେଡିକାଲ କଲେଜର ପ୍ରତିଷ୍ଠାର ଶ୍ରେୟକୁ ନେଇ ବିବାଦ ଭିତରେ ପୁରୀରେ ଆଜି ଉଦଘାଟିତ ହୋଇଯାଇଛି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ । ୨୫ ଏକର ଜାଗାରେ ନିର୍ମିତ ଏହି ମେଡିକାଲ କଲେଜର ଶୁଭାରମ୍ଭ କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠାରୁ ବଡ କଥା ହେଉଛି, ଶେଷ ମୁହୂର୍ତରେ ନିମନ୍ତ୍ରଣ ପାଇ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ମେଡିକାଲ କଲେଜର ଉଦଘାଟନ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଏହି ଉଦଘାଟନ କାର୍ଯ୍ୟକ୍ରମ ଅବସରକୁ ଏକ ସୁଯୋଗ ଭାବେ ନେଇ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଅପିଲ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଭର୍ଚୁଆଲ ମୋଡରେ ଯୋଗ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ପୁରୀରେ ମେଡିକାଲ ପ୍ରତିଷ୍ଠା ନେଇ ଥିବା ଦୀର୍ଘ ଦିନର ପ୍ରତୀକ୍ଷାର ଅବସାନ ଘଟିଛି । ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି ମେଡିକାଲ କଲେଜ ଉଦଘାଟନ ସହ ପୁରୀବାସୀଙ୍କ ବହୁ ଦିନର ସ୍ୱପ୍ନ ସାକାର ହୋଇଛି । ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଯୋଗ ଦେଇଥିଲେ ।

ମେଡିକାଲ କଲେଜ ଉଦଘାଟନ କାର୍ଯ୍ୟକ୍ରମକୁ ନେଇ ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ ଟୁଇଟ୍ ୱାର ବେଶ ଚର୍ଚ୍ଚାର ବିଷୟ ହୋଇଥିଲା । କଲେଜ ପାଇଁ କେନ୍ଦ୍ରର ଅନୁଦାନ ଥିଲେ ବି ରାଜ୍ୟ ସରକାର ଜାଣିଶୁଣି ଶ୍ରେୟ ନେବା ପାଇଁ କେନ୍ଦ୍ରକୁ ନିମନ୍ତ୍ରଣ କରିନଥିବା ଅଭିଯୋଗ କରି ଟୁଇଟ୍ କରିଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସମ୍ବିତଙ୍କ ଟୁଇଟର କାଉଣ୍ଟର ଜବାବ ଦେଇଥିଲେ ସାଂସଦ ପିନାକୀ ମିଶ୍ର । କିନ୍ତୁ ଏସବୁ ବିବାଦ ଭିତରେ ଉଦଘାଟନି କାର୍ଯ୍ୟକ୍ରମରେ ସାମିଲ ହେବାକୁ ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ରାଜ୍ୟ ସରକାରଙ୍କ ନିମନ୍ତ୍ରଣ ରକ୍ଷା କରି ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଆଉ ଅବସରକୁ ସୁଯୋଗ ଭାବରେ ବ୍ୟବହାର କରି ଆୟୁଷ୍ମାନ ଯୋଜନା ସପକ୍ଷରେ ଯୁକ୍ତି ରଖିଥିଲେ କେନ୍ଦ୍ରମନ୍ତ୍ରୀ ।

ବିଦ୍ୟାର୍ଥୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ । ପ୍ରଥମ ବ୍ୟାଚରେ ନାମ ଲେଖାଇଛନ୍ତି ୧୦୦ ବିଦ୍ୟାର୍ଥୀ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ବାଲିଗୁଆଳିଠାରେ ପ୍ରାୟ ୨୫ ଏକର ଜମିରେ ଏହି ମେଡିକାଲ କଲେଜ ନିର୍ମାଣ କରାଯାଇଛି । କଲେଜରେ ସୋମବାରଠାରୁ ଆରମ୍ଭ ହେବ ପ୍ରଥମ ବ୍ୟାଚର ପାଠପଢ଼ା । ଏଥିପାଇଁ ଏମବିବିଏସରେ ପ୍ରଥମ ବ୍ୟାଚରେ ଶହେ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି । ଏମାନଙ୍କ ମଧ୍ୟରେ ୭୦ ଜଣ ଛାତ୍ର ଓ ୩୦ ଛାତ୍ରୀ ରହିଛନ୍ତି । ଉଦଘାଟନ ଅବସରରେ ବିଦ୍ୟାର୍ଥୀ ମାନଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ମେଡିକାଲ କଲେଜ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପ୍ରତିଷ୍ଠା କରାଯାଇଛି ।