ଖିଲାପୀଙ୍କୁ ଜେଟଲିଙ୍କ କଡ଼ା ଚେତାବନୀ ! ଋଣ ନଶୁଝିଲେ କମ୍ପାନୀ ଛାଡ଼
କନକ ବ୍ୟୁରୋ : ଋଣ ପରିଶୋଧ କରୁ ନଥିବା ସଂସ୍ଥା ଗୁଡ଼ିକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସତର୍କ ବାଣୀ ଶୁଣାଇଛନ୍ତି । ସେ କମ୍ପାନୀ ଗୁଡ଼ିକୁ ବ୍ୟାଙ୍କ ଋଣ ପରିଶୋଧ କରିବାକୁ କହିଛନ୍ତି । ଯଦି ଋଣ ପରିଶୋଧ ନକରୁଛ ତାହେଲେ ଅନ୍ୟକୁ କମ୍ପାନି ପରିଚାଳନା କରିବାର ଅନୁମତି ଦିଅ ବୋଲି ଅର୍ଥନୀତିଜ୍ଞ ସମ୍ମିଳନୀରେ ଯୋଗଦେଇ ଜେଟଲି ଏହା କହିଛନ୍ତି । ଦେଶରେ ବ୍ୟାଙ୍କ ଗୁଡ଼ିକର ପ୍ରାୟ ୮ ଲକ୍ଷ କୋଟି ଟଙ୍କାର ଋଣ ଆଦାୟ ନ ହୋଇ ପଡ଼ି ରହିଛି । ଏହା ମଧ୍ୟରୁ ମାତ୍ର ୧୨ଟି ବଡ଼ ଘରୋଇ କମ୍ପାନି ଉପରେ ୨ ଲକ୍ଷ କୋଟି ଟଙ୍କାର ଋଣ ରହିଛି । ତେଣୁ ଏମାନଙ୍କ ବିରୋଧରେ ନୂଆ ଦେବାଳିଆ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ୟାଙ୍କ ଗୁଡ଼ିକୁ କହିବା ଲାଗି ସରକାର ନିକଟରେ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜେଟଲି ଏହା ମଧ୍ୟ କହିଛନ୍ତି ବ୍ୟାଙ୍କ ଗୁଡ଼ିକୁ ଅଧିକ ପୁଞ୍ଜି ଦେବା ପରିବର୍ତ୍ତେ ଚାପଗ୍ରସ୍ତ ଋଣ ଆଦାୟ କରିବା ଉପରେ ସରକାର ଅଗ୍ରାଧିକାର ଦେଇଛନ୍ତି । ତେଣୁ ଯେଉଁମାନେ ଋଣ ପରିଶୋଧ କରୁ ନାହାନ୍ତି ସେମାନେ ଅନ୍ୟମାନଙ୍କୁ କମ୍ପାନି ପରିଚାଳନା କରିବାକୁ ଛାଡ଼ି ଦିଅନ୍ତୁ ବୋଲି ଜେଟଲି କହିଛନ୍ତି । ସରକାରୀ ବ୍ୟାଙ୍କକୁ ଟିକସଦାତାଙ୍କ ଅର୍ଥ ପ୍ରଦାନ କରିବା ଏକ ସହଜ ସମାଧାନ। ତେବେ ସରକାର ବ୍ୟାଙ୍କ ଗୁଡ଼ିକୁ ୭୦ ହଜାର କୋଟି ଟଙ୍କାର ପୁଞ୍ଜି ଦେଇ ସାରିଲେଣି ଏବଂ ଅଧିକ ପୁଞ୍ଜି ଦେବା ନେଇ ସରକାରଙ୍କ ଦ୍ୱାର ମଧ୍ୟ ଉନ୍ମୁକ୍ତ ରହିଛି । ଜେଟ୍ଲି ବ୍ୟାଙ୍କ ମିଶ୍ରଣ ସମ୍ପର୍କରେ ମଧ୍ୟ ଏହି ଅବସରରେ ସୂଚନା ଦେଇଛନ୍ତି । ଏତେ ସଂଖ୍ୟକ ସରକାରୀ ବ୍ୟାଙ୍କ ପରିବର୍ତ୍ତେ ଆମେ କମ୍ ସଂଖ୍ୟକ ଦୃଢ଼ ବ୍ୟାଙ୍କ ଆବଶ୍ୟକ କରୁ ବୋଲି ସେ କହିଛନ୍ତି ।
୨୧ଟି ସରକାରୀ ବ୍ୟାଙ୍କର ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍ ଗତ ସପ୍ତାହରେ ନିଷ୍ପତ୍ତି ନେଇଛି। ସରକାରୀ ବ୍ୟାଙ୍କ ଗୁଡ଼ିକ ନିକଟରେ ପ୍ରାୟ ୭୪ ପ୍ରତିଶତ ଅର୍ଥ ଜମା ରହିଛି । ତେବେ ସୁଧ ହାର ହ୍ରାସ ସମ୍ପର୍କରେ ଜେଟ୍ଲି କହିଛନ୍ତି ସୁଧ ହାର ହ୍ରାସ ପାଉ ବୋଲି ସବୁ ଅର୍ଥମନ୍ତ୍ରୀ ଚାହିବେ । କିନ୍ତୁ ସୁଧ ହାର ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହିଁ ରିଜର୍ଭ ବ୍ୟାଙ୍କ ନେଇଥାଏ । ଦେଶରେ ସୁଧ ହାର ପରିବର୍ତ୍ତନ ପାଇଁ ଏକ ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ହିଁ ସୁଧ ହାର ନିର୍ଣ୍ଣୟ କରିଥାଏ ବୋଲି ସେ କହିଛନ୍ତି ।