ଅଭିନେତ୍ରୀ ଜିଆ ଖାନ ମୃତ୍ୟୁ ମାମଲା : ଆଜି ଆସିପାରେ ରାୟ; ବୟଫ୍ରେଣ୍ଡ ସୁରଜ ପାଞ୍ଚୋଲି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ରହିଛି ଅଭିଯୋଗ

146

କନକ ବ୍ୟୁରୋ : ଅଭିନେତ୍ରୀ ଜିଆ ଖାନ୍ ମୃତ୍ୟୁ ପ୍ରସଙ୍ଗ, ଆଜି ରାୟ ଶୁଣାଇ ପାରନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ୨୦୧୩ ମସିହା ଜୁନ୍ ୩ ତାରିଖରେ ଅଭିନେତ୍ରୀ ଜିଆ ଖାନଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଥିଲା । ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲି ଜିଆ ଖାନଙ୍କୁ ଆତ୍ମହତ୍ୟା ପାଇଁ ପବର୍ତାଇଥିବା ଅଭିଯୋଗ ରହିଛି । ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ଇତିମଧ୍ୟରେ ଆତ୍ମହତ୍ୟା କରିଛନ୍ତି । ଯେଉଁ କେତେକ ବିବାଦୀୟ ଓ ରହସ୍ୟମୟ ରହିଛି ।

ଏଥିମଧ୍ୟରୁ ଜିଆ ଖାନଙ୍କ ମୃତ୍ୟୁ ଅନ୍ୟତମ । ତେଣୁ ଆଜିର ଏହି ରାୟ ଉପରେ ସମସ୍ତଙ୍କର ନଜର ରହିଛି । ମୁମ୍ବାଇ ଜୁହୁସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ ଜିଆ ଖାନ । ମୃତ୍ୟୁ ପୂର୍ବରୁ ସେ ଏକ ୬ ପୃଷ୍ଠାର ଚିଠି ଲେଖିଥିଲେ । ଯାହାକୁ ଜବତ କରାଯାଇ ସୁରଜ ପାଞ୍ଚୋଲିଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ସିବିଆଇ ଜୁନ୍ ୧୦, ୨୦୧୩ ରେ ଏହାର ତଦନ୍ତ ଆରମ୍ଭ କରିଥିଲା । ମୁମ୍ବାଇ ପୋଲିସ ଦ୍ୱାରା ଜବତ ହୋଇଥିବା ଚିଠିଟି ଜିଆ ଖାନ ଲେଖିଥିଲେ ।

ସିବିଆଇ ଦାବି କରିଛି ଯେ ପାଞ୍ଚୋଲିଙ୍କ ଜିଆ ଖାନଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ଥିଲା । ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ରହିଛି । ସିବିଆଇ ଏହି ମାମଲାର ତଦନ୍ତ କରିଥିବାରୁ ସେସନ୍ସ କୋର୍ଟର ଏହି ମାମଲା ଉପରେ ଅଧିକାର ନାହିଁ ବୋଲି କହିବା ପରେ ୨୦୨୧ରେ ଏହି ମାମଲାକୁ ପୁଣି ସିବିଆଇର ସ୍ୱତନ୍ତ୍ର କୋର୍ଟକୁ ହସ୍ତାନ୍ତର କରାଯାଇଥିଲା । ସ୍ୱତନ୍ତ୍ର ସିବିଆଇ ଜଜ୍ ଏଏସ୍ ସୟଦ ଉଭୟ ପକ୍ଷର ଚୂଡ଼ାନ୍ତ ଯୁକ୍ତି ଶୁଣିବା ପରେ ଗତ ସପ୍ତାହରେ ଏହି ମାମଲାର ରାୟକୁ ଏପ୍ରିଲ ୨୮ ତାରିଖ ଯାଏ ସଂରକ୍ଷିତ ରଖିଥିଲେ ।