ଆଜି ଓଡିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ : ହାୱଡାରୁ ଭୁବନେଶ୍ୱର ଅଭିମୁଖେ ବାହାରିଲା ଟ୍ରେନ୍

184

କନକ ବ୍ୟୁରୋ : ଆଜି ବନ୍ଦେ ଭାରତ ପରୀକ୍ଷାମୂଳକ ଯାତ୍ରା ହେବ । ଏହି ଟ୍ରେନ୍ ହାୱଡ଼ା ଷ୍ଟେସନରୁ ସକାଳ ୬ଟା୧୦ ମିନିଟରୁ ବାହିରିଛି । ଦିନ ୧୧ଟା ୨୨ରେ ଭୁବନେଶ୍ୱର ରେଳ ଷ୍ଟେସନ ପହଞ୍ଚିବ । ୨ ମିନିଟର ରହଣୀ ପରେ ପୁରୀ ବାହାରିବ । ଦିନ ୧୨ଟା ୩୫ରେ ପୁରୀ ପହଞ୍ଚିବ । ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରେ କିଛି ସମୟ ରହିବା ପରେ ଅପରାହ୍ନ ୧ଟା ୫୦ରେ ହାୱଡା ଅଭିମୁଖେ ବାହାରିବ ।

ରାତି ୮ଟା ୩୦ରେ ଏହି ଟ୍ରେନ ହାୱଡା ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରୀକ୍ଷାମୂଳକ ଯାତ୍ରା ସଫଳ ହେଲାପରେ ଆସନ୍ତା ମେ’ ମାସ ଦ୍ୱିତୀୟ ସପ୍ତାହରୁ ଜନସାଧାରଣଙ୍କ ପାଇଁ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ପରୀକ୍ଷାମୂଳକ ଭାବେ ଏହି ଟ୍ରେନ ଗଡିବାର ଉଦ୍ଦେଶ୍ୟ ହେଉଛି ଟ୍ରେନକୁ ସୁରୁଖୁରୁରେ ପରିଚାଳନାକୁ ସୁନିଶ୍ଚିତ କରିବା ଏବଂ ଟ୍ରେନ ଦ୍ୱାରା ଦିଆଯାଉଥିବା ସମସ୍ତ ସୁବିଧା ଏବଂ ଅସୁବିଧା ବାବଦରେ ଅବଗତ ହେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଫେବ୍ରୁଆରି ୧୫ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରିଥିଲେ ।

ଦେଶରେ ପ୍ରଥମ ଥର ପାଇଁ ଏହି ଟ୍ରେନ୍ ନୂଆଦିଲ୍ଲୀ ଠାରୁ ବାରଣାସୀକୁ ସେବା ଯୋଗାଇଥିଲା । ସେହିଦିନ ଠାରୁ ଏପର୍ଯନ୍ତ ଦେଶର ୭ଟି ରୁଟରେ ଏହି ଟ୍ରେନ୍ ପରିଚାଳିତ ହେଉଛି । ଆଉ ଏବେ ଭାରତୀୟ ରେଳବାଇର ଏହି ସେମି ଦ୍ରୁତଗାମୀ ଟ୍ରେନ୍ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଆଗାମୀ ଦିନରେ ପୁରୀରୁ ହାୱଡା ମଧ୍ୟରେ ଚାଲିବ । ଏହି ଟ୍ରେନର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୁଛନ୍ତି । ତେଣୁ ଆସନ୍ତାମାସରେ ମୋଦୀ ଓଡିଶା ଆସିବା ନେଇ ସମ୍ଭାବନା ରହିଛି ।