ଝୁଡିଆ ସମ୍ପ୍ରଦାୟର ବଡ ନିଷ୍ପତ୍ତି ! ଆଦିବାସୀ ମାନ୍ୟତା ନମିଳିଲେ କରିବେ ଆସନ୍ତା ନିର୍ବାଚନରେ ଭୋଟ୍ ବର୍ଜନ

76

କନକ ବ୍ୟୁରୋ : ଦୀର୍ଘ ୨୨ବର୍ଷରୁ ଅଧିକ ସମୟ ନିଜର ହକ୍ ପାଇଁ ଲଢ଼େଇ କରୁଥିବା ଝୁଡିଆ ସମ୍ପ୍ରଦାୟ ଶେଷରେ ଜାତି ନାହିଁ ତ ଭୋଟ ନାହିଁ ବୋଲି ଘୋଷଣା କରିଛି । ଝୁଡିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ନମିଳିଲେ ଆସନ୍ତା ନିର୍ବାଚନକୁ ବର୍ଜନ କରିବାକୁ ସ୍ଥିର କରିଛନ୍ତିି ଏହି ସମ୍ପ୍ରଦାୟ ।

ଭୋଟ୍ ବର୍ଜନ କରିବେ ଝୁଡିଆ । ରାୟଗଡାର କାଶୀପୁର ବ୍ଳକ ସମେତ ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଳାରେ ବସବାସ କରୁଥିବା ଲକ୍ଷାଧିକ ଝୁଡିଆ ପରିବାର ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବପରି ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳିବା ଦାବିରେ ଏହି ନିଷ୍ପତି ନେଇଛନ୍ତି ଝୁଡିଆ ସମ୍ପ୍ରଦାୟର ଲୋକ ।

୨୨ ବର୍ଷ ତଳେ ଝୁଡିଆ ଓ ପରଜାଙ୍କୁ ଆଦିବାସୀ ରୂପେ ସମସ୍ତ ସରକାରୀ ସୁବିଧା ମିଳୁଥିଲା । କିନ୍ତୁ ବର୍ତ୍ତମାନ କେବଳ ପରଜା ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳୁଛି । ଆଉ ଝୁଡିଆ ସମ୍ପ୍ରଦାୟକୁ ସାଧାରଣ ବର୍ଗ କରି ଦିଆଯାଇଛି । ତେବେ ସେମାନଙ୍କୁ ପୁଣି ଥରେ ଆଦିବାସୀ ମାନ୍ୟତା ଦେବାକୁ ଦୀର୍ଘ ଦିନ ହେବ ଦାବି କରି ଆସୁଛନ୍ତି ଏହି ସମ୍ପ୍ରଦାୟର ଲୋକ । ତେବେ ରାଜ୍ୟ ସରକାର ସମସ୍ତ କାର୍ଯ୍ୟ ଶେଷ କରିଛନ୍ତି ଓ କେନ୍ଦ୍ର ସରକାରଙ୍କ ନିକଟରେ ଫାଇଲ ରହିଛି ବୋଲି କହି ନିଜ ଉପରୁ ଦୋଷ ଖସାଇ ଦେଇଛନ୍ତି ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ।

ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଏହାର ଆଖପାଖ ନିର୍ବାଚନମଣ୍ଡଳୀରେ ଝୁଡିଆ ଭୋଟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତେଣୁ ଝୁଡିଆ ସମ୍ପ୍ରଦାୟକଙ୍କ ଭୋଟ୍ ବର୍ଜନ ନିଷ୍ପତ୍ତି ସବୁ ରାଜନୈତିକ ଦଳ ପାଇଁ ଚିନ୍ତାର କାରଣ ହୋଇଛି ।